ଭୁବନେଶ୍ଵର: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ବାୟୋମେଟ୍ରିକ। ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଡିଜିଟାଲ୍ ଭାବେ ରେକର୍ଡ ଓ ଯାଞ୍ଚ କରିବା ପାଇଁ HIMS ମାଧ୍ୟମରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହେବ। ‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’ ଯୋଜନାର ହିତାଧିକାରୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୭୫% କ୍ଲାସ୍ ଉପସ୍ଥାନ ଆବଶ୍ୟକ ଥିବାରୁ ଏହି ବ୍ୟବସ୍ଥା କରାଯାଉଛି।

ଅଗଷ୍ଟ ୨୫ରୁ ପାଇଲଟ୍ ପ୍ରକଳ୍ପ

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୨୫ ଅଗଷ୍ଟ ୨୦୨୬ରୁ ଏହି ବ୍ୟବସ୍ଥା ପାଇଲଟ୍ ଭିତ୍ତିରେ ଲାଗୁ ହେବ। ଏଥିରେ ଛାତ୍ର ନାମ ପଞ୍ଜୀକରଣ, ବାୟୋମେଟ୍ରିକ୍ ତଥ୍ୟ ରେକର୍ଡ, ଉପସ୍ଥାନ ରେକର୍ଡ ଏବଂ HIMS ସହ ତଥ୍ୟ ସମନ୍ୱୟ କରାଯିବ।

କେଉଁ କେଉଁ ଅନୁଷ୍ଠାନରେ ଲାଗୁ ହେବ

୧. ଏମ.ପି.ସି. ସ୍ୱୟଂଶାସିତ ମହାବିଦ୍ୟାଳୟ, ମୟୂରଭଞ୍ଜ

୨. ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର

୩. ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର

୪. ମଡେଲ ଡିଗ୍ରୀ କଲେଜ, ବୌଦ୍ଧ

୫. ସରକାରୀ ଡିଗ୍ରୀ କଲେଜ, ତେନ୍ତୁଳିଖୁଣ୍ଟି

୬. ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଆଡ଼ଶପୁର

୭. ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱର

୮. କଣ୍ଟାବାଞ୍ଜି ଭୋକେସନାଲ ଡିଗ୍ରୀ କଲେଜ, ବଲାଙ୍ଗିର

୯. ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ

୧୦. ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା

କ୍ୟାମ୍ପସ୍ ବାହାରେ ଦେଲେ ହେବନି ଉପସ୍ଥାନ

HIMS ମୋବାଇଲ୍ ଆପରେ ଉପସ୍ଥାନ ଦେବା ପାଇଁ କଲେଜର Geo Tagging ହୋଇଥିବା ଆବଶ୍ୟକ। କର୍ମଚାରୀଙ୍କ ମୋବାଇଲ୍ GPS ଲୋକେସନ୍ କଲେଜର ନିର୍ଦ୍ଧାରିତ ସୀମା ଭିତରେ ଥିଲେ ହିଁ ଉପସ୍ଥାନ ରେକର୍ଡ ହେବ। ଏଥିସହ ଲାଇଭ୍ ଫଟୋ ନେବା ମଧ୍ୟ ବାଧ୍ୟତାମୂଳକ ରହିବ।

ଶିକ୍ଷକ ନେବେ ଛାତ୍ରଙ୍କ ଉପସ୍ଥାନ

ଶିକ୍ଷକ ପ୍ରଥମେ ନିଜର Self-Attendance ରେକର୍ଡ କରିବେ। ଏହାପରେ HIMS ଆପ୍‌ରେ Academics → Attendance ବିକଳ୍ପକୁ ଯାଇ ସମ୍ପୃକ୍ତ କ୍ଲାସ୍ ଚୟନ କରି ଛାତ୍ରଙ୍କୁ Present (P) କିମ୍ବା Absent (A) ଭାବେ ଚିହ୍ନଟ କରିବେ। କ୍ଲାସରେ ଲାଇଭ୍ ଫଟୋ ନେଇ ଉପସ୍ଥାନ Submit କରିବାକୁ ପଡ଼ିବ।

ପରେ ରାଜ୍ୟବ୍ୟାପୀ ଲାଗୁ ହେବ

ପାଇଲଟ୍ ପ୍ରକଳ୍ପର ଅନୁଭୂତି ଓ ମତାମତକୁ ଆଧାର କରି ବ୍ୟବସ୍ଥାର ମୂଲ୍ୟାଙ୍କନ, ସୁଧାର ଓ ସ୍ଥିରିକରଣ କରାଯିବ। ଏହାପରେ ଅନ୍ୟ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଭାବେ ଲାଗୁ କରିବା ପ୍ରସ୍ତାବ ରହିଛି।