କଟକ: ଆମେ ଏଠାରେ କାହିଁକି ଅଛୁ ? ଆମେ ଏଠାରେ କଣ କରୁଛୁ ? ଆମେ ଅନ୍ୟମାନଙ୍କଠାରୁ କେତେ ଭିନ୍ନ ? ଏଭଳି କିଛି କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ପ୍ରଶ୍ନ କରି ଆତ୍ମସମୀକ୍ଷା କରିବାକୁ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ | ଅନେକ ଦିନ ପରେ ରାଜ୍ୟରେ ଦଳ କ୍ଷମତାକୁ ଆସିଛି, ଆଗାମୀ ଦିନରେ ସରକାର ଯେମିତି ରିପିଟ କରିବ ଏବଂ ଲମ୍ବା ସମୟ ଧରି ରାଜ୍ୟରେ ବିଜେପି ସରକାର କରିବ ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି ବି ଏଲ ସନ୍ତୋଷ |

ସେ କହିଛନ୍ତି, ଯେଉଁଠି ବିଜେପି ସରକାର ଅଛି ସେଠି ଅନେକ ବର୍ଷ ପର୍ଯ୍ୟନ୍ତ ରିପିଟ ହୋଇଛି, ମନରେ ଅହଙ୍କାର ଆଣ ନାହିଁ, ଆମେ ସାଧାରଣ ଲୋକଙ୍କୁ ସେବା ଭାବନା ରଖି କାମ କରିବା | ଆଜି ରାଜ୍ୟ କାର୍ଯ୍ୟକାରିଣୀର ଦ୍ଵିତୀୟ ଦିବସରେ ନିଜ ଉଦବୋଧନରେ ଏମିତି କିଛି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ |

Also Read: ୩ ଥର ତାରିଖ ଘୁଞ୍ଚିବା ପରେ ସରକାରଙ୍କୁ ଘେରିଲେ ବିରୋଧି, କହିଲେ- ଆମେ ପ୍ରସ୍ତୁତ, ତୁରନ୍ତ କରାନ୍ତୁ ନିର୍ବାଚନ

ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ହେଲେ ମଧ୍ୟ ପ୍ରଥମ କାମ ସେବା ସମାଜର ତଳସ୍ତରରେ ରହୁଥିବା ଲୋକଙ୍କୁ ସାହାଯ୍ୟ କର | ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ବି ଏଲ ସନ୍ତୋଷ | ରାଜ୍ୟର କିଛି ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀର ଉଦାହରଣ ଦେଇ ସେଥିରେ ସୁଧାର ଆଣିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ବି ଏଲ ସନ୍ତୋଷ |

ଆଗାମୀ ନିର୍ବାଚନଗୁଡ଼ିକୁ ଆଖିଆଗରେ ରଖି ବି ଏଲ ସନ୍ତୋଷ ଗୁରୁତ୍ୱାରୋପ କରିଛନ୍ତି | "Planning in Advance & Planning in Detail" ବା ପୂର୍ବରୁ ଯୋଜନା ଏବଂ ସୂକ୍ଷ୍ମ ଅନୁଧ୍ୟାନ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି | ସେ କହିଛନ୍ତି ଯେ, ନିର୍ବାଚନୀ ସଫଳତା ପାଇଁ ଆଜିଠାରୁ ସମ୍ପୂର୍ଣ୍ଣ ସୂକ୍ଷ୍ମ, ନିଖୁଣ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ

କଟକ ଇଣ୍ଡୋର ହଲରେ ଚାଲିଥିବା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ଵିତୀୟ ଦିନରେ ବିଜେପି କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ସହ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି | ଆଗାମୀ ରାଜନୀତିକ କାର୍ଯ୍ୟକ୍ରମ ଏବଂ ରୋଡ଼ ମ୍ୟାପକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି | କେନ୍ଦ୍ରରେ କଂଗ୍ରେସ ଏବଂ ବିଜେଡି ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି | ବିରୋଧୀ ଦଳ ଆଚରଣକୁ କାର୍ଯ୍ୟକାରିଣୀରେ ନିନ୍ଦା ହୋଇଛି |

Also Read: BJP କାର୍ଯ୍ୟକର୍ତ୍ତାଙ୍କୁ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର : ଅସନ୍ତୋଷ ବଢ଼ିବା ଆଗରୁ ଲୋକଙ୍କ ପାଖକୁ ଯାଅ

ଜିଡିପି ୭.୮ ପ୍ରତିଶତ ଥିଲା ବେଳେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳ ମନ ଗଢ଼ା କାହାଣୀ କରି ୨.୬ ପ୍ରତିଶତ ଦେଖାଇଲେ | ପୂର୍ଣ୍ଣାଙ୍ଗ ବନ୍ଦେ ମାତରମକୁ ବିରୋଧ, ମହିଳା ଆରକ୍ଷଣ ବିଲକୁ ବିରୋଧ, ଦିମାଗୀ ନକ୍ସଲ ଶବ୍ଦକୁ ନେଇ କଂଗ୍ରେସ ଯେଉଁ ପ୍ରଚାର କରିଛି ସେ ବାବଦରେ ନିନ୍ଦା ପ୍ରସ୍ତାବ ଆସିଛି | ଏମଏମଡିଆର ସଂଶୋଧନକୁ ନେଇ ବିଜେଡି ଯେଉଁ ଅପପ୍ରଚାର କରୁଛି ସେନେଇ ବି ଆଲୋଚନା ହେବା ସହ ନିନ୍ଦା ପ୍ରସ୍ତାବ ଆସିଛି | ଏଫସିଆରଆଇ ଚର୍ଚ୍ଚାରେ ଯିଏ ବାଧା ଦେଲା ସେ ବାବଦରେ ବି ନିନ୍ଦା ପ୍ରସ୍ତାବ ଆସିଛି | ଏହା ସହ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ପାରିତ କରାଯାଇଛି।

ଦୁଇ ଦିନିଆ ରାଜ୍ୟ ବିଜେପିର କାର୍ଯ୍ୟକାରୀଣୀରେ ପଂଚାୟତ, ପୌର ନିର୍ବାଚନ ସହିତ ସମବାୟ ନିର୍ବାଚନକୁ ଗୁରୁତ୍ୱ ଦିଆଯାଇଛି | ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ | ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରୁ ଏକମାସ ବ୍ୟାପି ଚାଲିବାକୁ ଥିବା ସେବା ସଂକଳ୍ପ ଅଭିଯାନକୁ ତଳସ୍ତର ପର୍ଯ୍ୟନ୍ତ ନେବାକୁ ପ୍ରସ୍ତାବ ପାରିତ ହୋଇଛି।