ନୂଆଦିଲ୍ଲୀ, ୨୩।୧୧ : ଗଣତନ୍ତ୍ରରେ ଲୋକମାନେ ସାମ୍ବିଧାନିକ ସଂସ୍ଥାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା କିମ୍ବା ଆଲୋଚନା କରିବାର ପୂରା ଅଧିକାର ରହିଛି। କିନ୍ତୁ ସେମାନଙ୍କୁ ସଂସ୍ଥାକୁ ଟାର୍ଗେଟ କରିବାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ।

ହିମାଚଳ ପ୍ରଦେଶର ଧର୍ମଶାଳା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ରବିବାର ଯୋଗଦେବା ଅବସରରେ ସିଜେଆଇ କହିଛନ୍ତି, କୌଣସି ନିଷ୍ପତ୍ତି ଉପରେ ଅସହମତି ଏବଂ ଉକ୍ତ ନିଷ୍ପତ୍ତି ନେଇଥିବା ସଂସ୍ଥା ଉପରେ ପ୍ରଶ୍ନ ଉଠାଇବା ଦୁଇଟି ଅଲଗା କଥା। କିନ୍ତୁ ଲୋକମାନେ ଏହା ଭିତରେ ଫରକ୍ ଜାଣିପାରୁ ନାହାନ୍ତି । ଏହାଦ୍ୱାରା ଉକ୍ତ ସଂସ୍ଥା ଉପରେ ଲୋକଙ୍କ ଭରସା ଦୁର୍ବଳ ହେଉଛି। ଯେଉଁ ଭରସା ଗଣତନ୍ତ୍ରକୁ ଚଳାଇବା ପାଇଁ ନିହାତି ଆବଶ୍ୟକ।

Also Read :- ସିନ୍ଧୁ ଜଳ ଚୁକ୍ତିରେ ହାତ କାଟି ଦେବାକୁ ଧମକ ଦେଇଥିଲେ ପାକିସ୍ତାନ ମନ୍ତ୍ରୀ: ଭାରତକୁ ଆସିବା ପରେ କ'ଣ କହିଲେ ?

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସେ ସଫଳତାର ମନ୍ତ୍ର ମଧ୍ୟ ଦେଇଛନ୍ତି। କହିଛନ୍ତି ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ରାସ୍ତା ସବୁବେଳେ ସିଧା ହୋଇନଥାଏ। ସେଥିପାଇଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଧୈର୍ଯ୍ୟ ରଖିବା ଜରୁରି। କୌଣସି ଜଣେ ବ୍ୟକ୍ତି ପାହାଡ ଚଢ଼ନ୍ତି ନାହିଁ। ସେଥିପାଇଁ ଜୀବନରେ ଆଗକୁ ବଢ଼ିବାକୁ ହେଲେ ଅନ୍ୟର ସାଥ୍ ଓ ସହଯୋଗ ଜରୁରି ବୋଲି ସେ କହିଛନ୍ତି।

ଧର୍ମଶାଳା ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭୦୨ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେଥିରେ ୫୮୪ ପୋଷ୍ଟ ଗ୍ରାଜୁଏଟ୍, ୨୯ ଗ୍ରାଜୁଏଟ୍ ଓ ୪୮ ଜଣ ପିଏଚଡି ଧାରୀ ରହିଛନ୍ତି। ସେହିଭଳି ୨୩ ଛାତ୍ରୀଙ୍କ ସମେତ ୩୨ ଜଣଙ୍କୁ ଗୋଲ୍ଡ ମେଡାଲ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟପାଳ କବିନ୍ଦର ଗୁପ୍ତା ଓ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଉପସ୍ଥିତ ଥିଲେ ।