ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ମେରୁଦଣ୍ଡରେ ଆଘାତ ଲାଗିବ ପରେ ବହୁତ ଦିନ ହେବ ଲାଇମ ଲାଇଟରୁ ଦୂରରେ ଅଛନ୍ତି ଅଭିନେତ୍ରୀ । ତେବେ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ନୂଆ ଅପଡେଟ ଦେଇଛନ୍ତି ନୁସରତ । ବହୁତ ଦିନ ପରେ ସେ ଏବେ ସୋସିଆଲ ମିଡିଆରେ ନିଜର ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ତାଙ୍କର ଏହି ପୋଷ୍ଟ ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

କିଛିଦିନ ପୂର୍ବେ ସେ ଛୁଟି କାଟିବା ପାଇଁ ବାଲି ଯାଇଥିବା ସମୟରେ ହଠାତ ସେଠାରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ବାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଡାକ୍ତରୀ ପର୍ଯ୍ୟବେକ୍ଷଣ କରାଯାଇଥିଲା। ଏହାପରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କ ସହ ନିଜ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ସେୟାର କରିଛନ୍ତି। ତାଙ୍କର ଏହି ପୋଷ୍ଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଅଭିନେତ୍ରୀଙ୍କ ଫଟୋ ଓ ସ୍ୱାସ୍ଥ୍ୟଗତ ଅପଡେଟ୍ ତାଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଛି।

ଶନିବାର ଦିନ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ତାଙ୍କୁ ଏକ ରିକ୍ଲାଇନିଂ ହ୍ୱିଲଚେୟାରରେ ବସିଥିବାର ଦେଖିବାକୁ ମିଳିଛି ଏବଂ ଝରକା ଦେଇ ସୂର୍ଯ୍ୟାସ୍ତର ଏକ ସୁନ୍ଦର ଦୃଶ୍ୟ ମଧ୍ୟ ଦେଖାଯାଉଛି। ସମୟ କିପରି ଜଣେ ବ୍ୟକ୍ତିଙ୍କ ବାସ୍ତବତାକୁ ଅକଳ୍ପନୀୟ ଭାବେ ବଦଳାଇ ଦେଇପାରେ, ସେ ବିଷୟରେ ନୁସରତ୍ ନିଜର ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଅଭିନେତ୍ରୀ ନିଜ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, "ପିକ୍ଚର ଅଭି ବାକି ହୈ..ମେରେ ଦୋସ୍ତ।" ଆଉ ଏହି ଲାଇନ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କର ଏହି ମନ୍ତବ୍ୟରୁ ସେ ଆଗକୁ ବଢ଼ିବାକୁ ଆଶାବାଦୀ ଥିବା ଜଣାପଡ଼ୁଛି। ତେବେ ନୁସରତ ଭରୁଚା ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପରିଚିତ ଅଭିନେତ୍ରୀ। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଖବରକୁ ନେଇ ପ୍ରଶଂସକମାନେ ଚିନ୍ତିତ ରହିଥିବା ବେଳେ ତାଙ୍କର ନୂଆ ପୋଷ୍ଟ ସେମାନଙ୍କୁ ଆଶ୍ୱସ୍ତି ଦେଇଛି । ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି ।