ନୂଆଦିଲ୍ଲୀ ୧୮।୦୯; ମୋଦକ ହେଉଛି ଗଜାନନଙ୍କ ପ୍ରିୟ ଭୋଗ… କିନ୍ତୁ ଗଣପତିଙ୍କ ପୂଜା କଥା କହିଲେ ଆଉ ଏକ ଜିନିଷର ରହିଛି ବିଶେଷ ମହତ୍ତ୍ୱ।ସେହି ଜିନିଷଟି ହେଉଛି-ଦୁବ ଘାସ। ସାଧାରଣ ଦେଖାଯାଉଥିବା ଏହି ଦୁବ ବିନା ଗଣେଶ ପୂଜା ଯେମିତି ଅଧୁରା। କିନ୍ତୁ ପ୍ରଶ୍ନ ହେଉଛି… ଗଣପତିଙ୍କୁ କାହିଁକି ଅର୍ପଣ କରାଯାଏ ୨୧ ଦୁବ? କାହିଁକି ଏହି ଘାସକୁ ଗଣେଶଙ୍କ ପୂଜାରେ ଏତେ ପବିତ୍ର ବୋଲି ମନାଯାଏ? ଏହା ପଛରେ ରହିଛି ଏକ ରୋଚକ ପୌରାଣିକ କାହାଣୀ…

ଦୁବ… ଦେଖିବାକୁ ସାଧାରଣ ଘାସଟିଏ। ହେଲେ ଗଣେଶ ଭକ୍ତଙ୍କ ପାଇଁ ଏହାର ମହତ୍ତ୍ୱ ଅସାଧାରଣ। ଧାର୍ମିକ ମାନ୍ୟତା ଅନୁସାରେ ଦୁବକୁ ପବିତ୍ରତା ଓ ଶୁଦ୍ଧତାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଗଣପତିଙ୍କୁ ଦୁବ ଅର୍ପଣ କଲେ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସେ ବୋଲି ରହିଛି ଆସ୍ଥା। ବିଘ୍ନବିନାଶକ ଗଣେଶଙ୍କୁ ଦୁବ ଅର୍ପଣ କରିବା ଦ୍ୱାରା ବାଧାବିଘ୍ନ ଦୂର ହୁଏ ଏବଂ ଶୁଭ କାର୍ଯ୍ୟ ସଫଳ ହୁଏ ବୋଲି ମଧ୍ୟ ଭକ୍ତମାନଙ୍କ ବିଶ୍ୱାସ।

ହେଲେ ଏହି ଦୁବ ସହ ଗଣେଶଙ୍କ ସମ୍ପର୍କ କେମିତି ଯୋଡ଼ିଲା? ଏହା ପଛରେ ରହିଛି ଅନଳାସୁରର କାହାଣୀ। ପୌରାଣିକ କଥା ଅନୁସାରେ, ପ୍ରାଚୀନ କାଳରେ ଅନଳାସୁର ନାମକ ଜଣେ ଭୟଙ୍କର ରାକ୍ଷସ ଥିଲା । ତା’ର ଅତ୍ୟାଚାରରେ ମୁନିଋଷି, ଦେବତା ଓ ସାଧାରଣ ମଣିଷ ସମସ୍ତେ ଅତିଷ୍ଠ ହୋଇପଡ଼ିଥିଲେ । ଏହି ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଶିବଙ୍କ ପରାମର୍ଶରେ ସମସ୍ତେ ଗଣେଶଙ୍କ ନିକଟରେ ପହଞ୍ଚି ରାକ୍ଷସର ବିନାଶ ପାଇଁ ପ୍ରାର୍ଥନା କଲେ । ଦେବତାଙ୍କ ପ୍ରାର୍ଥନା ଗ୍ରହଣ କରି ଗଣପତି ଅନଳାସୁରକୁ ଗିଳି ଦେଇଥିଲେ। ଏହା ପରେ ଗଣେଶଙ୍କ ପେଟରେ ଭୟଙ୍କର ଯନ୍ତ୍ରଣା ହେଉଥିଲା ।

ଏଥିରୁ ମୁକ୍ତି ପାଇଁ ଅନେକ ଉପାୟ କରାଗଲା । ଶେଷରେ ଦୁବ ବାହାରିଥିଲା ସମାଧାନ । କାଶ୍ୟପ ଋଷି ଗଣେଶଙ୍କୁ ୨୧ଟି ଦୁବ ଘାସ ଖାଇବାକୁ ପରାମର୍ଶ ଦେଇଥିଲେ । ଦୁବ ଖାଇବା ପରେ ତାଙ୍କ ପେଟର ଯନ୍ତ୍ରଣା ଦୂର ହୋଇଥିଲା ବୋଲି ପୌରାଣିକ ବିଶ୍ୱାସ ରହିଛି । ସେହିଦିନଠାରୁ ଗଣପତିଙ୍କ ପୂଜାରେ ଦୁବର ମହତ୍ତ୍ୱ ଆହୁରି ବଢ଼ିଥିବା ବିଶ୍ୱାସ କରାଯାଏ । ତେଣୁ ଦୁବ କେବଳ ଏକ ଘାସ ନୁହେଁ, ଗଣେଶ ଭକ୍ତଙ୍କ ପାଇଁ ଏହା ଭକ୍ତି, ଶ୍ରଦ୍ଧା ଓ ଆସ୍ଥାର ଏକ ପବିତ୍ର ପ୍ରତୀକ ।