ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଭକ୍ତଙ୍କ ଭିଡ଼ର ସୁଯୋଗ ନେଇ ଲୁଟପାଟ୍ କରୁଥିବା ମହିଳା ଗ୍ୟାଙ୍ଗ୍କୁ ଧରିଛି ପୋଲିସ। ଦୁଇଟି ପୃଥକ ଲୁଟ୍ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମୋଟ ୧୫ ଜଣ ମହିଳାଙ୍କୁ ଗିରଫ କରିଛି ପୁରୀ ସିଂହଦ୍ୱାର ଥାନା ପୋଲିସ। ସେମାନଙ୍କ ନିକଟରୁ ନଗଦ ୨୩ ହଜାର ଟଙ୍କା ଜବତ ହୋଇଛି।

ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଭିଡ଼ ମଧ୍ୟରେ ଏହି ମହିଳାମାନେ ଲୁଚି ରହି ଲୁଟପାଟ୍ କରୁଥିଲେ। ଗତକାଲି ସନ୍ଧ୍ୟାରେ ସିଂହଦ୍ୱାର ସାମ୍ନାରେ ଭିଡ଼ର ସୁଯୋଗ ନେଇ ଦୁଇଟି ପୃଥକ ଲୁଟ୍ ଘଟଣା ଘଟିଥିଲା। ପ୍ରଥମ ଘଟଣାରେ ପଶ୍ଚିମବଙ୍ଗର ବାଗୁଇହାଟି ଅଞ୍ଚଳର ତନୁଶ୍ରୀ ସାହାଙ୍କ ଭ୍ୟାନିଟି ବ୍ୟାଗକୁ ୭ ଜଣ ମହିଳା ଛଡ଼ାଇ ନେଇଥିଲେ। ଉକ୍ତ ବ୍ୟାଗରେ ୧୫ ହଜାର ଟଙ୍କା ଓ ଆଧାର କାର୍ଡ ଥିଲା। ଏହି ଘଟଣାରେ ପୋଲିସ ମୁନି ସ୍ୱାମୀ, ପୂଜା ସ୍ୱାମୀ, ରାଜେଶ୍ୱରୀ ସ୍ୱାମୀ, ସଞ୍ଜନା ରାଓ, ଜତି କୋଇରି, ଭାଗି ସାହୁ ଏବଂ ପୂର୍ଣ୍ଣମ ସେନଗୁପ୍ତାଙ୍କୁ ଗିରଫ କରିଛି।

ସେହିପରି ଦ୍ୱିତୀୟ ଘଟଣାରେ କୋଲକାତାର ଯାଦବପୁର ଅଞ୍ଚଳର ବାସନ୍ତୀ ନସ୍କରଙ୍କ ବ୍ୟାଗକୁ ୮ ଜଣ ମହିଳା ଲୁଟି ନେଇଥିଲେ। ବ୍ୟାଗରେ ୮ ହଜାର ଟଙ୍କା, ଗୋଟିଏ ଭିଭୋ ମୋବାଇଲ୍ ଫୋନ୍ ଓ ଆଧାର କାର୍ଡ ଥିଲା। ଏହି ଘଟଣାରେ ଗୁଡ଼ି ଦାସ, ରୁକୁ ସ୍ୱାଇଁ, ଲିଲି ମୁଦୁଲିଆ, ଶ୍ୟାମଳା ସିଂ, ଲିଲି ପାସ୍ୱାନ୍, ପୂର୍ଣ୍ଣିମା ମାଲି, ଅନ୍ନପୂର୍ଣ୍ଣା ହାଲଦା ଓ ମୋନା ମାଲିଙ୍କୁ ପୋଲିସ ଗିରଫ କରିଛି।

Also Read: ନଭେମ୍ବର ୩୦ରେ ଖୋଲିବ ମଣ୍ଡି, ଏହା ପୂର୍ବରୁ ଜବରଦସ୍ତ ଧାନ ମଣ୍ଡି ଭିତରେ ଧାନ ପୂରେଇଲେ ଚାଷୀ

ଦୁଇଟି ଘଟଣାରେ ମୋଟ ୧୫ ଜଣ ମହିଳା ଗିରଫ ହୋଇଥିବା ବେଳେ ପୋଲିସ ସେମାନଙ୍କଠାରୁ ୨୩ ହଜାର ଟଙ୍କା ଜବତ କରିଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ମଧ୍ୟରେ ଏଭଳି ଲୁଟ୍ ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।