ଭୁବନେଶ୍ୱର: ଭାରତୀୟ ମହାଲେଖ ନିୟନ୍ତ୍ରକ (CAG) ଙ୍କ ପକ୍ଷରୁ ଓଡ଼ିଶାର ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ ରାଜ୍ୟର ୬ଟି ପ୍ରମୁଖ ଅଡିଟ୍ ରିପୋର୍ଟ ସାର୍ବଜନୀନ କରାଯାଇଛି, ଯେଉଁଥିରେ ପୂର୍ବ ସରକାରଙ୍କ ସମୟରେ ହୋଇଥିବା ବ୍ୟାପକ ଆର୍ଥିକ ଅନାଚାର, ନୀତିଗତ ବିଫଳତା ଓ ଅସମ୍ଭବ ଅପବ୍ୟୟର ପର୍ଦ୍ଦାଫାଶ ହୋଇଛି।

GST ଓ ଇ-ୱେ ବିଲ୍‌ରେ ଗୁରୁତର ତ୍ରୁଟି

ଓଡ଼ିଶା ସରକାରଙ୍କ ୨୦୨୩ ମାର୍ଚ୍ଚରେ ଶେଷ ହୋଇଥିବା ଅବଧିର ରେଭେନ୍ୟୁ ପରଫର୍ମାନ୍ସ ଓ କମ୍ପ୍ଲାଏନ୍ସ ଅଡିଟ୍ ରିପୋର୍ଟ ନମ୍ବର-୧ରେ GST ଏବଂ ଇ-ୱେ ବିଲ୍ ବ୍ୟବସ୍ଥାକୁ ନେଇ ଅନେକ ସାଙ୍ଘାତିକ ତ୍ରୁଟି ଦର୍ଶାଯାଇଛି। ୨୦୧୮ରୁ ୨୦୨୨ ମସିହା ମଧ୍ୟରେ କରାଯାଇଥିବା ଏହି ଅଡିଟରୁ ସ୍ପଷ୍ଟ ହୋଇଛି ଯେ, ଟିକସ ଆଦାୟ ବ୍ୟବସ୍ଥାରେ ଥିବା ଶିଥିଳତା ଯୋଗୁଁ ବଡ଼ ଧରଣର ଅନିୟମିତତା ଘଟିଛି।

ପାନୀୟ ଜଳ ଯୋଗାଣରେ ବ୍ୟାପକ ବିଫଳତା

୨୦୧୯ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୨୦୭ଟି ବୃହତ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା, ଯେଉଁଥିରୁ ୧୩୩ଟି 'ଜଳ ଜୀବନ ମିଶନ' ଅଧୀନରେ ଥିଲା। ତେବେ ଜୁନ୍ ୨୦୨୪ ସୁଦ୍ଧା ଏଥିମଧ୍ୟରୁ ମାତ୍ର ୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିଥିଲା। ୨୦୨୪ ସୁଦ୍ଧା ସମସ୍ତ ପରିବାରକୁ ପାନୀୟ ଜଳ ସଂଯୋଗ ଦେବାରେ ସରକାର ଅସମର୍ଥ ହୋଇଥିବା ବେଳେ ରାଜ୍ୟର ୩୧ ପ୍ରତିଶତ ପରିବାର ଆଜି ବି ଏହି ମୌଳିକ ସୁବିଧାରୁ ବଞ୍ଚିତ। ନମୁନା ଯାଞ୍ଚ ହୋଇଥିବା ୫ଟି ଜିଲ୍ଲା ମଧ୍ୟରୁ କନ୍ଧମାଳରେ ସର୍ବାଧିକ ୬୯.୬୫% ଜଳ ଯୋଗାଣ ହୋଇଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ୧୧.୨୦% ରହିଛି।

୫ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣରେ ହେରଫେର

ରାଜ୍ୟର ୫ଟି (5T) ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଦେଖିଛନ୍ତି ଏଜି। ଏହି ଯୋଜନା ପରିସରଭୁକ୍ତ ନଥିବା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି OSEPA ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଗୋଟିଏ ଇ-କଣ୍ଟେଣ୍ଟକୁ ଦୁଇ ଦୁଇ ଥର କିଣାଯାଇ କୋଟି କୋଟି ଟଙ୍କାର ଅନାବଶ୍ୟକ ବ୍ୟୟ କରାଯାଇଛି। ଅନେକ ସ୍ଥାନରେ ମୌଳିକ ସୁବିଧା ନଥିବାରୁ ରୂପାନ୍ତରିତ ଶ୍ରେଣୀଗୃହ ଓ ବିଜ୍ଞାନଗାରଗୁଡ଼ିକ ଅକାମୀ ହୋଇ ପଡ଼ିରହିଛି।

ଡିଏମ୍ଏଫ୍ ପାଣ୍ଠି ସଂଗ୍ରହରେ ୭୩.୭୧ କୋଟିର କ୍ଷତି

୨୦୧୫-୧୬ ରୁ ୨୦୨୩-୨୪ ମଧ୍ୟରେ DMF ଅଂଶଧନ ନିର୍ଧାରଣର ଭୁଲ ପ୍ରୟୋଗ, ଚୂଡ଼ାନ୍ତ ରୋୟାଲଟି ଆକଳନ ପରେ ଅଂଶଧନର ପୁନଃ ଆକଳନ ନକରିବା ଏବଂ ବିଳମ୍ବିତ ଦେୟ ଉପରେ ସୁଧ ଆଦାୟ ନକରିବା ଯୋଗୁଁ DMF ସଂଗ୍ରହରେ ୭୩.୭୧ କୋଟି ଟଙ୍କାର ବଡ଼ ଧରଣର କ୍ଷତି ହୋଇଛି।

