ନୂଆଦିଲ୍ଲୀ: ଭାରତର ଅଣ୍ଡର୍ ୧୯ ଟିମ୍ ରାଜକୋଟରେ ଖେଳା ଯାଉଥିବା ୟୁଥ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଅଗ୍ରଣୀ ହାସଲ କରିଛି । ଭାରତକୁ ଅଗ୍ରଣୀ କରାଇବାରେ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ବଡ଼ ଭୂମିକା ରହିଛି । ଲକ୍ଷ୍ୟ ରାୟଚନ୍ଦାନୀ ନିଜର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଶତକ ମାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ପାଳିରେ ରାୟଚନ୍ଦାନୀ ଶତକ ମାରିଛନ୍ତି, ଯାହା ଅଣ୍ଡର ୧୯ ଟେଷ୍ଟରେ ଗତ ଚାରି ଇନିଂସରେ ତାଙ୍କର ତୃତୀୟ ଶତକ ଥିଲା ।

ଲକ୍ଷ୍ୟ ରାୟଚନ୍ଦାନୀ ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିପକ୍ଷରେ ୧୪୧ ବଲରେ ନିଜର ଶତକ ପୂରଣ କରିଥିଲେ । ଶତକ ପୂରଣ କରିବା ପାଇଁ ସେ ୧୨ ଚୌକା ଏବଂ ୨ ଛକା ଲଗାଇଥିଲେ । ଲକ୍ଷ୍ୟ ରାୟଚନ୍ଦାନୀଙ୍କ ଅଣ୍ଡର ୧୯ ଟେଷ୍ଟ କ୍ୟାରିୟରରେ ଏହା ତୃତୀୟ ଶତକ । ଏହି ତିନି ଶତକ ମଧ୍ୟରେ ଗୋଟିଏ ଦ୍ୱିଶତକ ମଧ୍ୟ ରହିଛି । ଭାରତରେ ଏହା ଲକ୍ଷ୍ୟ ରାୟଚନ୍ଦାନୀଙ୍କ ଅଣ୍ଡର ୧୯ ଟେଷ୍ଟରେ ପ୍ରଥମ ଶତକ ।

ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିପକ୍ଷରେ ଶତକ ହାସଲ କରିବା ପୂର୍ବରୁ ଲକ୍ଷ୍ୟ ରାୟଚନ୍ଦାନୀ ଶ୍ରୀଲଙ୍କା ଗସ୍ତ ସମୟରେ ଦୁଇଟି ଶତକ ହାସଲ କରିଥିଲେ । ସେ ଜୁଲାଇରେ ଶ୍ରୀଳଙ୍କା ଗସ୍ତ ସମୟରେ ଖେଳା ଯାଇଥିବା ତିନିରୁ ୨ଟି ଇନିଂସରେ ଶତକ ମାରିଥିଲେ । ଏବେ ସେ ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର ୧୯ରେ ପ୍ରଥମ ୟୁଥ୍ ଟେଷ୍ଟ ଶତକ ମାରିଛନ୍ତି ।

ରାଜକୋଟ୍ ମ୍ୟାଚ୍‌ର ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଣ୍ଡର ୧୯ ପ୍ରଥମ ପାଳିରେ ୨୧୭ ରନ୍ କରିଥିଲା । ଜବାବରେ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ଶତକ ବଳରେ ଭାରତ ବଡ଼ ଲିଡ୍ ହାସଲ କରିଛି । ଭାରତ ଅଣ୍ଡର ୧୯ ଟିମ୍ ନିଜର ପ୍ରଥମ ପାଳିରେ ୩୦୦ରୁ ଅଧିକ ରନ୍ କରି ବିଶାଳ ସ୍କୋର ଅଭିମୁଖେ ଯାଉଛି । ସେପ୍ଟେମ୍ୱର ୨୭ରୁ ଆରମ୍ଭ ହୋଇଥିବା ୟୁଥ୍ ଟେଷ୍ଟର ଆଦି ଦ୍ୱିତୀୟ ଦିନ । ଏହି ଟେଷ୍ଟ ସେପ୍ଟେମ୍ୱର ୩୦ ଯାଏଁ ୪ ଦିନ ଧରି ଖେଳାଯିବ ।