ଭୁବନେଶ୍ଵର: ନିଜ ଅଞ୍ଚଳରେ  ଠିକରେ କାମ ହେଉ ନ ଥିବା ନେଇ ଖପ୍ପା  ତିନି ସାଂସଦ। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିଜ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ନେଇ ସରକାରଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ମାମଲାର ତଦନ୍ତ କରାଯାଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ତିନି ସାଂସଦ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ବଲାଙ୍ଗୀର ସାଂସଦ

ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ୬୮୦ କୋଟି ଟଙ୍କାର ସମ୍ବଲପୁର-ସୋନପୁର ରାସ୍ତା ପ୍ରକଳ୍ପର କାର୍ଯ୍ୟକାରୀ ସଂସ୍ଥା ବଦଳାଇବାକୁ ଦାବି କରିଛନ୍ତି। ରାସ୍ତା ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ କାମରେ ମାଟି ଉପରେ ଆଖିଦୃଶିଆ ଅଗ୍ରଗତି ନଥିବା ଏବଂ ସମୟସୀମା ମଧ୍ୟରେ କାମ ଶେଷ କରିବା ନେଇ କାର୍ଯ୍ୟକାରୀ ସଂସ୍ଥାର ଆବଶ୍ୟକ ପ୍ରତିବଦ୍ଧତା ଦେଖାଯାଉନଥିବା ସେ ଦର୍ଶାଇଛନ୍ତି। ଭଲ ତଦାରଖ ପାଇଁ କାମକୁ ସୋନପୁର ଆରଆଣ୍ଡବି ଡିଭିଜନକୁ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି।

Also Read: ଦାରା ସିଂଙ୍କ ଆଗୁଆ ଜେଲ୍ ମୁକ୍ତି ଆଶା କ୍ଷୀଣ, ମଞ୍ଜୁରୀ ଦେଲାନି SSRB, ଗୃହ ବିଭାଗକୁ କରାଗଲା ଅବଗତ

ନବରଙ୍ଗପୁର ସାଂସଦ

ସେହିପରି ନବରଙ୍ଗପୁର ବାଇପାସ୍ ନିର୍ମାଣରେ ଅତ୍ୟଧିକ ବିଳମ୍ବକୁ ନେଇ ସାଂସଦ ବଳଭଦ୍ର ମାଝୀ କଡ଼ା ଆପତ୍ତି ଉଠାଇଛନ୍ତି। ୨୦୨୪ ଡିସେମ୍ବରରେ କାମ ଆରମ୍ଭ ପାଇଁ ଠିକା ଦିଆଯାଇଥିବା ବେଳେ ୨୪ ମାସ ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଥିଲା। କିନ୍ତୁ ୨୧ ମାସ ବିତିଥିଲେ ମଧ୍ୟ ଭୌତିକ ଅଗ୍ରଗତି ମାତ୍ର ପ୍ରାୟ ୧୦ ପ୍ରତିଶତ ବୋଲି ସେ ଦର୍ଶାଇଛନ୍ତି। ବିଳମ୍ବର କାରଣ ନେଇ ସରକାରୀ ତଦନ୍ତ ସହ ଦାୟୀ ସଂସ୍ଥା କିମ୍ବା ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ବ୍ରହ୍ମପୁର ସାଂସଦ

ଅନ୍ୟପକ୍ଷରେ, ବ୍ରହ୍ମପୁର ଗେଟ୍ ବଜାର ଫ୍ଲାଏଓଭର୍ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ ପ୍ରଦୀପ ପାଣିଗ୍ରାହୀ। ସ୍ଥାନୀୟ ବାସିନ୍ଦା, ଯାତାୟାତକାରୀ ଓ ବିଭିନ୍ନ ସଂଗଠନରୁ ଅଭିଯୋଗ ମିଳିଥିବା ଦର୍ଶାଇ ସେ ଫ୍ଲାଏଓଭର୍ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଏଥିସହ କାମରେ ବିଳମ୍ବ ଯୋଗୁଁ ଟ୍ରାଫିକ୍ ସମସ୍ୟା, ଧୂଳି ପ୍ରଦୂଷଣ ଓ ବ୍ୟବସାୟୀଙ୍କ କ୍ଷତି ହେଉଥିବା ସେ କହିଛନ୍ତି।

Also Read: ଓରାଙ୍ଗଉଟାନକୁ ଇଣ୍ଡୋନେସିଆକୁ ହସ୍ତାନ୍ତର କରିବାକୁ ପଡ଼ିବ ନାହିଁ: ଶୁଭେନ୍ଦୁ ମଲ୍ଲିକ୍

ଫ୍ଲାଏଓଭର୍ର ନିର୍ମାଣ ସାମଗ୍ରୀ, ଷ୍ଟ୍ରକଚରାଲ୍ ଡିଜାଇନ୍ ଓ ସୁରକ୍ଷା ମାନ ଯାଞ୍ଚ ପାଇଁ ସ୍ୱାଧୀନ ବୈଷୟିକ ଅଡିଟ୍ କରିବାକୁ ପାଣିଗ୍ରାହୀ ଦାବି କରିଛନ୍ତି। ଏଥିସହ କାମ ଶେଷ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ଏବଂ ଠିକାଦାର ଓ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ପାଇଁ ସେ ଦାବି କରିଛନ୍ତି।

ଉଚ୍ଚ ମାନର କାମ ଦରକାର

ତିନି ସାଂସଦଙ୍କ ଅଭିଯୋଗରୁ ଗୋଟିଏ କଥା ସ୍ପଷ୍ଟ କେବଳ ପ୍ରକଳ୍ପ ଘୋଷଣା କିମ୍ବା ଶିଳାନ୍ୟାସ ନୁହେଁ, ସମୟସୀମା ମଧ୍ୟରେ ଉଚ୍ଚମାନର କାମ ଶେଷ କରିବା ଉପରେ ଏବେ ଜୋର ଦେଉଛନ୍ତି ଶାସକ ଦଳର ସାଂସଦମାନେ। ତେବେ, ଉପଲବ୍ଧ ଦସ୍ତାବିଜଗୁଡ଼ିକରେ ନିର୍ମାଣ ମାନ ଖରାପ ବୋଲି କୌଣସି ବୈଷୟିକ ଯାଞ୍ଚ ରିପୋର୍ଟ ନାହିଁ। ବିଶେଷକରି ଗେଟ୍ ବଜାର ଫ୍ଲାଏଓଭର୍ କ୍ଷେତ୍ରରେ ଏହା ସାଂସଦଙ୍କ ନିକଟକୁ ଆସିଥିବା ଅଭିଯୋଗ ଆଧାରରେ ଉଠାଯାଇଥିବା ଆଶଙ୍କା। ଏହି ଅଭିଯୋଗର ସତ୍ୟତା ଜାଣିବା ପାଇଁ ହିଁ ସ୍ୱାଧୀନ ବୈଷୟିକ ଅଡିଟ୍ ଦାବି ହୋଇଛି।