ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ ୟୁନିଟ୍‌ଗୁଡ଼ିକର କ୍ରୟ-ବିକ୍ରୟ ଓ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁଗମ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ସ୍ୱରୂପ ବିଧାନସଭାରେ 'ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍, ୨୦୨୬' ଉପସ୍ଥାପିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ଗୃହରେ ଆଗତ କରିଛନ୍ତି। ଏହି ସଂଶୋଧନ ଦ୍ୱାରା ଆପାର୍ଟମେଣ୍ଟ ମାଲିକମାନଙ୍କ ଉପରୁ ଅନାବଶ୍ୟକ ଆର୍ଥିକ ବୋଝ ହ୍ରାସ ପାଇବା ସହ ସାଧାରଣ କ୍ଷେତ୍ର (Common Area) ହସ୍ତାନ୍ତର ପ୍ରକ୍ରିୟା ପୂର୍ବପେକ୍ଷା ବହୁତ ସହଜ ହୋଇଯିବ।

କମନ୍ ଏରିଆ ହସ୍ତାନ୍ତର ପାଇଁ ନାମମାତ୍ର ଶୁଳ୍କ

ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩ ଅନୁଯାୟୀ, ପ୍ରମୋଟରମାନେ ବ୍ୟକ୍ତିଗତ ଫ୍ଲାଟ୍ ହସ୍ତାନ୍ତର କରିବା ପୂର୍ବରୁ ପ୍ରକଳ୍ପର ଜମି, ଗ୍ୟାରେଜ୍, ସିଡ଼ି, ଲିଫ୍ଟ ଓ ସାଧାରଣ ବ୍ୟବହାର୍ଯ୍ୟ ସ୍ଥାନଗୁଡ଼ିକୁ 'Association of Allottees' ନାମରେ ପଞ୍ଜୀକୃତ ଦଲିଲ୍ ମାଧ୍ୟମରେ ହସ୍ତାନ୍ତର କରିବା ବାଧ୍ୟତାମୂଳକ।

Also Read: ସିଏଜି ରିପୋର୍ଟରେ ପୂର୍ବ ସରକାରଙ୍କ ବଡ଼ ଖାମଖିଆଲି: GST ରୁ 5T, ଡିଏମଏଫ୍‌ରୁ ପାନୀୟ ଜଳ ସବୁଥିରେ ଅନିୟମିତତା

ପୂର୍ବରୁ ଏହି ପ୍ରକ୍ରିୟାରେ ଅଧିକ ଷ୍ଟାମ୍ପ ଡ୍ୟୁଟି ଲାଗୁଥିବାରୁ କ୍ରେତାଙ୍କ ଉପରେ ଅଧିକ ଅର୍ଥର ବୋଝ ପଡ଼ୁଥିଲା। ଏହାକୁ ଦୃଷ୍ଟିରେ ରଖି ନୂତନ ସଂଶୋଧନରେ ସାଧାରଣ କ୍ଷେତ୍ର ଓ ସୁବିଧା ହସ୍ତାନ୍ତର ପାଇଁ ମାତ୍ର ୫୦,୦୦୦ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଦେୟ ୨୦,୦୦୦ ଟଙ୍କାରେ ସୀମିତ ରଖିବାକୁ ପ୍ରସ୍ତାବ ଦିଆଯାଇଛି।

ଷ୍ଟାମ୍ପ ଡ୍ୟୁଟିରେ ସରଳୀକରଣ: ଲାଗୁ ହେବ ୫% ଏକକ ହାର

ପୂର୍ବରୁ ଆପାର୍ଟମେଣ୍ଟର ମୂଲ୍ୟ ଆଧାରରେ ୩ ପ୍ରତିଶତ, ୪ ପ୍ରତିଶତ ଓ ୫ ପ୍ରତିଶତ ଭଳି ଭିନ୍ନ ଭିନ୍ନ ସ୍ଲାବ୍‌ରେ ଷ୍ଟାମ୍ପ ଡ୍ୟୁଟି ଆଦାୟ କରାଯାଉଥିଲା। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୩%, ୫ରୁ ୧୫ ଲକ୍ଷ ଟଙ୍କା ଯାଏଁ ୪% ଏବଂ ୧୫ ଲକ୍ଷରୁ ଅଧିକ ମୂଲ୍ୟ ଟଙ୍କା ପାଇଁ ୫% ଷ୍ଟାମ୍ପ ଡ୍ୟୁଟି ରହିଥିଲା।

