ମୁମ୍ବାଇ: ଆଇପିଏଲ୍ ୨୦୨୭ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ କିଏ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏନେଇ ଏକ ଟ୍ୱିଟ୍ କରାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଆହୁରି ବଢ଼ି ଯାଇଛି। କାରଣ ଏହି ଟ୍ୱିଟ୍‌ରେ ଏକ ଆନିମେଟେଡ୍ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ଗୋଟିଏ ହାତରେ ଏକ ଟୋପି ଧରିଥିବା ଦେଖାଯାଉଛି।

ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ଟ୍ୱିଟ୍ କରିବା ପରେ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ଫ୍ୟାନ ଏବେ ଠାରୁ ରୋହିତ...ରୋହିତ... ନାରା ଲଗାଇବା ଆରମ୍ଭ କରିଦେଲେଣି। ସୋସିଆଲ୍ ମଡିଆରେ ଏକାଧିକ ପୋଷ୍ଟରେ ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ରୋହିତ ପୂର୍ବରୁ ଦଳକୁ ୫ ଟି ଟାଇଟଲ ଜିତାଇଛନ୍ତି। ତାଙ୍କ ପାଖରେ ଅଭିଜ୍ଞତା ବି ରହିଛି। ତେଣୁ ଦଳ ତାଙ୍କୁ କ୍ୟାପ୍ଟେନ୍ କରାଇବା ଅସମ୍ଭବ ବି ନୁହେଁ।

ମୁମ୍ବାଇ ଇଣ୍ଡିଆନ୍ସର ଏହି ଫଟୋକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ନାନା ଆଲୋଚନା ଜାରି ରହିଛି। କିଛି ଫ୍ୟାନ ଏହାକୁ ରୋହିତଙ୍କର ଟି-୨୦ ବିଶ୍ୱକପ ବିଜୟ ସେଲିବ୍ରେସନ ବେଳର ଚିତ୍ର ସହ ତୁଳନା କରୁଛନ୍ତି ତ, ଆଉ କିଛି କହୁଛନ୍ତି ଫ୍ରାଞ୍ଚାଇଜ୍‌ ପାଇଁ ରୋହିତ ଯେତେବେଳେ ପ୍ରଥମ ଟାଇଟଲ ଜିତିଥିଲେ, ଏହି ଫଟୋ ସେତେବେଳର। ତେବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କିନ୍ତୁ ଏନେଇ କୌଣସି ଖୁଲାସା କରାଯାଇ ନାହିଁ।

Also Read- ICC Test Ranking 2026: ନମ୍ବର-୧ ସ୍ଥାନ ନିକଟତର ହେଲେ ବୁମ୍ରା, ଜୟସ୍ୱାଲ,ପନ୍ତ ଓ ଗିଲଙ୍କ ରେଟିଂରେ ବଡ଼ ସୁଧାର

ନିକଟରେ ପଞ୍ଜାବ କିଙ୍ଗ୍‌ସ ସହ ହୋଇଥିବା ଟ୍ରେଡ୍‌ରେ ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାକୁ ରିଲିଜ କରିଦେଇଥିଲା। ବଦଳରେ ଅର୍ଶଦୀପ ସିଂହ ଦଳକୁ ଆସିଥିଲେ। ହାର୍ଦ୍ଦିକଙ୍କ ଯିବା ପରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ କିଏ ହେବେ ତାହା ପ୍ରମୁଖ ବିଷୟ ଥିଲା। ଅଭିଜ୍ଞତା ଓ ଦକ୍ଷତା ଦୃଷ୍ଟିରୁ ରୋହିତଙ୍କୁ ପୁଣିଥରେ ଦଳର ଅଧିନାୟକ କରାଯାଇପାରେ ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଥିଲା। କାରଣ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ ମସିହାରେ ମୋଟ ପାଞ୍ଚଟି ଆଇପିଏଲ୍ ଟାଇଟଲ୍ ଜିତିଛି।