ଜୀବିକା ଯୋଗାଇବାରେ DMF ବିଫଳ

ଉକ୍ତ ଅବଧି ମଧ୍ୟରେ DMF ଅଂଶଧନ ବାବଦରେ ୨୦,୭୯୫.୫୧ କୋଟି ଟଙ୍କା ଏବଂ ସୁଧ ବାବଦରେ ୧,୭୭୨.୬୬ କୋଟି ଟଙ୍କା ପାଇଥିବା ସତ୍ତ୍ୱେ, ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାୟୀ ଜୀବିକା ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଏଜି ଜଣାଇଛନ୍ତି। ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାରେ DMF ଅଧୀନରେ ‘ପରିବେଶ ସଂରକ୍ଷଣ’ ଓ ‘ଜୀବିକା’ କାର୍ଯ୍ୟକ୍ରମ ନାମରେ ଆଦର୍ଶ ଗ୍ରାମୀଣ ଉଦ୍ୟାନ, ଗ୍ରାମ ଉଦ୍ୟାନ, ବନ ବାଟିକା ଓ ଇକୋ-ରିଟ୍ରିଟ୍ ଭଳି ୧୨୬ଟି ପ୍ରକଳ୍ପ (ଯାଜପୁର-୫୨, କେନ୍ଦୁଝର-୭୪) ପାଇଁ ୫୧.୭୧ କୋଟି ଟଙ୍କାର ଅଗ୍ରାହ୍ୟ ବ୍ୟୟ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ଏବେ ଅସମ୍ପୂର୍ଣ୍ଣ ଓ ଅଚଳ ହୋଇ ପଡ଼ିରହିଛି।

ମେଡିକାଲ କୋଚିଂ ନାମରେ ୪.୩୦ କୋଟିର ପ୍ରହସନ

DMF ପାଣ୍ଠିରୁ ୩ଟି ଅନୁଷ୍ଠାନକୁ ୪.୩୦ କୋଟି ଟଙ୍କା ପ୍ରଦାନ କରାଯାଇ ମେଡିକାଲ କୋଚିଂ ପାଇଁ ୪୩୭ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ହେଲେ ଏତେ ବଡ଼ ପରିମାଣର ଅର୍ଥ ଖର୍ଚ୍ଚ ସତ୍ତ୍ୱେ ମାତ୍ର ୬ ଜଣ ଛାତ୍ରଛାତ୍ରୀ ମେଡିକାଲ କଲେଜରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିବାକୁ ସକ୍ଷମ ହୋଇଥିଲେ। କେନ୍ଦୁଝର ଜିଲ୍ଲାରେ DMF ଅଧୀନରେ ରୋଗୀଙ୍କ ସହ ଆସୁଥିବା ଆଟେଣ୍ଡାଣ୍ଟଙ୍କ ଖାଦ୍ୟ ବ୍ୟବସ୍ଥା ପାଇଁ ୭.୧୨ କୋଟି ଟଙ୍କା ଅନୁମୋଦନ କରାଯାଇ ୪.୫୩ କୋଟି ଟଙ୍କା ଜାରି ହୋଇଥିଲା। କିନ୍ତୁ ODSF ନିୟମ ଓ PMKKKY ନିର୍ଦ୍ଦେଶାବଳୀକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ୩.୧୯ କୋଟି ଟଙ୍କା ବେଆଇନ ଭାବେ ଖର୍ଚ୍ଚ କରାଯାଇ ତ୍ମସାତ କରାଯାଇଛି।

ବ୍ଲୁ ଇକୋନୋମି ଓ ପର୍ଯ୍ୟଟନ ପାଣ୍ଠିରେ ଅବହେଳା

ବ୍ଲୁ ଇକୋନୋମି ତଥା ଉପକୂଳବର୍ତ୍ତୀ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ପୂର୍ବ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିଲେ। ପ୍ରଶାସନିକ ଅନୁମୋଦନ ଓ ଜମି ଅଧିଗ୍ରହଣ ଭଳି ସମସ୍ୟା ପାଇଁ ୮୯୮ କୋଟି ଟଙ୍କା ପର୍ଯ୍ୟଟନ ପାଣ୍ଠିରେ ଜମା ହୋଇ ରହିଥିଲା। ଖର୍ଚ୍ଚ ହୋଇନପାରିବାରୁ ୧୦୩ କୋଟି ଟଙ୍କା ଫେରସ୍ତ କରାଯାଇଥିଲା ଏବଂ ଏହି ଅର୍ଥ ପାଞ୍ଚ ବର୍ଷ ଧରି OTDC ଆକାଉଣ୍ଟରେ ପଡ଼ିରହିଥିଲା। ସରକାର ଯେଉଁ ସୀମିତ ଅର୍ଥ ଖର୍ଚ୍ଚ କରିଥିଲେ, ସେଥିରୁ ଅଧିକାଂଶ ଅନାବଶ୍ୟକ ଥିବା ଏଜି ଧରିଛନ୍ତି।