ହରାରେ: ଜିମ୍ୱାୱେର କ୍ରିକେଟର ବ୍ରେଣ୍ଡନ ଟେଲର ମଙ୍ଗଳବାର ହରାରେରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଖେଳି ଇତିହାସ ରଚିଛନ୍ତି । ସେ ପୁରୁଷ ଦିନିକିଆ ଇତିହାସରେ ସର୍ବାଧିକ ସମୟ ଯାଏ କ୍ରିକେଟ୍ ଖେଳିଥିବା ଖେଳାଳି ହୋଇଛନ୍ତି । ଭାରତର କିମ୍ୱନ୍ଦନ୍ତୀ କ୍ରିକେଟର ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କୁ ଏହି ମାମଲାରେ ପଛରେ ପକାଇଛନ୍ତି ।

ବ୍ରେଣ୍ଡନ ଟେଲର ୨୨ ବର୍ଷ ୧୪୬ ଦିନିକିଆ କ୍ରିକେଟରେ ଅଛନ୍ତି । ସଚିନ ତେନ୍ଦୁଲକର ୨୨ ବର୍ଷ ୯୧ ଦିନ ଯାଏ ଭାରତକୁ ଦିନିକିଆରେ ପ୍ରତିନିଧିତ୍ୱ କରିଥିଲେ । ୧୯୮୯ରେ ଡେବ୍ୟୁ କରିଥିବା ସଚିନ ନାଁରେ ଏହି ରେକର୍ଡ ଦୀର୍ଘ ବର୍ଷ ଯାଏଁ ଥିଲା । ୱିକେଟକିପର-ବ୍ୟାଟର ବ୍ରେଣ୍ଡନଙ୍କ କ୍ୟାରିୟର ୨୨ ବର୍ଷ ୧୪୮ ଦିନ ଲମ୍ବା ହୋଇଯାଇଛି । ସେ ଏପ୍ରିଲ ୨୦୦୪ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଦିନିକିଆ ଡେବ୍ୟୁ କରିଥିଲେ । ୪୦ ବର୍ଷୀୟ ବ୍ରେଣ୍ଡନ୍ ଏପର୍ଯ୍ୟନ୍ତ ୨୦୮ଟି ଦିନିକିଆ ମ୍ୟାଚରେ ଜିମ୍ବାୱେର ପ୍ରତିନିଧିତ୍ୱ କରି ୬୭୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ୱିକେଟ୍ ପଛରେ ୧୬୦ରୁ ଅଧିକ ଶିକାର କରିଛନ୍ତି । ସେ ଜିମ୍ବାୱେ ଦଳର ଅଧିନାୟକତ୍ୱ ମଧ୍ୟ କରିସାରିଛନ୍ତି ।

ସଚିନଙ୍କ ଦିନିକିଆ କ୍ୟାରିୟର ୨୨ ବର୍ଷ ୯୧ ଦିନ ଥିଲା । ସେ ଡିସେମ୍ବର ୧୯୮୯ରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ । କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ୍ ସେ ୨୦୧୨ ମାର୍ଚ୍ଚ ୧୮ରେ ପାକିସ୍ତାନ ବିପକ୍ଷରେ ହିଁ ଖେଳିଥିଲେ । ଶ୍ରୀଲଙ୍କାର ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟର ସନଥ ଜୟସୂରିୟା ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କର ଦିନିକିଆ କ୍ୟାରିୟର ୨୧ ବର୍ଷ ୧୮୪ ଦିନର ଥିଲା । ଜୟସୂରିୟା ନିଜର ପ୍ରଥମ ମ୍ୟାଚ୍ ଡିସେମ୍ବର, ୧୯୮୯ ଏବଂ ଶେଷ ମ୍ୟାଚ୍ ୨୦୧୧ ଜୁନରେ ଖେଳିଥିଲେ । ପାକିସ୍ତାନର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ ୨୦ ବର୍ଷ ୨୭୨ ଦିନ ପର୍ଯ୍ୟନ୍ତ ଦିନିକିଆରେ ସକ୍ରିୟ ଥିଲେ । ସେ ୧୯୭୫ ଜୁନରୁ ମାର୍ଚ୍ଚ ୧୯୯୬ ପର୍ଯ୍ୟନ୍ତ ଖେଳିଥିଲେ ।

ପୁରୁଷ ଦିନିକିଆ ଇତିହାସରେ ସବୁଠାରୁ ଦୀର୍ଘ କ୍ୟାରିୟର ଥିବା ଶୀର୍ଷ-୫ ଖେଳାଳିଙ୍କ ତାଲିକାରେ ଜିମ୍ବାୱେର ଦୁଇଜଣ ଖେଳାଳି ସାମିଲ ଅଛନ୍ତି । ସୀନ୍ ୱିଲିୟମ୍ସଙ୍କ କ୍ୟାରିୟର ୨୦ ବର୍ଷ ୧୮୭ ଦିନର ଥିଲା । ସେ ୨୦୦୫ ଫେବ୍ରୁଆରୀରେ ଦିନିକିଆ ଡେବ୍ୟୁ କରିଥିଲେ । ସେ ଶେଷଥର ପାଇଁ ୨୦୨୫ ଅଗଷ୍ଟରେ ଜିମ୍ବାୱେ ପକ୍ଷରୁ ଦିନିକିଆ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲେ ।