ନୂଆଦିଲ୍ଲୀ: ଶୁକ୍ରବାର ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଏକ କିଲୋଗ୍ରାମ ରୁପା ମୂଲ୍ୟରେ ଆଜି ୬,୪୭୪ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ମୂଲ୍ୟ ୨.୩୬ ଲକ୍ଷ ଟଙ୍କାରେ ପହଞ୍ଚିଛି।

ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧,୮୦୯ ଟଙ୍କା ବୃଦ୍ଧି ପାଇ ୧.୫୪ ଲକ୍ଷ ଟଙ୍କା ହୋଇଛି। ଏହାର ଗୋଟିଏ ଦିନ ପୂର୍ବରୁ ସୁନା ମୂଲ୍ୟ ₹୧.୫୨ ଲକ୍ଷ ଏବଂ ରୁପାର ମୂଲ୍ୟ ₹୨.୩୦ ଲକ୍ଷ ଟଙ୍କା ଥିଲା। ଏହି ଦର ବୃଦ୍ଧି ମଧ୍ୟରେ ଆଉ ସୁନା ଓ ରୁପା ଦରକୁ ନେଇ ବଡ଼ ଆକଳନ ସାମ୍ନାକୁ ଆସିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସୁନା ଦର ୧୦ ଗ୍ରାମ୍ ପିଛା ₹୧.୭୦ ଲକ୍ଷ ଏବଂ ରୁପା ଦର କିଲୋ ପିଛା ₹୩ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି କୋଟାକ ସିକ୍ୟୁରିଟିଜର ସିନିୟର ଭାଇସ୍ ପ୍ରେସିଡେଣ୍ଟ ତଥା କମୋଡିଟି ରିସର୍ଚ୍ଚ ହେଡ୍ ଅନିନ୍ଦ୍ୟ ବାନାର୍ଜୀ ଆକଳନ କରିଛନ୍ତି।

ବାନାର୍ଜୀଙ୍କ କହିବା ଅନୁସାରେ, ସୁନାକୁ କେବଳ ସାଧାରଣ ନିବେଶକଙ୍କ ସମର୍ଥନ ମିଳୁନାହିଁ, ବରଂ ବିଶ୍ୱର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁନା କିଣୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ମଧ୍ୟ ନିଜ ସୁନା ଭଣ୍ଡାର ବଢ଼ାଇବା ଜାରି ରଖିଛି। ଏହା ସୁନା ଦରକୁ ସମର୍ଥନ ଦେଉଥିବା ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ।

ବିଶ୍ୱ ଅର୍ଥନୀତି ଓ ଭୂ-ରାଜନୈତିକ ପରିସ୍ଥିତିରେ ଅନିଶ୍ଚିତତା ଜାରି ରହିଲେ ସୁନାରେ ଦର ବୃଦ୍ଧିର ଧାରା ଜାରି ରହିପାରେ। ଅନ୍ୟପକ୍ଷରେ, ପରିସ୍ଥିତିରେ ସୁଧାର ଆସିଲେ ରୁପା ଦରରେ ମଧ୍ୟ ଜୋରଦାର ବୃଦ୍ଧି ଦେଖିବାକୁ ମିଳିପାରେ। ବର୍ତ୍ତମାନର ବଜାର ପରିସ୍ଥିତି ଆଧାରରେ ଡିସେମ୍ବର ସୁଦ୍ଧା ସୁନା ₹୧.୭୦ ଲକ୍ଷ ଏବଂ ରୁପା ₹୩ ଲକ୍ଷ ସ୍ତର ଛୁଇଁବାର ସମ୍ଭାବନା ଥିବା ଆକଳନ କରାଯାଇଛି।

Also Read- ଇନ୍ସୁରାନ୍ସ ନଥିଲେ ପେଟ୍ରୋଲ-ଡିଜେଲ ମିଳିବନି! ଆସୁଛି ନୋ ଇନ୍ସୁରାନ୍ସ, ନୋ ଫ୍ୟୁଲ ନିୟମ

ଚଳିତ ବର୍ଷ ସୁନା ₹୨୧ ହଜାର ମହଙ୍ଗା

୨୦୨୬ରେ ଏପର୍ଯ୍ୟନ୍ତ ସୁନା ଓ ରୁପା ଦରରେ ବଡ଼ ଉତ୍ଥାନ-ପତନ ଦେଖାଯାଇଛି। ଡିସେମ୍ବର ୩୧, ୨୦୨୫ରେ ୧୦ ଗ୍ରାମ୍ ସୁନାର ଦର ପ୍ରାୟ ₹୧.୩୩ ଲକ୍ଷ ଥିଲା। ଏବେ ଏହା ପ୍ରାୟ ₹୧.୫୪ ଲକ୍ଷକୁ ବୃଦ୍ଧି ପାଇଛି। ଅର୍ଥାତ୍ ଚଳିତ ବର୍ଷରେ ସୁନା ପ୍ରାୟ ₹୨୧ ହଜାର ମହଙ୍ଗା ହୋଇଛି।

ସେହିପରି ଡିସେମ୍ବର ୩୧, ୨୦୨୫ରେ ରୁପା ଦର କିଲୋ ପିଛା ₹୨.୩୦ ଲକ୍ଷ ଥିବାବେଳେ ଏବେ ଏହା ପ୍ରାୟ ₹୨.୩୬ ଲକ୍ଷରେ ପହଞ୍ଚିଛି।

ଜାନୁଆରୀରେ ରେକର୍ଡ ସ୍ତର ଛୁଇଁଥିଲା ସୁନା-ରୁପା

ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ସୁନା ଓ ରୁପା ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଏହି ଦିନ ସୁନା ୧୦ ଗ୍ରାମ୍ ପିଛା ₹୧.୭୬ ଲକ୍ଷ ଏବଂ ରୁପା କିଲୋ ପିଛା ₹୩.୮୬ ଲକ୍ଷର ଅଲ୍ଟାଇମ୍ ହାଇ ଛୁଇଁଥିଲା। ଏହାପରେ ଦରରେ କିଛି ସଂଶୋଧନ ଦେଖାଯାଇଥିଲେ ମଧ୍ୟ ଆଗାମୀ ମାସଗୁଡ଼ିକରେ ପୁଣି ଉପରମୁହାଁ ହେବାର ଆକଳନ କରାଯାଉଛି।

ତେବେ ଏହା ବଜାର ବିଶ୍ଳେଷଣ ଆଧାରିତ ଆକଳନ ଏବଂ ସୁନା-ରୁପାର ବାସ୍ତବ ଦର ବିଶ୍ୱ ବଜାର, ଡଲାର ମୂଲ୍ୟ, କେନ୍ଦ୍ରୀୟ ବ୍ୟାଙ୍କର ନୀତି, ଭୂ-ରାଜନୈତିକ ପରିସ୍ଥିତି ଓ ନିବେଶକଙ୍କ ଚାହିଦା ଭଳି ବିଭିନ୍ନ କାରଣ ଉପରେ ନିର୍ଭର କରିବ।