ଭୁବନେଶ୍ୱର: ରାଜ୍ୟରେ ପନିପରିବା ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ପିସିସି ସଭାପତି ଭକ୍ତ ଦାସ ଦେଇଥିବା ମନ୍ତବ୍ୟର ଜବାବ ଦେଇ ବିଜେପି କହିଛି ଯେ, ବିରୋଧୀ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ହଙ୍ଗାମା କରୁଛନ୍ତି। ବିଜେପି ବିଧାୟକ ଅଶୋକ ମହାନ୍ତି ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବିରୋଧୀ ନେତାଙ୍କ ନିଜ ରୋଷେଇ ଘର ଦରଦାମ ସବୁ ଠିକ୍ ଅଛି, କିନ୍ତୁ କେବଳ ପ୍ରସଙ୍ଗ ବନାଇବା ପାଇଁ ସେମାନେ ଏଭଳି ବୟାନବାଜି କରୁଛନ୍ତି।

ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଯୋଗୁଁ ଫସଲ ଓ ଉତ୍ପାଦନ ବ୍ୟାହତ ହୋଇଛି, ଯାହା ଫଳରେ ବଜାର ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ତେବେ ଏହି ଦରବୃଦ୍ଧି ସାମୟିକ। ମୌସୁମୀ ଋତୁ ଶେଷ ହେବା ସହ ନୂଆ ପନିପରିବା ବଜାରକୁ ଆସିଲେ ଦରଦାମ ପୁଣି ସ୍ୱାଭାବିକ ଓ ସ୍ଥିର ହୋଇଯିବ ବୋଲି ବିଜେପି ବିଧାୟକ ଦାବି କରିଛନ୍ତି।

Also Read: ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ: ଅକ୍ଟୋବର ୨ରୁ ନବରଙ୍ଗପୁରରୁ ପଦଯାତ୍ରା, ଓଡ଼ିଶା ଆସିବେ ରାହୁଲ, ପ୍ରିୟଙ୍କା ଓ କର୍ଣ୍ଣାଟକ ସିଏମ୍

ବିଜେପି ବିଧାୟକ ଅଶୋକ ମହାନ୍ତି ପୂର୍ବତନ ସରକାରଙ୍କୁ ଘେରିବା ସହ କହିଛନ୍ତି ଯେ, ଯଦି ପୂର୍ବ ସରକାର ରାଜ୍ୟରେ ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ ଦେଇଥାନ୍ତେ, ତେବେ ଆଜି ବଜାର ଉପରେ ଏଭଳି ପ୍ରଭାବ ପଡ଼ିନଥାନ୍ତା। ଓଡ଼ିଶାର ବଜାର ଏବେ ବି ଅଣ୍ଡା, ମାଛ ଓ ପନିପରିବା ପାଇଁ ପଡ଼ୋଶୀ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରୁଛି ଏବଂ ଏହି କଥା ବିରୋଧୀ ଭଲ ଭାବେ ଜାଣି ମଧ୍ୟ ନିନ୍ଦା କରୁଛନ୍ତି।

ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ମାଛ, ଅଣ୍ଡା ଓ ପନିପରିବାର ବ୍ୟାପକ ଉତ୍ପାଦନ ନିମନ୍ତେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି। ବିଗତ ଦିନରେ ଯେଉଁ ମୁଦ୍ରାସ୍ଫୀତି ଥିଲା, ବର୍ତ୍ତମାନର ସରକାର ତାହାକୁ ନିୟନ୍ତ୍ରଣ ଓ ସ୍ଥିର ରଖିବାରେ ସଫଳ ହୋଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

କଣ କହିଥିଲେ ଭକ୍ତ ଦାସ

ଦରଦାମ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ପିସିସି ସଭାପତି କହିଛନ୍ତି ଯେ, ପୁଞ୍ଜିପତିଙ୍କ ଚାରିଆଡ଼େ ସରକାର ବୁଲୁଛନ୍ତି। ଯଦି ସରକାର ଯୋଗାଣ ବିଭାଗ ଅଧିକାରୀଙ୍କୁ କହନ୍ତେ, ତେବେ ଆକାଶୁଆଁ କାହିଁକି ହେଉଛି। ତାହା ଅନୁଧ୍ୟାନ କରନ୍ତେ। ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ଅବସ୍ଥା ଖରାପ। ଯାହାକୁ ନେଇ କଂଗ୍ରେସ ଆଗାମୀଦିନରେ ରାଜରାସ୍ତାକୁ ଓହ୍ଲାଇବ। ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ଦୁର୍ବିସହ କରି ଦେଇଛି। ଆମର ଯେତେ ପନିପରିବା ଉତ୍ପାଦନ ହେଉଛି ତାକୁ ରଖିବା ପାଇଁ ଓ୍ଵେର ହାଉସ କରିବାରେ ଏ ସରକାର ବିଫଳ। ଅନ୍ୟ ରାଜ୍ୟରେ ଷ୍ଟୋରେଜ କରିବା ପାଇଁ ୱେର୍ ହାଉସ ଅଛି। କିନ୍ତୁ ଆମ ରାଜ୍ୟରେ ନାହିଁ। ସରକାରର ସିରିଅସ୍ ନାହାନ୍ତି ବୋଲି ଭକ୍ତ କହିଥିଲେ।