ନୂଆଦିଲ୍ଲୀ ୧୮।୯:ନୂଆଦିଲ୍ଲୀର ୟଶୋଭୂମିଠାରେ ଆୟୋଜିତ ବିଶ୍ବସ୍ତରୀୟ 'ସେମିକନ୍-ଇଣ୍ଡିଆ ୨୦୨୬' ସମ୍ମିଳନୀରେ ଓଡ଼ିଶା ପାଭିଲିୟନ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ଉଦ୍ ଘାଟନ କରିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ୩ଟି ବିଶ୍ୱବିଦ୍ୟାଳୟ ଏବଂ ସେମିକନ ଇଣ୍ଡଷ୍ଟ୍ରିରେ କାମ କରୁଥିବା ୪ଟି କମ୍ପାନୀ ନିଜ ପ୍ରଡକ୍ଟ ପ୍ରଦର୍ଶନ କରିଛନ୍ତି। ସରକାରଙ୍କର ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ପଲିସିକୁ ମଧ୍ୟ ଏଠାରେ ପ୍ରଦର୍ଶିତ କରାଯାଇଛି। ଓଡ଼ିଶାକୁ ସେମି କଣ୍ଡକ୍ଟର ହବ କରିବା ପାଇଁ ରହିଛି ଯୋଜନା।ଏହି ଓଡ଼ିଶା ପାଭିଲିୟନ୍ ର ଥିମ୍ ରହିଛି 'ସ୍ୟାଣ୍ଡ୍ ରୁ ସିଲିକନ୍' – ଅର୍ଥାତ ସିଲିକା ବାଲିରୁ ସେମିକଣ୍ଡକ୍ଟର ଚିପ୍ ପର୍ଯ୍ୟନ୍ତ ଅସାଧାରଣ ଶିଳ୍ପ ଯାତ୍ରାକୁ ଦର୍ଶାଯାଇଛି। ପୂର୍ବରୁ କେବଳ ଖଣିଜ ଆଧାରିତ ଶିଳ୍ପ ପାଇଁ ଜଣାଶୁଣା ଥିଲା ଓଡ଼ିଶା, ଏବେ ଆଇଟି, ଡିପ୍-ଟେକ୍ ଏବଂ ସେମିକଣ୍ଡକ୍ଟର ହବ୍ ଭାବେ ଉଭା ହେଉଛି। ୪୦୦ କିଲୋମିଟରର ଦୀର୍ଘ ଉପକୂଳ ଏବଂ ସୁଦୃଢ଼ ଆଇଟି ଭିତ୍ତିଭୂମି ଯୋଗୁଁ ରାଜ୍ୟ ପୂର୍ବ ଭାରତର ସେମିକଣ୍ଡକ୍ଟର ନେତୃତ୍ବ ନେଉଛି।

ରାଜ୍ୟ ସରକାରଙ୍କ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ନୀତି ବିଶ୍ବସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରୁଥିବା ବେଳେ ରାଜ୍ୟକୁ ବିପୁଳ ପୁଞ୍ଜି ନିବେଶ ପ୍ରସ୍ତାବ ମଧ୍ୟ ମିଳିଛି। ଏହି ସମ୍ମିଳନୀ ସହ ତାଳ ଦେଇ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ଖୋର୍ଦ୍ଧାର ଇଡକୋ ଇନଫୋଭ୍ୟାଲି-୨ ଠାରେ ୨୧.୮୮ ଏକର ପରିମିତ ଜମିରେ ଏହି ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରାଯିବ। ରାଜ୍ୟର ୩ଟି ବିଶ୍ବବିଦ୍ୟାଳୟ ଏବଂ ନିବେଶକମାନଙ୍କ ସହଯୋଗରେ ସ୍ଥାନୀୟ ଯୁବବର୍ଗଙ୍କୁ ସିଲିକା ସଂଶୋଧନ, ୱେଫର୍ କଟିଂ, ଚିପ୍ ଡିଜାଇନ୍ ଏବଂ ପ୍ୟାକେଜିଂ ପରି ଜଟିଳ ବିଷୟରେ ତାଲିମ ଦିଆଯିବ। ଏହା ଦ୍ବାରା ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଉଚ୍ଚ-ମାନର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ପ୍ରଧାନମନ୍ତ୍ରୀଙ୍କ 'ବିକଶିତ ଭାରତ ୨୦୪୭' ର ସ୍ବପ୍ନକୁ ସାକାର କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ।

Also Read:ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ମାମଲା : ୨୯କୁ ଘୁଞ୍ଚିଲା ଶୁଣାଣି, ୨୮ ସୁଦ୍ଧା ଜବାବ ଦାଖଲ ନିର୍ଦ୍ଦେଶ