ଲାହୋର: ଏକ ପାକିସ୍ତାନୀ କୋର୍ଟ ୨ ବିଦେଶୀ ମହିଳାଙ୍କ ସହିତ ଗଣ ଦୁଷ୍କର୍ମ ମାମଲାରେ ଉପପ୍ରଧାନ ମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କ ନାତିଙ୍କ ସମେତ ୮ ଜଣ ସନ୍ଦିଗ୍ଧଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛି। କୋର୍ଟର ଜନୈକ ଅଧିକାରୀ କହିଛନ୍ତି ଯେ ଲାହୋର ଅତିରିକ୍ତ ଜିଲ୍ଲା ଓ ସେସନସ ଜଜ ରଫାକତ ଅଲ୍ଲୀ ଗୋଣ୍ଡାଲ ସନ୍ଦିଗ୍ଧଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି। ସନ୍ଦିଗ୍ଧମାନେ ନିଜ ଦୋଷ ସ୍ୱୀକାର କରିଛନ୍ତି। ମାମଲାର ଆନୁଷ୍ଠାନିକ ବିଚାର ଆରମ୍ଭ କରିବା ପାଇଁ ବିଚାରପତି ଡିସେମ୍ବର ୯ ତାରିଖରେ ସାକ୍ଷୀମାନଙ୍କୁ ହାଜର କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରେ ସବୁ ସନ୍ଦିଗ୍ଧ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି ଓ ସେମାନଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିବା ପାଇଁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପଞ୍ଜାବ ପୋଲିସ ଏହି ମାମଲାରେ ଇସାକ୍ ଡାରଙ୍କ ନାତି ଓ ତାଙ୍କର ୪ ବନ୍ଧୁଙ୍କୁ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରି ନାହିଁ, ବରଂ ଡାରଙ୍କ ଅନ୍ୟ ୩ ଜଣ କର୍ମଚାରୀ ମଧ୍ୟ ମହିଳାଙ୍କ ପ୍ରତି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୀଡିତାଙ୍କ ମଧ୍ୟରୁ ଜଣେ ନେଦରଲ୍ୟାଣ୍ଡର ହୋଇଥିବା ବେଳେ ଅନ୍ୟଜଣକ ଭେନେଜୁଏଲାର।

ଗତ ଜୁନ ମାସରେ ସେମାନେ ଏକ ବ୍ୟବସାୟୀକ ଯାତ୍ରାରେ ଲାହୋର ଆସିଥିଲେ। ଅଭିଯୋଗ ହୋଇଛି ଯେ ରାଜା ଡାର ଓ ତାଙ୍କର ୪ ବନ୍ଧୁ ସେମାନଙ୍କୁ ଅପହରଣ କରି ସେମାନଙ୍କ ପ୍ରତି ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଡାକ୍ତରୀ ମାଇନାରୁ ଅଭିଯୋଗ ପୁଷ୍ଟି ହୋଇଛି। ପୋଲିସରେ ଅଭିଯୋଗ କରିବା ପରେ ବୟାନ ରେକର୍ଡ କରାଇ ପୀଡ଼ିତା ଦ୍ୱୟ ନିଜନିଜ ଦେଶକୁ ଫେରି ଯାଇଛନ୍ତି। ତେବେ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ବେଳେ ଏଥିରେ ଉପପ୍ରଧାନମନ୍ତ୍ରୀଙ୍କ ନାତି ରାଜା ଡାରଙ୍କ ସମ୍ପୃକ୍ତି ଜଣାପଡିଛି, ଯାହା ଏବେ ଦେଶରେ ଚହଳ ପକାଇଛି।