ଭୁବନେଶ୍ଵର: ସରିଲା ରାଜ୍ୟ କାର୍ଯ୍ୟକାରିଣୀ | ଦିଲ୍ଲୀ ଗଲେ ଶୀର୍ଷ ନେତୃତ୍ୱ, ଗାଁକୁ ବାହାରିଲେ ନେତା | ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେଲା ରାଜ୍ୟ ବିଜେପିର ତିନି ମାସିଆ ରୋଡ଼ ମ୍ୟାପ | ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁକୁ ଫୋକସ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ରୀୟ ନେତୃତ୍ୱ | ପଂଚାୟତ ପୌର ନିର୍ବାଚନକୁ ମାସ କେଇଟା ବାକି ଥିବାବେଳେ ଏବେଠାରୁ ଗାଁ ମୁହାଁ ହେଲେଣି ବିଜେପି ନେତା | ଆଗାମୀ ପଂଚାୟତ, ନଗରପାଳିକା ଓ ସମବାୟ ନିର୍ବାଚନରେ ଲୋକଙ୍କ ସହ ଛିଡା ହେବା ସହିତ କଠିନ ପରିଶ୍ରମ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କଠାରୁ ପରାମର୍ଶ ପାଇଥିଲେ କାର୍ଯ୍ୟକର୍ତ୍ତା |

ସଂଗଠନ ସହ ସମନ୍ୱୟକୁ ଗୁରୁତ୍ବ, ପ୍ରତି ଗାଁ ଏବଂ ପ୍ରତି ଘରକୁ ଛୁଇଁବା, ମାସିକିଆ ସେବା ସପ୍ତାହ କାର୍ଯ୍ୟକ୍ରମକୁ ସଫଳ କରିବା, ଲୋକଙ୍କ ସମସ୍ୟା ସମାଧାନ, ପାଣି, ରାସ୍ତା ପହଞ୍ଚିଛି ନା ନାହିଁ ବ୍ୟବସ୍ଥା କରିବା, କେନ୍ଦ୍ରୀୟ ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କର ଏବଂ କାର୍ଯ୍ୟକର୍ତ୍ତାଙ୍କ ସଙ୍ଗରେ ରୁହ ଏବଂ ସେମାନଙ୍କର ଆଶା ପୂରଣ କର କେନ୍ଦ୍ରୀୟ ନେତୃତ୍ୱଙ୍କ ଏହି ଟାସ୍କକୁ ପୂରଣ କରିବାକୁ ଗାଁ ମୁହାଁ ହୋଇଛନ୍ତି ନେତା | ୨୦୨୪ ନିର୍ବାଚନ ପୂର୍ବରୁ ଯେମିତି ଲୋକଙ୍କ ସହିତ ରହି ସରକାରକୁ ଆଣିବାରେ ସଫଳ ହୋଇଥିଲେ ସେହିଭଳି ଲୋକଙ୍କ ସମସ୍ୟା ସମଧାନ କରି ପୌର ପଂଚାୟତକୁ ଅକ୍ତିଆର କରିବା ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷରେ ବିଜେପିର ନେତା।

Also Read: ରାଜ୍ୟ କାର୍ଯ୍ୟକାରିଣୀ ପରେ ଦିଲ୍ଲୀ ଗଲେ ମନମୋହନ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ହୋଇପାରେ ଆଲୋଚନା

ଗୋଟିଏ ପଟେ ନେତା ଗାଁ ମୁହାଁ ହୋଇଥିବାବେଳେ ଦିଲ୍ଲୀ ଅଭିମୁଖେ ରାଜ୍ୟର ଶୀର୍ଷ ନେତୃତ୍ୱ | କାର୍ଯ୍ୟକାରିଣୀ ପରେ ପରେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବା ସହିତ ବିଜେପି ରାଜ୍ୟ ସଭାପତି ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି | ମନମୋହନଙ୍କ ଦିଲ୍ଲୀ ଗସ୍ତକୁ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି | ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକର ନିର୍ଯ୍ୟାସ, ରାଜନୈତିକ ପ୍ରସ୍ତାବ ତଥା ତୃଣମୂଳ ସ୍ତରରୁ ଆସିଥିବା ତଥ୍ୟକୁ ସେ ରାଷ୍ଟ୍ରୀୟ ସଭାପତି ଏବଂ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିକଟରେ ଉପସ୍ଥାପନ କରିପାରନ୍ତି |

ଏହାସହ ବିଭିନ୍ନ ନିଗମ ଏବଂ ବୋର୍ଡ ନିଯୁକ୍ତି ସମ୍ପର୍କରେ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଆଲୋଚନା ହୋଇପାରେ | ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କେନ୍ଦ୍ରୀୟ ନେତୃତ୍ୱ କିଛି ପରାମର୍ଶ ଦେଇପାରନ୍ତି | ରାଜ୍ୟରେ ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ପ୍ରସ୍ତୁତି ଏବଂ ରୋଡମ୍ୟାପ୍ ପ୍ରସ୍ତୁତ କରିବା ନେଇ ଆଲୋଚନା କରିପାରନ୍ତି | କାର୍ଯ୍ୟକାରିଣୀ ବୈଠକ ଶେଷ ହେବା କ୍ଷଣି ରାଜ୍ୟ ସଭାପତିଙ୍କ ଏହି ଦିଲ୍ଲୀ ଦୌଡ଼ ସୂଚାଉଛି ଯେ, ଆଗାମୀ ଦିନରେ ଦଳ ଭିତରେ କିଛି ନୂତନ ସାଙ୍ଗଠନିକ ନିଷ୍ପତ୍ତି କିମ୍ବା ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Also Read: ସରକାର ରିପିଟ୍ ପାଇଁ ସାଂସଦ-ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ବିଏଲ ସନ୍ତୋଷ, ଜିଡିପିକୁ ନେଇ ବିରୋଧୀଙ୍କୁ କଲେ ଟାର୍ଗେଟ୍

ଓଡ଼ିଶାରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଭାରତୀୟ ଜନତା ପାର୍ଟି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ | ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ନିଜ ବଳରେ ସରକାର ଗଠନ କରିଥିବା ବେଳେ, ଏହି ତୃଣମୂଳ ସ୍ତରର ନିର୍ବାଚନ ଦଳ ପାଇଁ ଏକ ବଡ଼ ଅଗ୍ନିପରୀକ୍ଷା ସଦୃଶ ହେବ | ନିର୍ବାଚନୀ ମୈଦାନକୁ ଓଲ୍ହାଇବା ପୂର୍ବରୁ ଦଳର ସାଙ୍ଗଠନିକ ପୁନରବିନ୍ୟାସ ସହିତ ସରକାର କ୍ଷେତ୍ରରେ ଥିବା ଅଧୁରା କାମକୁ ପୁରା କରିବାକୁ ଯୋଜନା ପ୍ରସ୍ତୁତ କରୁଛି ଦଳ।