ତେବେ ୨୦୨୪ରେ ଗୁଜୁରାଟ ଟାଇଟନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳକୁ ଫେରିବା ପରେ, ୨୦୨୪ ସିଜିନ୍ ପୂର୍ବରୁ ରୋହିତଙ୍କୁ ହଟାଇ ହାର୍ଦ୍ଦିକଙ୍କୁ କ୍ୟାପ୍ଟେନ କରାଯାଇଥିଲା। ହେଲେ ହାର୍ଦ୍ଦିକଙ୍କ ନେତୃତ୍ୱରେ ଦଳ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା। ଯାହାକୁ ନେଇ ଫ୍ୟାନ୍ ଫ୍ରାଞ୍ଚାଇଜ୍‌ର ବିଚାରକୁ ସମାଲୋଚନା କରିଥିଲେ। ଶେଷରେ କ୍ୟାପ୍ଟେନ ବଦଳାଇବାକୁ ବି ଦାବି ହୋଇଥିଲା।

ରୋହିତଙ୍କ ବ୍ୟତୀତ ଏମାନେ ବି ଅଛନ୍ତି ଦୌଡ଼ରେ

ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ଦୌଡ଼ରେ ଅଛନ୍ତି ବୋଲି କୁହାଯାଉଛି। ଗତ ଦୁଇଟି ସିଜନରେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ବେଳେ ବେଳେ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଥିଲେ। ଦଳରେ ତାଙ୍କର ପ୍ରଦର୍ଶନ ବି ଭଲ ରହିଛି। ତା’ ଛଡ଼ା କ୍ୟାପ୍ଟେନ୍ ଭାବେ ଟିମ୍ ଇଣ୍ଡିଆକୁ ଟି-୨୦ ବିଶ୍ୱକପ ବି ଜିତାଇଛନ୍ତି। ତେଣୁ ଅଧିନାୟକ ପଦ ପାଇଁ ସେ ବି ଦାବିଦାର।

Also Read- ୬୮ ବଲରେ ୧୮୧ ରନ୍, ଟି-୨୦ରେ ଭାରତୀୟ ବ୍ୟାଟରଙ୍କ ଦ୍ୱାରା ସର୍ବାଧିକ ସ୍କୋର; କ୍ରିସ୍ ଗେଲଙ୍କୁ ଟପିଲେ

ଅନ୍ୟପକ୍ଷରେ, ଦୀର୍ଘକାଳୀନ ଭାବରେ ତିଲକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଭବିଷ୍ୟତର କ୍ୟାପ୍ଟେନ ଭାବେ ଦେଖୁଛି। ତା’ ଛଡ଼ା ଟିମ୍ ଇଣ୍ଡିଆରେ ମଧ୍ୟ ତିଲକ କେବେ ଉପଅଧିନାୟକ ଓ ଅଧିନାୟକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ତେଣୁ ତାଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ହେଲେ ଏସବୁ ଭିତରେ ଅଭିଜ୍ଞତା ଓ ସଫଳତା ଦୃଷ୍ଟିରୁ ରୋହିତଙ୍କ ନାଁ ଶୀର୍ଷରେ ରହିଛି। ତେଣୁ ସେ କ୍ୟାପ୍ଟେନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନିଲାମ ପୂର୍ବରୁ ମୁମ୍ବାଇ ପାଖରେ ୩୨.୬୦ କୋଟି ଟଙ୍କା

ଆଇପିଏଲ୍ ୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୧୬ ଜଣ ଖେଳାଳିଙ୍କୁ ରିଟେନ୍ କରିଛି। ଏଥିରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଯଶପ୍ରୀତ ବୁମ୍‌ରା ଏବଂ ରିଆନ୍ ରିକେଲଟନ୍ ରହିଛନ୍ତି। ଦଳରୁ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ, ଭାରତୀୟ ବୋଲର ଦୀପକ ଚହର ଏବଂ ଆଫଗାନିସ୍ତାନର ସ୍ପିନର ଏ.ଏମ୍. ଗଜନଫରଙ୍କୁ ରିଲିଜ୍ କରାଯାଇଛି। ନିଲାମ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଏବେ ୩୨.୬୦ କୋଟି ଟଙ୍କା ବାକି ରହିଛି। ତେବେ ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ କରାଯିବା ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ତେଣୁ ଫ୍ରାଞ୍ଚାଇଜିର ରହସ୍ୟମୟ ପୋଷ୍ଟକୁ ଏବେ କେବଳ ଏକ ସଙ୍କେତ ବା ପ୍ରଶଂସକଙ୍କ ଅନୁମାନ ଭାବେ ଦେଖାଯାଉଛି।