ବାଗଲୁଙ୍ଗ : ନେପାଳ ବାଗଲୁଙ୍ଗ ଜିଲ୍ଲାରା ଲଗାତାର ବର୍ଷା ଯୋଗୁ ହୋଇଥିବା ଭୂ-ସ୍ଖଳନରେ ଅନୁନ୍ୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଭୂ-ସ୍ଖଳନର ଅନେକ ଘର ପ୍ରଭାବିତ ହୋଇଛି। ଘଟଣାର ଏକ ଭିଡିଓରେ ପାହାଡ଼ର ଗୋଟିଏ ପାର୍ଶ୍ୱ ପାଣି ଭଳି ଭାସି ଆସୁଥିବାର ଦେଖା ଯାଉଛି। ଏହା ସହ ଜଙ୍ଗଲ, ଜନବସତୀକୁ ସବୁ ନିଜରେ ସାଙ୍ଗରେ ନେଇଯାଉଛି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ରବିବାର ବାଗଲୁଙ୍ଗରେ ହୋଇଥିବା ଭୂ-ସ୍ଖଳନରେ ୯ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଲୋକ ନିଖୋଜ ଅଛି।

ବାଗଲୁଙ୍ଗ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ମୁଖ୍ୟ ଫିନନ୍ଦ୍ରା ପ୍ରସାଇ କହିଛନ୍ତି ଯେ ତମାଂକୋଲା ଗ୍ରାମୀଣ ନଗର ପାଳିକାରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବାର ଅଭିଯୋଗ ହୋଇଛି। ସେହିପରି ନିସିଖୋଲା ଗ୍ରାମୀଣ ନଗର ପାଳିକାରେ ରବିବାର ୫ ଜଣଙ୍କ ମୃତ୍ୟୁ ହୋଇଛି। ବାଗଲୁଙ୍ଗ ଜିଲ୍ଲା ଅଧିକାରୀ କୃଷ୍ଣ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି ଯେ ସଠିକସମୟରେ ମିଳିଥିବା ଚେତାବନୀ ଯୋଗୁ ଅଧିକ ହତାହତ ରୋକିବାକୁ ସହାୟତା କରିଛି। ନେପାଳ ସେନାର ଏକ ହେଲିକପ୍ଟର ଉଦ୍ଧାର ଅଭିଯାନ ଚଳାଇବା ପାଇଁ ପ୍ରଭାବିତ କ୍ଷେତ୍ରକୁ ପହଞ୍ଚିଛି।

ବାଗଲୁଙ୍ଗରେ ହୋଇଥିବା ଭୂ-ସ୍ଖଳନ ସାରା ନେପାଳରେ ଜାରି ଅତିରିକ୍ତ ପାଗର ଏକ ଉଦାହରଣ। ଏନଡିଆରଆଏମଏ ଦ୍ୱାରା ଜାରି ଅପଡେଟ୍ ରେ ୪ ଦିନ ଧରି ଜାରି ଭୀଷଣ ବର୍ଷା, ବନ୍ୟା ଓ ଭୂ-ସ୍ଖଳନ କାରଣରୁ ଅନୁନ୍ୟ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ନିଖୋଜ ଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଅତିରିକ୍ତ ପାଣିପାଗ ଯୋଗୁ ୨୪୭ ପରିବାର ପ୍ରଭାବିତ ହୋଇଛନ୍ତି। ଏଥିରେ ୨୬୦ଟି ଘର ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ବେଳେ ୮୦ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବଙ୍ଗୋପସାଗରରେ ଲଘୁ ଚାପ ଯୋଗୁ ନେପାଳରେ ୨୪ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଅବିରତ ବର୍ଷା ହୋଇଥିଲା।

ଜରୁରିକାଳୀନ ଟିମ୍ ବିପଦପୂର୍ଣ୍ଣ ଅଞ୍ଚଳରୁ ପାଖାପାଖି ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇଥିଲା। ପ୍ରଭାବିତ ଜିଲ୍ଲାରେ ଫଶି ଥିବା ଲୋକଙ୍କ ଉଦ୍ଧାର ପାଇଁ ହେଲିକପ୍ଟରର ସହାୟତା ମଧ୍ୟ ନିଆଯାଉଛି। ୪ ଦିନରେ ୧୦୬ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନଭଲପରାସୀର ଦୁମକୁଆଲୀରେ ସର୍ବାଧିକ ୪୫୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ପରେ କାସ୍କିର ପୋଖରାରେ ୪୦୭.୨ ମିଲମିଟର ଓ ଅମ୍ବଖେରେନୀରେ ୩୭୩.୨ ମିଲିମିଟର ବର୍ଷା ହୋଇଛି। ନାରାୟଣୀ ନଦୀର ଜଳସ୍ତରର ବିପଦ ସଂକେତ ପାର କରିବା ପରେ ଅଧିକାରୀ ନଦୀକୂଳିଆ ଗାଁ ମାନଙ୍କୁ ସତର୍କ କରିଛନ୍ତି। ଭୂ-ସ୍ଖଳନ ଯୋଗୁ କାଲିଗଣ୍ଡକୀ ନଦୀର ସ୍ରୋତ ଅବରୋଧ ହୋଇଛି।