ଇସଲାମାବାଦ: ଗମ୍ଭୀର ଅର୍ଥନୈତିକ ଏବଂ ଇନ୍ଧନ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଦେଶକୁ କାଙ୍ଗାଳ ହେବାରୁ ରକ୍ଷା କରିବା ପାଇଁ ଅତ୍ୟନ୍ତ କଠୋର ଏବଂ କୋଭିଡ୍ କାଳୀନ ଲକ୍‌ଡାଉନ୍ ଭଳି କଟକଣା ଲାଗୁ କରିଛନ୍ତି। ସରକାରୀ ଖର୍ଚ୍ଚ କାଟ୍ କରିବା ଏବଂ ବିଦ୍ୟୁତ୍ ଓ ଇନ୍ଧନ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାର ନୂଆ ‘ମିତବ୍ୟୟିତା ନୀତି’ଘୋଷଣା କରିଛନ୍ତି।

ସରକାରୀ ବିଭାଗଗୁଡ଼ିକ ପାଇଁ କୌଣସି ନୂଆ ଗାଡ଼ି  କିଣାଯାଇପାରିବ ନାହିଁ। ଏହା ସହିତ ସରକାରୀ ଗାଡ଼ିଗୁଡ଼ିକୁ ମିଳୁଥିବା ମାଗଣା ପେଟ୍ରୋଲ-ଡିଜେଲ୍ କୋଟାରେ ୫୦ ପ୍ରତିଶତ କମ କରାଯାଇଛି । ବିବାହ ଏବଂ ଅନ୍ୟାନ୍ୟ ସାମାଜିକ ଉତ୍ସବରେ ଖାଦ୍ୟ ନଷ୍ଟ ରୋକିବା ପାଇଁ କଡ଼ା ନିୟମ ଜାରି ହୋଇଛି। ଭୋଜିରେ ଆଉ ବହୁବିଧ ବ୍ୟଞ୍ଜନ ପରିବେଷଣ କରାଯାଇପାରିବ ନାହିଁ । କେବଳ ଗୋଟିଏ ମୁଖ୍ୟ ଖାଦ୍ୟ ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟୁତ୍ ଶକ୍ତି ବଞ୍ଚାଇବା ପାଇଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ଓ ବଜାରଗୁଡ଼ିକୁ ରାତି ୯ଟା ସୁଦ୍ଧା ବନ୍ଦ କରିବାକୁ କୁହାଯାଇଛି। ମନ୍ତ୍ରୀ ଏବଂ ସରକାରୀ ଅଫିସରମାନଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଯାଇଛି। ସରକାରୀ ଅର୍ଥରେ କୌଣସି ବିଳାସପୂର୍ଣ୍ଣ ଜିନିଷ କିମ୍ବା ନୂଆ ସରକାରୀ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି।

କାହିଁକି ଏହି କଠୋର ନିଷ୍ପତ୍ତି?
ପାକିସ୍ତାନ ବର୍ତ୍ତମାନ ମୁଦ୍ରାସ୍ଫୀତି, ବୈଦେଶିକ ମୁଦ୍ରା ଭଣ୍ଡାରର ହ୍ରାସ ଏବଂ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଅସ୍ଥିରତା ଯୋଗୁଁ ତୈଳ ସଙ୍କଟର ସାମ୍ନା କରୁଛି। ଜାତିସଂଘ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରୁ ଋଣ ନେଇ ଚଳୁଥିବା ପାକିସ୍ତାନ ସରକାର ନିଜର ଦୈନନ୍ଦିନ ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ହେବାରୁ ଏହିଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।