ଭୁବନେଶ୍ୱର ୨୪।୦୩ : ଆଜି ବି ଅଚଳ ବିଧାନସଭା । ଚାଲିପାରିଲାନି ଗୃହ । ପ୍ରଥମେ ସାଢେ ୧୧ ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ଏବେ ପୁଣି ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

Also Read:-ସରକାରଙ୍କୁ ନବୀନଙ୍କ ଟାର୍ଗେଟ ; SCB ମେଡିକାଲ ପୋଡ଼ି ଘଟଣାକୁ ୯ ଦିନ ବିତିଲାଣି, ତଥାପି କୌଣସି କେନ୍ଦ୍ର ମନ୍ତ୍ରୀଙ୍କ ଦେଖାନାହିଁ...

ଗତ ୧୭ ତାରିଖରୁ ଏସ୍‌ସିବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ ଏବଂ ନାରାବାଜି ଚାଲିଛି । ବାରମ୍ବାର ମୁଲତବୀ ହେଉଛି ବିଧାନସଭା । ୧୭ ତାରିଖ ପରେ ଗୋଟିଏ ବି ଦିନ ପୁରା କାର୍ଯ୍ୟ ଦିବସ ପୂରଣ ହୋଇପାରୁନି । ସୋମବାର ଦିନ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଲାଇବା ପାଇଁ ବସିଥିଲା ସର୍ବଦଳୀୟ ବୈଠକ । ତାପରେ ବି ଗୃହ ଅଚଳ । ସେହିପରି ମଙ୍ଗଳବାର ଦିନ ମଧ୍ୟ କାର୍ଯ୍ୟସୂଚୀ ଅନୁସାରେ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ସମାନ ଅବସ୍ଥା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ମଧ୍ୟ ଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ଯାହାଫଳରେ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ମୁଲତବୀ ସମୟ ପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ବିରୋଧୀ ସଦସ୍ୟମାନେ ଶୁନ୍ୟକାଳରେ ଜୋରଦାର ବିରୋଧ କରିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଉଦ୍ୟମ ବି କରିଥିଲେ ।

ଅନ୍ୟେପଟେ ବିରୋଧୀଙ୍କ ଏପରି ଆଚରଣକୁ ଦେଖି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶାନ୍ତ ହେବା ପାଇଁ ଅପିଲ କରିଥିଲେ । ସେ କହିଥିଲେ, ବିରୋଧୀ ଯାହା କହିବାକୁ ଚାହୁଁଛନ୍ତି, ସେମାନେ ଆଲୋଚନା ମାଧ୍ୟମରେ ଭାଗ ନେଇପାରିବେ । ପ୍ରତିବାଦ କରି ଗୃହ କାର୍ଯ୍ୟ ବନ୍ଦ କରନ୍ତୁ ନାହିଁ । ଆମେ ଯେତେବେଳେ ବିରୋଧୀ ଦଳରେ ଥିଲୁ, ଆମେ ମଧ୍ୟ ବିରୋଧ କରୁଥିଲି । କିନ୍ତୁ ଗୃହ କାର୍ଯ୍ୟକୁ ବନ୍ଦ କରୁନଥିଲୁ । ଏହି ଅଧିବେଶନ ରାଜ୍ୟବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ତରଫରୁ ମୁଁ ବିଜେଡି ଓ କଂଗ୍ରେସର ବିଧାୟକଙ୍କୁ ଅପିଲ କରୁଛି, ସେମାନେ ଆଲୋଚନାରେ ଭାଗ ନିଅନ୍ତୁ ।

Watch Video:-