ନୂଆଦିଲ୍ଲୀ: ଇରାନ ସେନା ହର୍ମୁଜ୍ ପ୍ରଣାଳୀରେ ଆମେରିକା ସେନାର ଏକ ଅତ୍ୟାଧୁନିକ ଅଣ୍ଡରୱାଟର୍ ଡ୍ରୋନକୁ ଜବତ କରିଥିବା ଦାବି କରିଛି । ଇରାନ ସେନା ଅନୁଯାୟୀ, ଏହି ସବମରିନ୍ ଡ୍ରୋନ୍‌ଟି ଜଳପଥରେ ନଜର ରଖିବା ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା।  ଗୋଟିଏ ମାସ ମଧ୍ୟରେ ଆମେରିକାର ଦ୍ୱିତୀୟ ଅଣ୍ଡରୱାଟର୍ ଡ୍ରୋନ୍ ଜବତ କରିଥିବା ନେଇ ଇରାନ ଦାବି କରିଛି । ଏହା ସହ ଏହାର ଏକ ଭିଡିଓ ମଧ୍ୟ ଜାରି କରିଛି। ଇରାନୀୟ ଷ୍ଟେଟ୍ ଟେଲିଭିଜନରେ ପ୍ରକାଶିତ IRGC ନୌସେନାର ବିବୃତ୍ତି ଅନୁଯାୟୀ, ଗୁଇନ୍ଦାଗିରି ଏବଂ ଇଲେକ୍ଟ୍ରୋନିକ୍ ୱାରଫେୟାର୍‌ର ଏକ ଜଟିଳ ଓ ସମନ୍ୱିତ ଅପରେସନ୍ ମାଧ୍ୟମରେ ଆମେରିକା ସେନାର ଏହି ମାନବରହିତ ଯାନକୁ କାବୁ କରାଯାଇଛି। 

ଅଣ୍ଡରଓ୍ବାଟର ଡ୍ରୋନ୍‌ଟି 'ରେମସ୍ ୬୦୦' ମଡେଲର ଏକ ସ୍ୱୟଂଚାଳିତ ଅଣ୍ଡରୱାଟର୍ ଯାନ । ଏହି ଯାନରୁ ସମସ୍ତ ସାମରିକ ତଥ୍ୟ ଓ ସୂଚନା ପୁନରୁଦ୍ଧାର କରିବା ପାଇଁ ଏହାକୁ IRGC ର ବିଶେଷଜ୍ଞ ଦଳ ନିକଟକୁ ପଠାଯାଇଛି। ଏହାସହ ହର୍ମୁଜ୍ ପ୍ରଣାଳୀରେ କୌଣସି ଅନଧିକୃତ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ଇରାନ ନୌସେନା ଚେତାବନୀ ଦେଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ମଧ୍ୟ ଇରାନ ସେନା ସେଠାରୁ ଆମେରିକାର ଅନ୍ୟ ଏକ ଆଡଭାନ୍ସଡ୍ ସବମରିନ୍ ଡ୍ରୋନ୍ ଜବତ କରିଥିଲା । ତାହା ଆମେରିକୀୟ ପ୍ରତିରକ୍ଷା କମ୍ପାନୀ Dive-LD ମଡେଲ୍ ବୋଲି କୁହାଯାଇଥିଲା। 

ଏହି ଅଣ୍ଡରଓ୍ବାଟର ଡ୍ରୋନ୍‌କୁ ଜବତ କରିବା ନିଜର ଏକ ବଡ଼ ସାମରିକ ସଫଳତା ବୋଲି କହିଥିଲା ଇରାନ ଗଣମାଧ୍ୟମ । ଅପରପକ୍ଷରେ, ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ, ପେଣ୍ଟାଗନ୍ ଇରାନର ଏହି ଦାବିକୁ ଅଧିକ ଗୁରୁତ୍ୱ ନଦେଇ ସ୍ପଷ୍ଟୀକରଣ ରଖିଥିଲା। ପେଣ୍ଟାଗନ୍ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଇରାନ ଜବତ ନେଇ ଘୋଷଣା କରିବାର ଗୋଟିଏ ଦିନ ପୂର୍ବରୁ ହିଁ ସେହି ଅଣ୍ଡରୱାଟର୍ ଡ୍ରୋନ୍‌ଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅକାମୀ ହୋଇପଡ଼ିଥିଲା। ଏହା ଆମେରିକାର ଏକ ପୁରୁଣା ମଡେଲର ଯାନ ଥିଲା ।  କେବଳ ସାଧାରଣ ସାମୁଦ୍ରିକ ସର୍ଭେ କାର୍ଯ୍ୟରେ ନିୟୋଜିତ ଥିଲା ଏବଂ ଏଥିରେ କୌଣସି ଗୁପ୍ତ ସୋନାର୍, ରାଡାର୍ କିମ୍ବା ସମ୍ବେଦନଶୀଳ ସାମରିକ ତଥ୍ୟ ନଥିଲା। କିନ୍ତୁ ଏବେ ଇରାନ ଅନ୍ୟ ଏକ ଅଣ୍ଡରଓ୍ବାଟ ଡ୍ରୋନ୍ ଜବତ କରିଥିବା ନେଇ ଦାବି କରିଛି ।