ଶ୍ରୀନଗର, ୧୨।୧୧ : ଦୁଇ ପୋଲିସ ଅଧିକାରୀଙ୍କ ମୃତଦେହ ଉଦ୍ଧାର । ଜମ୍ମୁକାଶ୍ମୀରର କିସ୍ତଓ୍ୱାଡ ଜିଲ୍ଲାରେ ପାଟ୍ରୋଲିଂ କରୁଥିଲେ ଦୁଇ ଅଧିକାରୀ । କିନ୍ତୁ ପାଟ୍ରୋଲିଂ ପରେ ସେମାନଙ୍କ ପତ୍ତା ମିଳିନଥିଲା । ଏବେ ସେମାନଙ୍କ ମୃତଦେହ ଉଦ୍ଧାର ହେବା ପରେ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ମୃତ୍ୟୁ କିପରି ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Also Read :- Nvidia Conflict : କର୍ମଚାରୀଙ୍କୁ କ୍ଷମା ମାଗିଲେ ଏନଭିଡିଆ CEO : କହିଲେ 'ଭୁଲକୁ ସୁଧାରି ହେବନି '

ରିପୋର୍ଟ ଅନୁସାରେ, ବୁଧବାର କିସ୍ତଓ୍ୱାଡ ଜିଲ୍ଲାରେ ଦୁଇ ଏସପିଓ ପାଟ୍ରୋଲିଂ ଡ୍ୟୁଟିରେ ଥିଲେ । କିନ୍ତୁ ସେମାନଙ୍କ ସହ ମୁଖ୍ୟାଳୟର ଯୋଗାଯୋଗ ହୋଇପାରିନଥିଲା । ଏହାପରେ ସେମାନେ ନିଖୋଜ ଥିବା ନେଇ ରିପୋର୍ଟ ଲେଖାଯାଇଥିଲା । ଏବେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ପ୍ରାଣ ହରାଇଥିବା ଦୁଇ ଏସପିଓ ହେଲେ ୪୦ ବର୍ଷୀୟ ରସପାଲ କୁମାର ଏବଂ ୫୪ ବର୍ଷୀୟ ବବି ଚାନ୍ଦ । ସେମାନେ ଡଚ୍ଚନ-ମାରଓ୍ୱାରେ ପାଟ୍ରୋଲିଂ କରୁଥିଲେ । ସେନା ସହ ମିଳିତ ପାଟ୍ରୋଲିଂ ସାମିଲ ହୋଇଥିଲେ । କିନ୍ତୁ ଧେରନା ପୋଷ୍ଟ୍ ଯିବା ସମୟରେ ସେମାନଙ୍କ ନିଖୋଜ ନେଇ ଖବର ମିଳିଥିଲା । ଏହି ସ୍ଥାନରେ ସେହିଦିନ ଗୁଳିମାଡ଼ର ଶବ୍ଦ ସ୍ଥାନୀୟ ଲୋକେ ଶୁଣିଥିବା ମଧ୍ୟ ଦାବି କରାଯାଉଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ନିଖୋଜର କିଛି ସମୟ ଯାଏଁ ଦୁଇ ପୋଲିସ ଅଧିକାରୀଙ୍କ ଫୋନ୍ ରିଙ୍ଗ୍ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଫ୍ ହୋଇଯାଇଥିଲା । ସେମାନଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୬ରେ କିସ୍ତଓ୍ୱାଡରେ ବସିର୍ ଅହମ୍ମଦନାମକ ଅନ୍ୟ ଜଣେ ପୋଲିସ କର୍ମଚାରୀ ନିଖୋଜ ହୋଇଯାଇଥିଲେ । ସେ ପେଡିଲ୍ ପୋଷ୍ଟରେ ମୁତୟନ ହୋଇଥିଲେ । ଏପରିତି ତାଙ୍କ ରାଇଫଲ୍ ମଧ୍ୟ ଗାଏବ ହୋଇଯାଇଥିଲା । ପରେ ତାଙ୍କର ମୃତଦେହ ଜବତ କରାଯାଇଥିଲା ।