ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ମହିଳା ବିଗ୍ ବାସ୍ ଲିଗ୍ (WBBL) ୨୦୨୬ରେ ଏକ ଅଜବ ଘଟଣା କ୍ରିକେଟ୍ ଜଗତକୁ ଆଶ୍ଚର୍ଯ୍ୟ କରିଛି । ଗୋଟିଏ ବି ବଲ୍‌ର ସାମ୍ନା ନକରି ଆଉଟ୍ ହୋଇଛନ୍ତି ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଡିଆଣ୍ଡ୍ରା ଡଟିନ୍ । ବ୍ରିସବେନ୍ ହିଟ୍‌ର ବୋଲର ସାରା ଗ୍ଲେନ୍ ଖାଲି ଷ୍ଟମ୍ପକୁ ବଲ୍ ମାରି ତାଙ୍କୁ ଆଉଟ୍ କରିଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ବୁଧବାର ମେଲବର୍ଣ୍ଣର ଜଙ୍କସନ୍ ଓଭାଲରେ ମେଲବର୍ଣ୍ଣ ରେନେଗେଡ୍ସ ଓ ବ୍ରିସବେନ୍ ହିଟ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା । ବ୍ରିସବେନ୍ ହିଟ୍ ପ୍ରଥମେ ବ୍ୟାଟିଂ କରି ୧୩୭ ରନ୍ କରିଥିଲା । ଜବାବରେ ୧୩୮ ରନ୍‌ର ଲକ୍ଷ୍ୟ ପିଛା କରୁଥିଲା ମେଲବର୍ଣ୍ଣ ରେନେଗେଡ୍ସ । ମ୍ୟାଚ୍‌ର ୧୫ତମ ଓଭରରେ ଜର୍ଜିଆ ୱେରହାମ୍ ଆଉଟ୍ ହେବା ପରେ ଡିଆଣ୍ଡ୍ରା ଡଟିନ୍ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇପାରି ନଥିଲେ ।

ଡବ୍ଲୁବିବିଏଲର ନିୟମ ଅନୁଯାୟୀ, ନୂଆ ବ୍ୟାଟରଙ୍କୁ ୱିକେଟ୍ ପଡ଼ିବାର ୭୫ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ବଲ୍ ଖେଳିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିଥାଏ । ଡଟିନ୍ ଏହି ସମୟସୀମା ଅତିକ୍ରମ କରିଦେବାରୁ ଅମ୍ପାୟାର ତାଙ୍କୁ ପିଚ୍ଠାରୁ ଅତି କମ୍‌ରେ ୫ ମିଟର ଦୂରରେ ଲେଗ୍ ସାଇଡ୍‌ରେ ଠିଆ ହେବାକୁ କହିଥିଲେ । ଏହାପରେ ବ୍ରିସବେନ୍ ହିଟ୍‌ରେ ବୋଲ୍‌ର ସାରା ଗ୍ଲେନ୍ ଖାଲି ଷ୍ଟମ୍ପକୁ ଲକ୍ଷ୍ୟ କରି ବଲ୍ ପକାଇଥିଲେ । ବଲ୍ ସିଧା ଷ୍ଟମ୍ପରେ ବାଜିଥିଲା । ଫଳରେ ଗୋଟିଏ ବି ବଲ୍ ନ ଖେଳି ଆଉଟ୍ ହୋଇଥିଲେ ଡଟିନ୍ ।

 

ଡବ୍ଲୁବିବିଏଲ୍ ଖେଳ ନିୟମର ଧାରା ୪୦ ଅନୁଯାୟୀ, ନୂଆ ବ୍ୟାଟରଙ୍କୁ ୭୫ ସେକେଣ୍ଡ ମଧ୍ୟରେ ବ୍ୟାଟିଂ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିଥାଏ । ଯଦି ବ୍ୟାଟର ଏହି ସମୟ ମଧ୍ୟରେ ପ୍ରସ୍ତୁତ ନହୁଅନ୍ତି, ତେବେ ତାଙ୍କୁ ପିଚ୍‌ଠାରୁ ଦୂରରେ ରହିବାକୁ ପଡ଼େ । ଏହି ସମୟରେ ବୋଲରଙ୍କୁ ଖାଲି ଷ୍ଟମ୍ପକୁ ବଲ୍ ମାରି ଆଉଟ୍ କରିବାର ସୁଯୋଗ ମିଳିଥାଏ । ବଲ୍ ଷ୍ଟମ୍ପରେ ବାଜିଲେ ବ୍ୟାଟରଙ୍କୁ ବୋଲ୍ଡ ଆଉଟ୍ ଘୋଷଣା କରାଯାଏ । ୨୦୨୧-୨୨ ସିଜିନ୍‌ରୁ ପୁରୁଷ ଓ ମହିଳା ବିଗ୍ ବାସ୍ ଲିଗ୍‌ରେ ଏହି ନିୟମ ଲାଗୁ ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏହାର ବ୍ୟବହାର ହୋଇଛି ।