ନୂଆଦିଲ୍ଲୀ ୧୮।୦୯; ଆମେରିକାରେ ପଞ୍ଜାବୀ ଶିଖ ଟ୍ରକ୍ ଡ୍ରାଇଭରଙ୍କୁ ଭୟଙ୍କର ଆକ୍ରମଣ। ଥରେ କି ଦୁଇଥର ନୁହେଁ… ଜୀବନ ନେବା ଉଦ୍ଦେଶ୍ୟରେ ହୋଇଛି ୧୭ ଥର ଛୁରାମାଡ଼! ୨୮ ବର୍ଷୀୟ ଏହି ଟ୍ରକ୍ ଡ୍ରାଇଭରଙ୍କୁ ଶୌଚାଳୟ ଭିତରେ ପଛରୁ ଆକ୍ରମଣ କରାଯାଇଥିବା ସେ କହିଛନ୍ତି। ବେକ, ଛାତି, ବାହୁ ଓ ପଞ୍ଜରରେ ଲାଗିଛି ଗଭୀର ଆଘାତ। କୌଣସିମତେ ଜୀବନ ବଞ୍ଚାଇ ଶୌଚାଳୟରୁ ବାହାରିଲେ… ଆଉ ତା’ପରେ ଟଳିପଡ଼ିଲେ ରକ୍ତାକ୍ତ ଅବସ୍ଥାରେ। ଘଟଣା ପରେ ଆମେରିକାରେ ଶିଖ ଟ୍ରକ୍ ଡ୍ରାଇଭରଙ୍କ ସୁରକ୍ଷାକୁ ନେଇ ବଢ଼ିଛି ଚିନ୍ତା। ଆଉ ଏହି ଆକ୍ରମଣର କିଛି ଦିନ ପୂର୍ବରୁ DHSର ‘Mr Singh’ ପୋଷ୍ଟକୁ ନେଇ ଉଠିଥିବା ବିବାଦ ଘଟଣାକୁ ଆହୁରି ଚର୍ଚ୍ଚାରେ ଆଣିଛି।

ଆମେରିକାର ୱାୟୋମିଙ୍ଗର ଏକ ରେଷ୍ଟ ଏରିଆରେ ଘଟିଛି ଏହି ଘଟଣା । ସାକ୍ରାମେଣ୍ଟୋର ଏହି ଟ୍ରକ୍ ଡ୍ରାଇଭର ନିଜକୁ କେବଳ ‘ସିଂହ’ ବୋଲି ପରିଚୟ ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ରବିବାର ସକାଳେ ଇଣ୍ଟରଷ୍ଟେଟ୍-୮୦ ନିକଟ ବିଟର କ୍ରିକ୍ ରେଷ୍ଟ ଏରିଆର ଶୌଚାଳୟକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପଛେ ପଛେ ଭିତରକୁ ଯାଇଥିଲେ। ହଠାତ୍ ସେ ଛୁରି ବାହାର କରି ଆକ୍ରମଣ କରିଥିଲେ । ସେହି ସମୟରେ ରେଷ୍ଟ ଏରିଆରେ ଥିବା ଏକ ହିସ୍ପାନିକ୍ ପରିବାର ଘଟଣାସ୍ଥଳକୁ ଆସି ସିଂହଙ୍କୁ ସହାୟତା କରିଥିଲେ । ପୋଲିସକୁ ସନ୍ଦିଗ୍ଧଙ୍କ ଟ୍ରକ୍ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

ପରେ ୱାୟୋମିଙ୍ଗ ହାଇୱେ ପାଟ୍ରୋଲ୍ ରାୱଲିନ୍ସ ନିକଟରେ ଟ୍ରକ୍ଟିକୁ ଅଟକାଇ ସନ୍ଦିଗ୍ଧ ଆଣ୍ଡ୍ରୁ କ୍ରିସ୍ ବ୍ଜଡାକ୍ଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ପ୍ରଥମ ଡିଗ୍ରୀ ହତ୍ୟା ଉଦ୍ୟମ ଅଭିଯୋଗ ଲାଗିଛି । ତେବେ ଏହି ଆକ୍ରମଣ ପଛରେ ଉଦ୍ଦେଶ୍ୟ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ଅଧିକାରୀମାନେ ସ୍ପଷ୍ଟ କରିନାହାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରମଣର କିଛି ଦିନ ପୂର୍ବରୁ ଆମେରିକାର ଡିପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ଏକ ଏଆଇ-ନିର୍ମିତ ପୋଷ୍ଟର ସେୟାର କରିଥିଲା। ସେଥିରେ ‘ମିଷ୍ଟର ସିଂହ’ଙ୍କୁ ଟାର୍ଗେଟ୍ କରି ଆମେରିକାର ରାସ୍ତାରୁ ଚାଲିଯିବା ଏବଂ ଦେଶ ଛାଡ଼ିବାକୁ ଆହ୍ୱାନ କରାଯାଇଥିଲା। ଏହି ପୋଷ୍ଟକୁ ନେଇ ପ୍ରବଳ ସମାଲୋଚନା ହେବା ପରେ ଡିଏଚଏସ୍ ଏହାକୁ ହଟାଇ ଦେଇଥିଲା । ଘଟଣାକୁ ନେଇ ଭାରତୀୟ ବଂଶୋଦ୍ଭବ ଆମେରିକୀୟ କଂଗ୍ରେସ ସଦସ୍ୟ ରାଜା କ୍ରିଷ୍ଣମୂର୍ତ୍ତି ପ୍ରତିକ୍ରିୟା ଦେଇ ଆକ୍ରମଣକୁ ନିନ୍ଦା କରିଛନ୍ତି ।