ମୁମ୍ବାଇ: ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇ ପକ୍ଷରୁ ମାମଲା ରୁଜୁ ହେବା ପରେ ଏବେ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଏହି ସମ୍ବେଦନଶୀଳ ଘଟଣାରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବମ୍ବେ ହାଇକୋର୍ଟଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ବିରୋଧରେ ପ୍ରତ୍ୟକ୍ଷ ଅଭିଯୋଗ ପ୍ରମାଣିତ ହୋଇନାହିଁ, ସେ ପର୍ଯ୍ୟନ୍ତ ତାଙ୍କୁ ଅଭିଯୁକ୍ତ କୁହାଯାଇପାରିବ ନାହିଁ କିମ୍ବା ଏଫଆଇଆରରେ ତାଙ୍କ ନାମ ଯୋଡ଼ା ଯାଇପାରିବ ନାହିଁ। ବର୍ତ୍ତମାନ ସିବିଆଇ ଯେଉଁ ଏଫଆଇଆର ରୁଜୁ କରିଛି, ତାହା ସମ୍ପୂର୍ଣ୍ଣ ଭାବେ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ କରାଯାଇଛି।

ଏହାସହ ଶାସକ ଦଳକୁ ସିଧାସଳଖ ଟାର୍ଗେଟ କରି ସଞ୍ଜୟ ରାଉତ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ମହାରାଷ୍ଟ୍ର ଗସ୍ତରେ ଆସି ସ୍ଥାନୀୟ ନେତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ପରେ ହିଁ ଏହି ଏଫଆଇଆର ରୁଜୁ ହୋଇଛି। ଏହା କୌଣସି ନିରପେକ୍ଷ ତଦନ୍ତ ନୁହେଁ, ବରଂ ମହାରାଷ୍ଟ୍ରର ସବୁଠାରୁ ଲୋକପ୍ରିୟ ରାଜନୈତିକ ପରିବାରକୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଏହି ଅନ୍ୟାୟ ବିରୋଧରେ ତାଙ୍କ ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Also Read: ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ: ଅକ୍ଟୋବର ୨ରୁ ନବରଙ୍ଗପୁରରୁ ପଦଯାତ୍ରା, ଓଡ଼ିଶା ଆସିବେ ରାହୁଲ, ପ୍ରିୟଙ୍କା ଓ କର୍ଣ୍ଣାଟକ ସିଏମ୍

କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ହେଉଥିବା ନେଇ ଅଭିଯୋଗ ଆଣି ସେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଚାପ ପକାଇବାର ଏକ କୌଶଳ। ବିଧାୟକ ଆଦିତ୍ୟ ଠାକରେ ଲଗାତାର ଭାବେ ଲୋକଙ୍କ ପ୍ରସଙ୍ଗ ଉଠାଇ ଦେବେନ୍ଦ୍ର ଫଡଣଭିସ ସରକାରଙ୍କ ବିଫଳତାକୁ ପଦାରେ ପକାଉଛନ୍ତି। ସେଥିପାଇଁ ତାଙ୍କୁ ରୋକିବାକୁ ଏବଂ ତାଙ୍କ ନାମକୁ ଏହି ମାମଲାରେ ଟାଣିବାକୁ ସିବିଆଇ ତଦନ୍ତର ବାହାନା କରାଯାଉଛି।

ଶେଷରେ ସେ ଦାବି କରିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନ ପଛରେ ଦୁଇଟି ମୁଖ୍ୟ କାରଣ ଥାଇପାରେ। ପ୍ରଥମଟି ହେଉଛି, ମରାଠା ଆରକ୍ଷଣ ନେତା ମନୋଜ ଜରାଙ୍ଗେଙ୍କ ଆନ୍ଦୋଳନରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା। ଏବଂ ଦ୍ୱିତୀୟଟି ହେଉଛି, ସଂସଦରେ ଆସିବାକୁ ଥିବା ସୀମା ନିର୍ଦ୍ଧାରଣ ବିଲକୁ ସମର୍ଥନ କରିବା ପାଇଁ ଶିବସେନା ଉପରେ ଅନୈତିକ ଚାପ ସୃଷ୍ଟି କରିବା।