ଭୁବନେଶ୍ଵର: ଦିଲ୍ଲୀ ଗସ୍ତରେ ମୋହନ ମନମୋହନ | ରାଜ୍ୟରେ ବିଧାନସଭା ପରେ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଢିଲା ଚର୍ଚ୍ଚା | ଦୁଇ ମାସ ପରେ ଦୁଇ ବର୍ଷ ପୂର୍ତ୍ତି କରିବାକୁ ଯାଉଥିବା ମୋହନ ସରକାର ନେଇପାରନ୍ତି ବଡ଼ ପଦକ୍ଷେପ | ମନ୍ତ୍ରିମଣ୍ଡଳରେ ୬ ମନ୍ତ୍ରୀପଦ ଖାଲି ପଡିଛି । ମନ୍ତ୍ରୀପଦ ପୂରଣ ପାଇଁ ଦିଲ୍ଲୀରେ ମାନସ ମନ୍ଥନ ଚାଲିଥିବା ଚର୍ଚ୍ଚା ଜୋରଧରିଛି । ଏହାସହ ନିଗମ ପଦ ପୂରଣ ନେଇ ବି ବଡ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ |

ନେତୃତ୍ୱଙ୍କ ପାଖରେ ରାଜ୍ୟ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ

ଦୁଇ ମାସ ପରେ ଦୁଇ ବର୍ଷ ପୂରଣ କରିବେ ମୋହନ ମାଝୀ ସରକାର | ହେଲେ ଏହି ଦୁଇ ମାସ ମଧ୍ୟରେ ସରକାରର ବଡ ନିଷ୍ପତ୍ତି ନେବାକୁ ଅଣ୍ଟା ଭିଡ଼ିଛନ୍ତି | ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ସହ ବୋର୍ଡ ନିଗମ ପଦବୀ ପୂରଣ ନେଇ ଦିନପରେ ଦିନ ଗଡୁଥିବାରୁ ଏହି ପ୍ରକ୍ରିୟାକୁ ଦୁଇ ମାସ ମଧ୍ୟରେ ଶେଷ କରିବାପାଇଁ କେନ୍ଦ୍ରରୁ ନିର୍ଦେଶ ଆସିଛି | କୁହାଯାଉଛି ଦିଲ୍ଲୀ ନେତୃତ୍ୱଙ୍କ ପାଖରେ ଏବେ ରାଜ୍ୟ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ | ଏହି ରିପୋର୍ଟ କାର୍ଡ ଅନୁଯାୟୀ ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ | ଚର୍ଚ୍ଚା ଅନୁଯାୟୀ ଏକାଧିକ ବିଭାଗ ଥିବା ମନ୍ତ୍ରୀମାନଙ୍କଠାରୁ କିଛି ବିଭାଗ କାଢି ନୂଆ ମନ୍ତ୍ରୀମାନଙ୍କୁ ହସ୍ତାନ୍ତର କରାଯିବ | ଅତି ଆବଶ୍ୟକ ପଡିଲେ ମନ୍ତ୍ରୀମଣ୍ଡଳରେ କିଛି ଅଦଳ ବଦଳ ମଧ୍ୟ କରାଯାଇପାରେ |

Also Read: କଟକରେ ବିଜେଡି ବିବାଦ ପ୍ରସଙ୍ଗ, ଦଳ ଛାଡିବେନାହିଁ ଅସନ୍ତୁଷ୍ଟ କର୍ପୋରେଟର

ରହି ପାରିବେ ୨୨ ମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଥିବାରୁ ଏଭଳି ଆଲୋଚନା ଜୋର ଧରିଛି | ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବାସହ କିଛି କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ଦଳୀୟ ନେତୃତ୍ୱଙ୍କ ସହିତ ଆଲୋଚନା କରିବେ ମୋହନ ଓ ମନମୋହନ | ତେବେ ସୂଚନା ଅନୁଯାଇ, ବିଧାନସଭା ଅଧିବେଶନ ଶେଷ ହେବା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ଦିଲ୍ଲୀରେ ପ୍ରସ୍ତୁତ ହେଉଛି ଯୋଜନା ।

ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟା ଆଧାରରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରିମଣ୍ଡଳରେ ରହିପାରିବେ | ହେଲେ ମୋହନଙ୍କ ମନ୍ତ୍ରିମଣ୍ଡଳରେ ଅଛନ୍ତି ୧୬ ଜଣ ମନ୍ତ୍ରୀ | ଆଉ ବାକିଥିବା ୬ ଟି ମନ୍ତ୍ରୀ ପଦ ପୂରଣ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି | ତେବେ ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦକୁ ବିଧାନସଭା ଅଧିବେଶନ ସରିବା ପରେ ପରେ ପୂରଣ କରାଯିବ | ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ କିଛି କ୍ରାଇଟେରିଆ ରଖାଯାଇଛି ।

Also Read: ଜପତି ନିର୍ବାଚନମଣ୍ଡଳୀରେ ବଢ଼ିଲା ବିଜେଡିର ଶକ୍ତି, ଦଳରେ ମିଶିଲେ ବହୁ ବିଜେପି କର୍ମୀ

୧ରେ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ଆଧାରରେ ହୋଇପାରେ ସମ୍ପ୍ରସାରଣ

୨ରେ କିଛି ଜିଲାରୁ ଦୁଇଜଣ ମନ୍ତ୍ରୀପଦ ପାଇଥିବାବେଳେ୧୫ ଜିଲ୍ଲା ମନ୍ତ୍ରୀପଦରୁ ବଞ୍ଚିତ ରହିଛି

୩ରେ ପ୍ରତି ସଂସଦୀୟ କ୍ଷେତ୍ରରୁ ଜଣଙ୍କୁ ବଛାଯାଇ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇପାରେ

୪ ରେ ଜଣେ ମହିଳା ମନ୍ତ୍ରୀମଣ୍ଡଳରେ ଥିବାରୁ ଆଉକିଛି ମହିଳା ବିଧାୟିକା ଅଗ୍ରାଧିକାର ଭିତିରେ ସାମିଲ ହୋଇପାରନ୍ତି

୫ ରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ବିଭିନ୍ନ ବର୍ଗ ଯେମିତିକି ଯୁବ ଏବଂ ଅଭିଜ୍ଞଙ୍କ ଟିମ କରିପାରନ୍ତି ମୁଖ୍ୟମନ୍ତ୍ରୀ

ନୂଆପଡା ଏବଂ ରାଜ୍ୟସଭା ଆସନ ବିଜୟ ପରେ ଉତ୍ସାହିତ ଅଛି ଶାସକ ଦଳ | ଆଗାମୀ ୨୦୨୭ ରେ ପଂଚାୟତ ଓ ପୌର ନିର୍ବାଚନ ହେବାକୁ ଯାଉଛି | ଏହା ପୂର୍ବରୁ ଦଳର ସବୁ ବର୍ଗ ଏବଂ ସବୁ କ୍ଷେତ୍ରକୁ ସନ୍ତୁଷ୍ଟ ଏବଂ ସଂଗଠିତ କରି ନିର୍ବାଚନ ବୈତରଣୀକୁ ଓହ୍ଲାଇବାକୁ ଯୋଜନା କରୁଛି ବିଜେପି।.