ନୂଆଦିଲ୍ଲୀ, ୧୮।୧୧ : ହ୍ୟାକରଙ୍କ ଟାର୍ଗେଟରେ ଆମେରିକା । ଆମେରିକାରେ ଲଗାତାର ଭାବେ ହ୍ୟାକିଂ ଓ ଯାନ୍ତ୍ରିକ ତ୍ରୁଟି ମାମଲା ସାମ୍ନାକୁ ଆସୁଥିବା ବେଳେ ଦେଶର ଜାତୀୟ ସୁରକ୍ଷା ଏଜେନ୍ସିର ଓ୍ୱେବସାଇଟ୍ ଏବଂ ନେଟଓ୍ୱର୍କ ଠପ୍ ହୋଇଯାଇଛି । ଏହାର ଅତ୍ୟନ୍ତ ଗୋପନୀୟ ସଂଚାର ନେଟଓ୍ୱର୍କ ମଧ୍ୟ କାମ କରିବା ବନ୍ଦ କରିଦେଇଛି । ଯାହାକୁ ନେଇ ଦେଶରେ ଆଲୋଡନ ଖେଳିଯାଇଛି ।

ସିଏନଏନ୍ ଏହି ମାମଲାର ତଦନ୍ତ କରୁଛି । କେଉଁ କାରଣରୁ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଛି ତାହାର ତଦନ୍ତ କରାଯାଉଛି । ଅନେକ ଏହାକୁ ସାଇବର୍ ଆଟାକ୍ ବୋଲି ସନ୍ଦେହ କରୁଛନ୍ତି । କିନ୍ତୁ ଏନେଇ କୌଣସି ପ୍ରମାଣ ମିଳିନାହିଁ । ଏହି ନେଟଓ୍ୱର୍କକୁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ କଥାବାର୍ତ୍ତା ପାଇଁ ବ୍ୟବହାର କରାଯାଏ ।

ରିପୋର୍ଟ ଅନୁସାରେ, ଏନଏସଏ ନେଟଓ୍ୱର୍କରେ କଣ ଅସୁବିଧା ରହିଛି ସେନେଇ ଛାନଭୀନ୍ ଆରମ୍ଭ ହୋଇଛି । ଏନଏସଏ ମଧ୍ୟ ସ୍ପଷ୍ଟ ଭାବେ କିଛି କହିନାହିଁ । କିନ୍ତୁ ଏହାଦ୍ୱାରା ଏସିଆ ଗସ୍ତରେ ଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କ ଗୁଇନ୍ଦା ସୂଚନା ବ୍ୟବସ୍ଥା ପ୍ରଭାବିତ ହୋଇନାହିଁ । ସରକାରଙ୍କ ପାଖରେ ଅନ୍ୟ ବିକଳ୍ପ ବ୍ୟବସ୍ଥା ରହିଛି । ଯାହା ଦ୍ୱାରା ଟ୍ରମ୍ପ୍ ଯୋଗାଯୋଗ କରିପାରିବେ ।

ଏସବୁକୁ ନେଇ ଟ୍ରମ୍ପ୍ କହିଛନ୍ତି ଯେ, ଏହିସବୁ କଥା ସଦାବେଳେ ଚାଲିଥାଏ । ଏନେଇ କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଲଗାତାର ଭାବେ ମାଇକ୍ରୋସଫ୍ଟ୍ ଏବଂ ଏୟାରଟ୍ରାଫିକ୍ କଣ୍ଟ୍ରୋଲରେ ସମସ୍ୟା ଉପୁଜିଛି । ତେବେ ଅଧିକ ସୂଚନା ଦେବାକୁ ଟ୍ରମ୍ପ୍ ମନା କରିଦେଇଛନ୍ତି ।

କୁହାଯାଉଛି ଯେ, ଆମେରିକାରେ ଅନେକ ପୁରୁଣା ସିଷ୍ଟମ ଏବେବି କାର୍ଯ୍ୟକ୍ଷମ ଅଛି । ତେଣୁ ନୂଆ କାମ ପାଇଁ ଚାପ ବଢୁଛି । ତେବେ ଏଥିରେ କୌଣସି ସାଇବର ଆଟାକର ପ୍ରମାଣ ମିଳିନାହିଁ ।