ଜୟପୁର ୨୫।୧୦ : ସୀମାନ୍ତ କୋଟିଆରେ ପୁଣି ଉତ୍ତେଜନା। ମୁହାଁମୁହିଁ ହେଲେ ଓଡ଼ିଶା ଏବଂ ଆନ୍ଧ୍ର ପୋଲିସ। କୋରାପୁଟ ବିଧାୟକ ରଘୁରାମ ମାଛଙ୍କ କୋଟିଆ ଗସ୍ତ ସମୟରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି।

ଆନ୍ଧ୍ର ପୋଲିସର ଅନୁପ୍ରବେଶକୁ ତୀବ୍ର ବିରୋଧ କରିଛନ୍ତି ବିଧାୟକ। କୋଟିଆରେ ବିଜେପି ପ୍ରତିନିଧି ମଣ୍ଡଳ ଗସ୍ତ ବେଳେ ଘଟିଥିଲା ଘଟଣା । ବିଜେପି ପ୍ରତିନିଧିମଣ୍ଡଳ ଆନ୍ଧ୍ର ପୋଲିସ ଗୋ-ବ୍ୟାକର ନାରା ଦେଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ସ୍ଥାନୀୟ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା । କୋରାପୁଟ ଜିଲ୍ଲା କୋଟିଆ ପୁଣି ଥରେ ସୀମା ବିବାଦକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା। ଶନିବାର ରାତିରେ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳ କୋଟିଆ ଗସ୍ତ କରିଥିଲେ। ସେଠାରେ ଆନ୍ଧ୍ର ପୋଲିସର ଉପସ୍ଥିତିକୁ ଦେଖିବା ପରେ ପରିସ୍ଥିତି ସରଗରମ ହୋଇଥିଲା।

ବିଧାୟକ ଶ୍ରୀ ମାଛ ଏବଂ ବିଜେପି ଟିମ୍ ସେଠାରେ ପହଞ୍ଚିବା ପରେ ଆନ୍ଧ୍ର ପୋଲିସର ଦାଦାଗିରିକୁ ତୀବ୍ର ବିରୋଧ କରିଥିଲେ। ଓଡ଼ିଶା ମାଟିରେ ଆନ୍ଧ୍ର ପୋଲିସ କେଉଁ ଆଧାରରେ ମୁତୟନ ହୋଇଛି, ଏନେଇ ବିଧାୟକ ପ୍ରଶ୍ନ କରିଥିଲେ। ଫଳରେ ଓଡ଼ିଶା ପୋଲିସ ଏବଂ ଆନ୍ଧ୍ର ପୋଲିସ ମଧ୍ୟରେ କିଛି ସମୟ ପାଇଁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକ ସ୍ପଷ୍ଟ ଭାବେ କହିଥିଲେ ଯେ, କୋଟିଆ ଓଡ଼ିଶାର ଏବଂ ଏଠାରେ ଆନ୍ଧ୍ରର କୌଣସି ଅଧିକାର ନାହିଁ।

Also Read:-ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଉଦଘାଟନ କରିବେ ଆରବିଆଇ ଡାଟା ସେଣ୍ଟର

ଆନ୍ଧ୍ରର ଏହି ଅନୁପ୍ରବେଶ ନୀତିକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ଆନ୍ଧ୍ର ପୋଲିସ ସେଠାରୁ ହଟିବାକୁ ବାଧ୍ୟ ହୋଇଥିଲା। ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଓଡ଼ିଶା ପ୍ରଶାସନ ପକ୍ଷରୁ ସଜାଗ ଦୃଷ୍ଟି ରଖାଯାଇଛି।