ନୂଆଦିଲ୍ଲୀ: ଗାଡ଼ି ଚଳାଉଥିଲେ ଏଣିକି ଇନ୍ସୁରାନ୍ସ ରି-ନ୍ୟୁ କରିବାରେ ଅବହେଳା କରନ୍ତୁ ନାହିଁ। ଖୁବଶୀଘ୍ର ଦେଶର କିଛି ସହରରେ ‘ନୋ ଇନ୍ସୁରାନ୍ସ, ନୋ ଫ୍ୟୁଏଲ୍’ ବ୍ୟବସ୍ଥାର ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇପାରେ। ଏହି ବ୍ୟବସ୍ଥା ଅନୁସାରେ ପେଟ୍ରୋଲ ପମ୍ପରେ ଲାଗିଥିବା କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ୍ ସ୍କାନ୍ କରି ଥାର୍ଡ-ପାର୍ଟି ଇନ୍ସୁରାନ୍ସ ବୈଧ ଅଛି କି ନାହିଁ, ତାହା ଯାଞ୍ଚ କରିବ।

ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ଯେମିତି ଦିଆ ନଯିବା ସେହି ବ୍ୟବସ୍ଥା କରାଯିବ। ଦେଶରେ ବିନା ଇନ୍ସୁରାନ୍ସରେ ଚାଲୁଥିବା ଗାଡ଼ିଗୁଡିକ ଉପରେ ରୋକ ଲଗାଇବା ପାଇଁ ସରକାର ଏହି ନୀତି ଲାଗୁ କରିବାକୁ ଯାଉଛନ୍ତି। ଏନେଇ ବୀମା ନିୟାମକ IRDAI ପକ୍ଷରୁ କିଛି ସହରରେ ଟ୍ରାଏଲ୍ ଆରମ୍ଭ କରାଯିବା ନେଇ ପ୍ରସ୍ତୁତି ଚାଲିଛି।

କାହିଁକି ଆସୁଛି ଏହି ନିୟମ?

ମୋଟର ଭେହିକିଲ୍ସ ଆକ୍ଟର ଧାରା ୧୪୬ ଅନୁସାରେ ପ୍ରତ୍ୟେକ ମୋଟର ଯାନର ଥାର୍ଡ-ପାର୍ଟି ଇନ୍ସୁରାନ୍ସ ଆଇନଗତ ଭାବେ ବାଧ୍ୟତାମୂଳକ। ଏହି ବୀମା ଦୁର୍ଘଟଣାରେ ଅନ୍ୟ ବ୍ୟକ୍ତି, ତାଙ୍କ ଗାଡ଼ି କିମ୍ବା ସମ୍ପତ୍ତିର କ୍ଷତି ପାଇଁ କ୍ଷତିପୂରଣ ଦେବାରେ ସହାୟକ ହୁଏ। ତେବେ ନିୟମ ଥିଲେ ମଧ୍ୟ ବହୁ ଗାଡ଼ି ମାଲିକ ଇନ୍ସୁରାନ୍ସ ରିନ୍ୟୁ କରୁନାହାନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ପେଟ୍ରୋଲ ପମ୍ପଗୁଡ଼ିକୁ ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ଡାଟା ସହ ଯୋଡ଼ିବା ପାଇଁ ପଦକ୍ଷେପ ନିଆଯାଉଛି। ଅଗଷ୍ଟ ୪ରେ ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଦିଲ୍ଲୀରୁ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏହାରି ଉପରେ ଏବେ ପଦକ୍ଷେପ ନିଆଯାଇ ପାଇଲଟ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା କରାଯାଉଛି।

ନୂଆ ଗାଡ଼ି ପାଇଁ ମଧ୍ୟ ପରିବର୍ତ୍ତନ

ନୂଆ କାର୍ ପାଇଁ ଥାର୍ଡ-ପାର୍ଟି ଇନ୍ସୁରାନ୍ସର ଅନିବାର୍ଯ୍ୟ ଅବଧି ୩ ବର୍ଷରୁ ୪ ବର୍ଷ ଏବଂ ନୂଆ ବାଇକ୍ କିମ୍ବା ସ୍କୁଟି ପାଇଁ ୫ ବର୍ଷରୁ ୬ ବର୍ଷ କରାଯାଇଛି। ଏହାସହ ପୋଲିସକୁ ହ୍ୟାଣ୍ଡହେଲ୍ଡ ଡିଭାଇସ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ବାହାନ ଓ ଇନ୍ସୁରାନ୍ସସ ଇନଫରମେସନ ବ୍ୟୁରୋ ଡାଟାବେସ୍ରୁ ତୁରନ୍ତ ଇନ୍ସୁରାନ୍ସ ଷ୍ଟାଟସ୍ ଯାଞ୍ଚ କରିବାର ସୁବିଧା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଏହି ବ୍ୟବସ୍ଥା ଲାଗୁ ହେଲେ ଇନ୍ସୁରାନ୍ସ କମ୍ପାନୀଗୁଡ଼ିକର ପ୍ରିମିୟମ୍ ସଂଗ୍ରହ ବଢ଼ିବାର ସମ୍ଭାବନା ରହିଛି। ୨୦୨୬ ଆର୍ଥିକ ବର୍ଷରେ ଶୀର୍ଷ ୫ଟି ମୋଟର ଇନ୍ସୁରାନ୍ସ କମ୍ପାନୀ ପ୍ରାୟ ୪୮,୪୦୦ କୋଟି ଟଙ୍କାର ମୋଟର ପ୍ରିମିୟମ୍ ସଂଗ୍ରହ କରିଥିବା ସୂଚନା ରହିଛି।