ମୁମ୍ବାଇ: ଏୟାର ଇଣ୍ଡିଆ ଓ ଏହାର ବଜେଟ୍ ଏୟାରଲାଇନ୍ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ କୁ ନେଇ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଏହି ଦୁଇ ଏୟାରଲାଇନ୍ସ ଏକାଠି ମିଶି କାମ କରିବେ। ତେବେ ଏମାନଙ୍କର ମର୍ଜର ହେବ ନାହିଁ, ହେଲେ ଏମାନେ ଗୋଟିଏ ଗ୍ରୁପ ହୋଇ କାମ କରିବେ। ଏୟାରଲାଇନର ବଢୁଥିବା ଖର୍ଚ୍ଚ ନିୟନ୍ତ୍ରଣ ଓ ପରିଚାଳନାକୁ ଆହୁରି ଭଲ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏୟାର ଇଣ୍ଡିଆର ନୂଆ ସିଇଓ ତଥା ଏମଡି ଟେୱଲ୍ଡ ଗେବ୍ରେମାରିୟମ ବୁଧବାର କର୍ମଚାରୀଙ୍କ ସହ କରିଥିବା ବୈଠକରେ ଏହି ଯୋଜନା କରିଛନ୍ତି ଓ ଏଥି ପାଇଁ ସମସ୍ତଙ୍କ ସହମତି ମିଳିଛି।

ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଉଭୟ ବର୍ତ୍ତମାନ ବର୍ଦ୍ଧିତ ଖର୍ଚ୍ଚ ଓ ପରିଚାଳନାଗତ ଚ୍ୟାଲେଞ୍ଜ ସହ ସଂଘର୍ଷ କରୁଛନ୍ତି। ତେଣୁ ଏହି ନିଷ୍ପତ୍ତି ନିଆଯାଇଛି। ବିମାନ ଇନ୍ଧନ, କର୍ମଚାରୀଙ୍କ ବେତନ, ବିମାନ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ପରିଚାଳନାଗତ ଖର୍ଚ୍ଚ ଏୟାରଲାଇନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ। ଏଣୁ ଖର୍ଚ୍ଚ ନିୟନ୍ତ୍ରଣ ଓ ପରିଚାଳନାଗତ ଦକ୍ଷତା ଉନ୍ନତ କରିବା ପାଇଁ ଦୁଇ ଏୟାରଲାଇନ୍ସ ଏକାଠି କାମ କରିବେ। ଉଭୟ ଏୟାରଲାଇନ୍ସ ଟାଟା ଗ୍ରୁପର ଏୟାରଲାଇନ୍ସ ଅଟନ୍ତି। ଏୟାର ଇଣ୍ଡିଆ ଏକ ପୂର୍ଣ୍ଣ ସେବା ଏୟାରଲାଇନ୍ସ ହୋଇଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏକ ବଜେଟ୍ ଏୟାରଲାଇନ।

ବର୍ତ୍ତମାନ ଦୁଇଟି କମ୍ପାନୀର କାର୍ଯ୍ୟରେ ଅଧିକ ସମନ୍ୱୟ ରହିବ। ଏହା ସମ୍ବଳ ବ୍ୟବହାରକୁ ଉନ୍ନତ କରିବା ଓ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହୋଇ ପାରିବ। ଉଭୟ ଏୟାରଲାଇନର ଯଦିଓ ମିଶ୍ରଣ ହୋଇ ନାହିଁ ତଥାପି ଏକ ସାଧାରଣ ପରିଚାଳନାରେ ରହିବେ। ତେବେ ଏହି ପରିବର୍ତ୍ତନ ସିଧାସଳଖ ଯାତ୍ରୀମାନଙ୍କୁ ପ୍ରଭାବିତ କରିବ କି ନା ତାହା ଜଣାପଡି ନାହିଁ। ତଥାପି ଦୁଇ ବିମାନ କମ୍ପାନୀଙ୍କ ମଧ୍ୟରେ ସମନ୍ୱୟ ଭବିଷ୍ୟତରେ ଅଧିକ ସୁଗମ କାର୍ଯ୍ୟକରିପାରିବ। ଏହା ବିମାନ କମ୍ପାନୀଗୁଡିକୁ ଖର୍ଚ୍ଚ ହ୍ରାସ କରିବାରେ ଓ ସେମାନଙ୍କ ସେବା ଉନ୍ନତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।