ଏହି ଜଟିଳ ସ୍ଲାବ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ସମସ୍ତ ଆପାର୍ଟମେଣ୍ଟ ୟୁନିଟ୍ ହସ୍ତାନ୍ତର ପାଇଁ ୫% ଏକକ (Uniform) ହାର ଧାର୍ଯ୍ୟ କରାଯାଇଛି। ବ୍ୟକ୍ତିଗତ ଫ୍ଲାଟ୍ ପଞ୍ଜୀକରଣ ସମୟରେ କମନ୍ ଏରିଆର ଆନୁପାତିକ ଅଂଶକୁ ମିଶାଇ ଏହି ୫% ଷ୍ଟାମ୍ପ ଡ୍ୟୁଟି ଗଣନା କରାଯିବ।

Also Read: ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ, ୪ କାର୍ଯ୍ୟ ଦିବସ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ

EWS ସୁଲଭ ଆବାସ ପାଇଁ ୯୦% ଛାଡ଼

ଆର୍ଥିକ ଭାବେ ଦୁର୍ବଳ ବର୍ଗ (EWS) ଙ୍କ ପାଇଁ ଉଦ୍ଦିଷ୍ଟ ସୁଲଭ ଆବାସ ଯୋଜନା ଅଧୀନରେ ଘର କିଣୁଥିବା ହିତାଧିକାରୀଙ୍କୁ ସରକାର ବଡ଼ ଆଶ୍ୱାସ୍ତି ଦେଇଛନ୍ତି। ଏହି ବର୍ଗର ଲୋକଙ୍କ ପାଇଁ ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଦେୟରେ ୯୦ ପ୍ରତିଶତ ଛାଡ଼ ପ୍ରଦାନ କରାଯାଇଛି, ଯାହାଦ୍ୱାରା ନିମ୍ନ ଆୟବର୍ଗର ଲୋକମାନେ ସହଜରେ ନିଜସ୍ୱ ଘରର ସ୍ୱପ୍ନ ପୂରଣ କରିପାରିବେ। ଏହି ସଂଶୋଧନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, "ଏହି ବିଲ୍ ପାରିତ ହେବା ଦ୍ୱାରା ଆପାର୍ଟମେଣ୍ଟ କ୍ରେତାମାନଙ୍କ ସ୍ୱାର୍ଥ ସୁରକ୍ଷିତ ହେବ। ପଞ୍ଜୀକରଣ ପ୍ରକ୍ରିୟା ଅଧିକ ସରଳ ଓ ସୁଗମ ହେବା ସହ ଅନାବଶ୍ୟକ ଆର୍ଥିକ ଭାର କମିବ। ଏଥିସହିତ ରାଜ୍ୟ ସରକାରଙ୍କ ରାଜସ୍ୱ ସ୍ୱାର୍ଥ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।"

ସୂଚନାଯୋଗ୍ୟ, ପୂର୍ବରୁ ଏହି ବ୍ୟବସ୍ଥା ଅଧ୍ୟାଦେଶ (Ordinance) ଆକାରରେ ଜାରି ହୋଇଥିଲା। ଏବେ ବିଧାନସଭାରେ ବିଲ୍‌ଟି ପାରିତ ହେବା ପରେ ଏହା 'ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧିନିୟମ, ୨୦୨୬' ଭାବେ ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହେବ।