ଭୁବନେଶ୍ୱର ୨୬।୧୧ : ବିଧାନସଭା ଶୀତ ଅଧିବେଶନର ଆଜି ଷଷ୍ଠ ଦିନ । ଦିନ ଆରମ୍ଭରୁ ଗୃହରେ ରହିବ ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ପ୍ରଶ୍ନକାଳରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖଣି ଓ ଇସ୍ପାତ ଏବଂ ଯୋଜନା ଓ ସଂଯୋଜନ ବିଭାଗ ସମ୍ପର୍କିତ ପ୍ରଶ୍ନ ଉଠିବ । ବିଭିନ୍ନ ବିଭାଗର କାର୍ଯ୍ୟକଳାପ, ସରକାରୀ ଯୋଜନାର ଅଗ୍ରଗତି ଓ ଲୋକଙ୍କ ସମସ୍ୟାକୁ ନେଇ ବିଧାୟକମାନେ ପ୍ରଶ୍ନ କରିବେ । ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନେ ଏହାର ଉତ୍ତର ରଖିବେ ।

ସେହିପରି ଗୃହରେ ଗତକାଲିଠାରୁ ଆରମ୍ଭ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଉପରେ ଆଲୋଚନା । ଏହି କ୍ରମରେ ଆଜି ଖଣି ଓ ଇସ୍ପାତ ବିଭାଗର ଖର୍ଚ୍ଚ ଦାବି ଉପରେ ହେବ ବିସ୍ତୃତ ଆଲୋଚନା । ରାଜ୍ୟର ଖଣିଜ ସମ୍ପଦ, ଖଣି ରାଜସ୍ୱ, ଶିଳ୍ପ ବିକାଶ ଓ ଇସ୍ପାତ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି । ବିଭାଗ ପାଇଁ ହୋଇଥିବା ବ୍ୟୟବରାଦର ଆବଶ୍ୟକତା, ଏହାର ଉପଯୋଗ ଏବଂ ଆଗାମୀ ଯୋଜନାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତର୍କବିତର୍କ ହୋଇପାରେ ।

Also Read:-ନୟାଗଡ଼ରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ: ଛୁରାମାଡ଼ରେ ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଅନ୍ୟପଟେ ଶୂନ୍ୟକାଳରେ ଆଜି ମଧ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ରହିଛି ଏକାଧିକ ପ୍ରସଙ୍ଗ । ଜନସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀ ସଦସ୍ୟମାନେ ସରକାରଙ୍କ ଠାରୁ ଜବାବ ମାଗିପାରନ୍ତି । ବୁଧବାର ବନ୍ୟା ପରିଚାଳନା ଓ କୋଟିଆ ପ୍ରସଙ୍ଗକୁ ନେଇ ଗୃହରେ ଜୋରଦାର ଆଲୋଚନା ହୋଇଥିଲା । ବନ୍ୟା ମୁକାବିଲାରେ ସରକାରଙ୍କ ପ୍ରସ୍ତୁତି ଓ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ କୋଟିଆ ପ୍ରସଙ୍ଗରେ ମଧ୍ୟ ଓଡ଼ିଶାର ସ୍ୱାର୍ଥ ଓ ସୀମାନ୍ତ ଅଞ୍ଚଳର ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା ।

ଏହି ଦୁଇଟି ପ୍ରସଙ୍ଗରେ ଗୃହରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଆଜି ମଧ୍ୟ ସେହିଭଳି ସରଗରମ ପରିବେଶ ସୃଷ୍ଟି ହେବାର ଆଶା କରାଯାଉଛି । ବିଶେଷକରି ଶୂନ୍ୟକାଳରେ କେଉଁ ପ୍ରସଙ୍ଗକୁ ବିରୋଧୀ ପ୍ରାଥମିକତା ଦେଉଛନ୍ତି ଏବଂ ସରକାର ତାହାର କିଭଳି ଜବାବ ରଖୁଛନ୍ତି, ତାହା ଉପରେ ରହିବ ସମସ୍ତଙ୍କ ନଜର ।