ନୂଆଦିଲ୍ଲୀ: ବିସଲେରୀର ଏକ ନମୁନାରେ କ୍ୱାଲିଟି କମ କାରଣରୁ କାର୍ଯ୍ୟାନୁଷ୍ଠାନ କରାଯିବା ପରେ ଏବେ ଏଫଏସଏସଏଆଇ ସାରା ଦେଶରେ ବୋତଲବନ୍ଦ ପାଣିର କ୍ୱାଲିଟି ପରୀକ୍ଷଣ ପାଇଁ ନିଷ୍ପତ୍ତି ନେଇଛି। ହୁଏତ ବିସଲେରୀର ଗୋଆ ପ୍ଲାଣ୍ଟର ଏକ ବ୍ୟାଚ୍ ରେ ତ୍ରୁଟି ମିଳିଥିଲା ହେଲେ ଗତ ଦିନ ମାନଙ୍କରେ କେତେକ ଅନ୍ୟ କମ୍ପାନୀଙ୍କ ପାଣିରେ ମଧ୍ୟ ତ୍ରୁଟି ରହୁଥିଲା। ସଂସଦରେ ଦିଆଯାଇଥିବା ସୂଚନା ଅନୁସାରେ ୨୦୨୩-୨୪ରେ ୧,୩୦୦ ସାମ୍ପୂଲ ସଂଗ୍ରହ ହୋଇଥିଲା। ଏଥିରୁ ୩୩ଟି କମ୍ପାନୀର ନମୁନାରେ ପାଣି ଖରାପ ଥିବା ଜଣାପଡିଥିଲା।

୨୦୨୨-୨୩ର ପରୀକ୍ଷଣରେ ୧୦୮୮ଟି ନମୁନାରୁ ୬୫୦ଟି କ୍ୱାଲିଟି ଟେଷ୍ଟରେ ଫେଲ ହୋଇଥିଲେ। ଏଫଏସଏସଏଆଇ ସିଇଓ ରଜିତ ପହନାନୀ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନକୁ ଆତଙ୍କ ସୃଷ୍ଟି ପାଇଁ ନୁହେଁ ବରଂ ସଚେତନତା ଓ ଦାୟିତ୍ୱ ରୂପେ ଦେଖାଯିବା ଉଚିତ। ବିସଲେରୀ ଦେଶର ଏକ ବଡ଼ କମ୍ପାନୀ ଓ ଏହାର ଗୋଟିଏ ବ୍ୟାଚ୍ ର ପାଣି ନମୁନାରେ ତ୍ରୁଟି ମିଳିବା ପରେ ଏଫଏସଏସଏଆଇ ତୁରନ୍ତ ସୋସିଆଲ ମିଡିଆରେ ସୂଚନା ସାର୍ବଜନିକ କରିଥିଲା ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲା।

ଏଥିରେ ବିସଲେରୀର କହିବା କଥା ଥିଲା ଯେ କମ୍ପାନୀର ସାରା ଦେଶରେ ୧୪୩ଟି ପ୍ଲାଣ୍ଟ ରହିଛି। ଏଥିରୁ ଗୋଆ ପ୍ଲାଣ୍ଟରୁ ୬ଟି ନମୁନା ସଂଗ୍ରହ ହୋଇଥିଲା। ଏଥିରୁ କେବଳ ଗୋଟିଏରେ ତ୍ରୁଟିଥିବା ଜଣାପଡିଥିଲା। ବାକି ନମୁନା ଅନ୍ୟ ମାନଦଣ୍ଡରେ ଉପଯୁକ୍ତ ଥିଲେ। ଏହା ପରଠାରୁ କମ୍ପାନୀର କୌଣସି ନମୁନାରୁ କିଛି ବି ତ୍ରୁଟି ମିଳି ନାହିଁ। ତେବେ ଉଦ୍ୟୋଗ ଜଗତ ଅନୁସାରେ ଏପରି ସୋସିଆଲ ମିଡିଆରେ କାର୍ଯ୍ୟାନୁଷ୍ଠାନ ସୂଚନା କମ୍ପାନୀର ସମ୍ମାନ ପ୍ରତି ହାନୀ ପହଞ୍ଚାଉଛି। ତେବେ ରଜିତ କହିଛନ୍ତି ଯେ ପ୍ରତ୍ୟେକ କମ୍ପାନୀ ନିଜର ଇନ୍ ହାଉସ କ୍ୱାଲିଟି ଟେଷ୍ଟିଂ ବ୍ୟବସ୍ଥା ରଖିବା ଉଚିତ।