ନୂଆଦିଲ୍ଲୀ: ବ୍ୟାଙ୍କକରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ରାସ୍ତାଘାଟ ଜଳମଗ୍ନ ହୋଇଛି । ପ୍ରାୟ ୮୦,୦୦୦ ରୁ ଅଧିକ ଲୋକ ନିଜ ଗୃହରେ ବନ୍ଦୀ ହୋଇ ରହିଛନ୍ତି। ସପ୍ତାହାନ୍ତରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଫଳରେ ସୋମବାର ଦିନ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଜଳାଶୟଗୁଡ଼ିକରେ ଜଳସ୍ତର ବିପଦସଙ୍କେତ ଟପିଯିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।

ଗତ ସପ୍ତାହରେ ମାତ୍ର ଦୁଇରୁ ତିନି ଦିନ ମଧ୍ୟରେ ପ୍ରାୟ ୩୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି କାରଣରୁ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ସହ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଗୃହ ମନ୍ତ୍ରଣାଳୟର ସ୍ଥାୟୀ ସଚିବ ଉନସିତ୍ ସମ୍ପୁନ୍ଥାରାଟ୍ ଜଣାଇଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳର ୮୦,୦୦୦ ରୁ ଅଧିକ ବାସିନ୍ଦା ନିଜ ଘରୁ ବାହାରିବାକୁ ଅସମର୍ଥ। ସେମାନଙ୍କ ନିକଟରେ ରିଲିଫ୍ ପହଞ୍ଚାଇବା ପାଇଁ ମୋବାଇଲ୍ କିଚେନ୍ ଏବଂ ଡଙ୍ଗାର ବ୍ୟବସ୍ଥା କରାଯାଇଛି। ବନ୍ୟା ସମୟରେ ଏବଂ ଜଳ ନିଷ୍କାସିତ ହେବାର ସାତ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକଙ୍କୁ ଦିନକୁ ତିନି ଓଳି ଖାଦ୍ୟ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

ସେପ୍ଟେମ୍ବର ୧୬ ରୁ ଆରମ୍ଭ ହୋଇଥିବା ଏହି ବନ୍ୟାରେ ଥାଇଲାଣ୍ଡର ୪୧ ଟି ପ୍ରଦେଶ ପ୍ରଭାବିତ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୮ ଜଣ ପ୍ରାଣ ହରାଇଥିବା ବେଳେ ୫୮୦,୦୦୦ ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ରଙ୍ଗସିଟ୍ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ଆଟ୍ ପିସାନୱାନିଚ୍‌ଙ୍କ ଅନୁସାରେ, ଏହି ବନ୍ୟା ଯୋଗୁଁ ଦେଶରେ  ୧୧ ବିଲିୟନ ବାହଟ୍ (୩୨୭ ନିୟୁତ ଡଲାର) ର ଆର୍ଥିକ କ୍ଷତି ହେବାର ଆଶଙ୍କା ରହିଛି। ପରିସ୍ଥିତିରେ ସୁଧାର ନଆସିଲେ ଏହି ଆର୍ଥିକ କ୍ଷତିର ପରିମାଣ ଆହୁରି ବୃଦ୍ଧି ପାଇବ।

ଏହି ବନ୍ୟା ଥାଇଲାଣ୍ଡର ମୋଟ ଜିଡିପି ଅଭିବୃଦ୍ଧିକୁ ୦.୩ ପ୍ରତିଶତ ହ୍ରାସ କରି ୨.୧ ପ୍ରତିଶତକୁ ଖସାଇ ଦେବ ବୋଲି ଆକଳନ କରାଯାଇଛି। ଏହାସହିତ ତୃତୀୟ ତ୍ରୈମାସିକ ଅଭିବୃଦ୍ଧି ପ୍ରାୟ ୦.୫ ପ୍ରତିଶତ ହ୍ରାସ ପାଇ ୧.୭ ପ୍ରତିଶତ ହୋଇପାରେ। ଦକ୍ଷିଣ-ପୂର୍ବ ଏସିଆର ଏହି ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ବିଶେଷ କରି କୋଭିଡ୍-୧୯ ମହାମାରୀ ପରଠାରୁ ଧୀମା ଗତିରେ ଗତି କରୁଛି। ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଏହାର ବାର୍ଷିକ ଅଭିବୃଦ୍ଧି ୧.୯ ପ୍ରତିଶତ ଥିଲା । ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ କମ୍‌। ବିଶେଷ କରି ବ୍ୟାଙ୍କକ୍‌ ଏବଂ ପୂର୍ବ ପ୍ରଦେଶଗୁଡ଼ିକର ପାଇକାରୀ ଓ ଖୁଚୁରା ବ୍ୟବସାୟ ଏହାଦ୍ୱାରା ସବାଧିକ ପ୍ରଭାବିତ ହେବ।

ବ୍ୟାଙ୍କକର ଅତି ଅଧିକ ପ୍ରଭାବିତ ବାଙ୍ଗ କାପି ଅଞ୍ଚଳରେ ଅଧିବାସୀମାନେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ଅଣ୍ଟାଏ ପାଣିରେ ଚାଲି ଚାଲି ଯାଉଛନ୍ତି। କେତେକ ବ୍ୟବସାୟୀ ପ୍ଲାଷ୍ଟିକ୍ ବାକ୍ସ ଏବଂ ଡ୍ରମ୍ ବ୍ୟବହାର କରି ପାଣି ଉପରେ ଭାସମାନ ଦୋକାନ ସଜାଇ ବିକ୍ରି କରୁଛନ୍ତି। ବ୍ୟାଙ୍କକ୍‌ ସହର ପ୍ରଶାସନର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫,୯୦୧ ଜଣ ଲୋକଙ୍କୁ ୨୩୪ ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ସମୁଦ୍ର ପତ୍ତନଠାରୁ ମାତ୍ର ୫ ଫୁଟ ଉଚ୍ଚତାରେ ଏକ ଉପତ୍ୟକାରେ ଅବସ୍ଥିତ ବ୍ୟାଙ୍କକ ସହର ପ୍ରତିବର୍ଷ କିଛି ମିଲିମିଟର ତଳକୁ ଦବିବାରେ ଲାଗିଛି । ୮୪ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହରକୁ ପ୍ରତିବର୍ଷର ଛଅ ମାସ ବର୍ଷାଦିନିଆ ବନ୍ୟା ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଅନ୍ୟପଟେ, ଜଳାଶୟଗୁଡ଼ିକରେ କ୍ଷମତାଠାରୁ ଅଧିକ ଜଳ ଭରିଯିବାରୁ ରାୟୋଙ୍ଗ୍ ଉପକୂଳବର୍ତ୍ତୀ ପ୍ରଦେଶରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଗତବର୍ଷ ମଧ୍ୟ ଦକ୍ଷିଣ ଅଞ୍ଚଳରେ ୬୩୦ ମିଲିମିଟର ବର୍ଷା ଯୋଗୁଁ ୧୪୫ ଜଣଙ୍କର ମୃତ୍ୟୁ ଘଟିଥିଲା । ୩୩,୦୦୦ ରୁ ଅଧିକ ଘର ସହ ରାସ୍ତାଘାଟ ଓ ହସ୍ପିଟାଲ୍ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ପୁଣି ଥରେ ଥାଥଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି ।