ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ହାଠାତ୍ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜନୈତିକ ଏବଂ ପ୍ରଶାସନିକ କରିଡରରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ବୟାନବାଜି ମଧ୍ୟ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ନେତା ବିଜୟ ପଟ୍ଟନାୟକ। ସିଇଓଙ୍କ ଇସ୍ତଫା ପଛରେ କୌଣସି ରାଜନୈତିକ ଚାପ ନଥାଇ ବରଂ ଏହା ଏକ ବ୍ୟକ୍ତିଗତ କାରଣ ହୋଇପାରେ ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ବତନ ଆଇଏଏସ୍ ଅଧିକାରୀ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ କୌଣସି ଦଳ କିମ୍ବା ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଚାପ ରହି ନଥାଏ। ସେମାନେ ସିଧାସଳଖ ଭାରତୀୟ ନିର୍ବାଚନ କମିଶନ (ECI) ଅଧୀନରେ କାର୍ଯ୍ୟ କରିଥାଆନ୍ତି। ତେଣୁ ସେ କେଉଁ ପରିସ୍ଥିତିରେ ଇସ୍ତଫା ଦେଇଛନ୍ତି, ତାହା କେବଳ ସେ କିମ୍ବା ନିର୍ବାଚନ କମିଶନ ହିଁ ସଠିକ୍ ଭାବେ କହିପାରିବେ। ଓଡ଼ିଶାରେ ଏସଆଇଆର୍ (SIR) କିମ୍ବା ଏଭଳି କୌଣସି ପ୍ରସଙ୍ଗରେ ସରକାରୀ ସ୍ତରରୁ କୌଣସି ଚାପ ନଥିବା ସେ ମତ ଦେଇଛନ୍ତି।

Also  Read: ବିଜେପିକୁ ହଟେଇବା ପାଇଁ କଂଗ୍ରେସରେ ଯୋଗ ଦେବେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା! ଜାଣନ୍ତୁ କହିଲେ କ’ଣ?

ଇସିଆଇର ଆଭ୍ୟନ୍ତରୀଣ ବିବାଦ ଏବଂ ଭୋଟର ତାଲିକା କାଣ୍ଡ

ବର୍ତ୍ତମାନ ଜାତୀୟ ସ୍ତରରେ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀକୁ ନେଇ ଦେଖାଯାଇଥିବା ବିବାଦ ଉପରେ ମଧ୍ୟ ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। କମିଶନଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀ ଏବଂ କମିଶନରମାନଙ୍କ ମଧ୍ୟରେ ମତାନ୍ତର ନେଇ ହେଉଥିବା ଚର୍ଚ୍ଚା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ବିଶେଷ କରି ଦେଶବ୍ୟାପୀ କୋଟି କୋଟି ଭୋଟରଙ୍କ ନାଁ କଟିବା ଏବଂ ପରେ ଅପିଲ୍ କରିବା ପରେ ପୁଣି ସାମିଲ ହେବା ପ୍ରକ୍ରିୟା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

ଲୋକଙ୍କର ମୌଳିକ ମତାଧିକାରକୁ ଏଭଳି ଭାବେ କ୍ଷୁଣ୍ଣ କରିବା କିମ୍ବା ଭୋଟର ତାଲିକାରୁ ବାଦ୍ ଦେବା ଘଟଣାକୁ ସେ ଶୋଚନୀୟ ବୋଲି କହିଛନ୍ତି। ଓଡ଼ିଶାରେ SIR ମାଧ୍ୟମରେ କେତେ ଲୋକଙ୍କ ନାଁ କଟିଛି ଏବଂ କେତେଜଣ ଅପିଲ୍ କରିଛନ୍ତି, ସେନେଇ ଏକ ସ୍ୱଚ୍ଛ ସମୀକ୍ଷା ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି।