ନୂଆଦିଲ୍ଲୀ: ଦେଶରେ ମୂଲ୍ୟବୃଦ୍ଧି ଏବେ ଚିନ୍ତାଜନକ ସ୍ତରକୁ ଛୁଇଁଛି। ଅକ୍ଟୋବର ମାସ ତୁଳନାରେ ଅଧିକାଂଶ ଦ୍ରବ୍ୟ ଓ ସେବା ମୂଲ୍ୟ ହୁ ହୁ ହୋଇ ବଢିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଏକ ଗବେଷଣା ପତ୍ରରୁ ଏହା ଜଣାପଡିଛି। ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ନେଇ ବୁଧବାର ଜାରି ଗବେଷଣା ପତ୍ର ଅନୁସାରେ ଅକ୍ଟୋବରରେ ୪%ରୁ ଅଧିକ ଓ ୬%ରୁ ଅଧିକ ମୁଦ୍ରାସ୍ଫୀତି ହାର ଥିବା ଜିନିଷ ଗୁଡିକର ସଂଖ୍ୟା ବୃଦ୍ଧି ପାଇଛି। ଏହା ଏକମାସ ପୂର୍ବ ତୁଳନାରେ ମୁଦ୍ରାସ୍ଫୀତି ଚାପର ପରିସର ବୃଦ୍ଧିକୁ ସୂଚିତ କରୁଛି।

ଗବେଷଣାପତ୍ର ଅନୁଯାୟୀ ରେଷ୍ଟୁରାଣ୍ଟ, ଆବାସ ସେବା, ଖାଦ୍ୟ ଓ ପାନୀୟ ବର୍ଗରେ ମୁଦ୍ରାସ୍ଫୀତି ୬%ରୁ ଅଧିକ ବୃଦ୍ଧି ହୋଇଛି। ଏହି ସମୟରେ ପୋଷାକ, ଜୋତା ଓ ପରିବହନ ବର୍ଗରେ ମୁଦ୍ରାସ୍ଫୀତି ୪ରୁ୬% ମଧ୍ୟରେ ରହିଛି। ଅକ୍ଟୋବରର ଖୁଚୁରା ମୁଦ୍ରାସ୍ଫୀତି ବାର୍ଷିକ ଆଧାରରେ ୬.୧%କୁ ବୃଦ୍ଧି ହୋଇଛି, ଯାହା ସେପ୍ଟେମ୍ବରରେ ୫.୫% ପର୍ଯ୍ୟନ୍ତ ଥିଲା। ଗବେଷଣାପତ୍ରରେ କୁହାଯାଇଛି ଯେ ମୂଲ୍ୟ ଚାପ ମୁଖ୍ୟତଃ ଖାଦ୍ୟ ଓ ପାନୀୟ ବର୍ଗରେ ବୃଦ୍ଧି ହୋଇଛି। ପୂର୍ବ ମାସ ତୁଳନାରେ ଅକ୍ଟୋବରରେ ଏହି ବର୍ଗର ୧୨ଉପସମୂହ ମଧ୍ୟରୁ ୧୧ଟିରେ ମୂଲ୍ୟ ବୃଦ୍ଧି ହୋଇଛି।

ନଭେମ୍ବର ୧୯ ପର୍ଯ୍ୟନ୍ତ ହାଇ ଫ୍ରିକ୍ୱେନ୍ସୀ ଡାଟା (ଜିଏସଟି ସଂଗ୍ରହ, ଇ-ୱେବିଲ ଇତ୍ୟାଦି) ଆଧାର କରି ବୁଲେଟିନରେ କୁହାଯାଇଛି ଯେ ଖାଦ୍ୟ ମୂଲ୍ୟ ଉପରେ ବ୍ୟାପକ ଚାପ ଜାରି ରହିଛି। ପନିପରିବା, ଶସ୍ୟ, ଡାଲି, ଖାଦ୍ୟତେଲ ମୂଲ୍ୟ ବୃଦ୍ଧି ଯୋଗୁ ମାସକ ଭିତ୍ତିରେ ମୁଦ୍ରାସ୍ଫୀତି ବୃଦ୍ଧି ହୋଇଛି। ଅକ୍ଟୋବରରେ ୬%ରୁ ଅଧିକ ମୁଦ୍ରାସ୍ଫୀତି ଥିବା ରାଜ୍ୟଙ୍କ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି। ଏହି ସମୟରେ ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଦ୍ରାସ୍ପୀତି ୪ରୁ ୬% ମଧ୍ୟରେ ରହିଛି। ଆରବିଆଇ ବିଶେଷଜ୍ଞମାନେ କହିଛନ୍ତି ଯେ ଘରୋଇ ଅର୍ଥନୀତି ଅଭିବୃଦ୍ଧିକାରକ ଏବଂ ସାମଗ୍ରିକ ସ୍ଥୁଳ ଅର୍ଥନୈତିକ ମୌଳିକ ତତ୍ୱ ଏକ ଉପଯୋଗୀ ସୁରକ୍ଷା ଜାଲ ଭାବେ କାମ କରିଛି।

ଏହାଦ୍ୱାରା ବୈଶ୍ୱିକ ଘଟଣାକ୍ରମରେ ସୃଷ୍ଟି ହୋଇଥିବା ଅସ୍ଥିରତା ସତ୍ତ୍ୱେ ଭାରତୀୟ ଅର୍ଥ ବ୍ୟବସ୍ଥା ଦୃଢ ରହି ପାରିଛି। ଗବେଷଣାପତ୍ର ଅନୁଯାୟୀ ବୈଶ୍ୱିକ ସ୍ତରରେ ଆର୍ଥିକ ପ୍ରଦର୍ଶନ ଅସାମାନ୍ୟ ଥିବା ସତ୍ତ୍ୱେ ଭାରତୀୟ ଅର୍ଥ ବ୍ୟବସ୍ଥା ଅଲଗା ଦେଖାଯାଇଛି। ଅକ୍ଟୋବରରେ ଘରୋଇ ଆର୍ଥିକ ଗତିବିଦ୍ଧିର ହାଇଫ୍ରିକ୍ୱେନ୍ସି ଡାଟାରେ ଦୃଢତା ଦେଖାଯାଇଛି, ଯାହା ଋଣ ପାଇଁ ଦୃଢ ଚାହିଦାକୁ ସମର୍ଥନ କରିଥିଲା। ଏହି ଗବେଷଣାପତ୍ର ଡିସେମ୍ବର ୪ ତାରିଖରେ ଆରବିଆଇଙ୍କ ମୁଦ୍ରାନୀତି କମିଟି ସମୀକ୍ଷା ବୈଠକର ପ୍ରାୟ ୧୦ ଦିନ ପୂର୍ବରୁ ଆସିଛି। ଏହି ସମୟରେ ଅଧିକାଂଶ ବଜାର ବିଶେଷଜ୍ଞ ଆଗାମୀ ମୁଦ୍ରାନୀତି ସମୀକ୍ଷାରେ ନୀତିଗତ ରେପୋହାରରେ ୦.୨୫%ର ବୃଦ୍ଧି ଆଶା କରୁଛନ୍ତି।

ସେମାନେ ବିଶ୍ୱାସ କରନ୍ତି ଚଳିତ ଆର୍ଥିକ ବର୍ଷର ଅବିଶିଷ୍ଟ ସମୟ ମଧ୍ୟରେ ମୁଦ୍ରାନୀତିକୁ ଆହୁରି କଠୋର କରାଯାଇ ପାରିବ। ଅକ୍ଟୋବର ମାସରେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ସନ୍ତୋଷଜନକ ସ୍ଥିତିରେ ଥିଲା। ନଭେମ୍ବର ୧୩ ତାରିଖ ସୁଦ୍ଧା ଏହା ୧୦ ମାସର ଆମଦାନୀ ସହ ସମାନ ଥିଲା ଓ ଜୁନ ୨୦୨୬ ସୁଦ୍ଧା ବକେୟା ମୋଟ ବିଦେଶୀ ଋଣର ୯୦.୬% କଭର କରିଥିଲା।