ନ୍ୟୁୟର୍କ, ୦୨/୦୪ : ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ତାଲିକାରେ ସାମିଲ ହେବାକୁ ଦିଆଯିବ ନାହିଁ । ଇରାନ ସହ କୌଣସି ଡିଲ୍ ହେବ ନାହିଁ । ଆମେରିକା ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଦେଇ ତେଲ ଆମଦାନୀ କରିନଥାଏ । ଭବିଷ୍ୟତରେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଆମେରିକା ପାଇଁ ସେତେ ମାତ୍ରାରେ ଆବଶ୍ୟକ ନୁହେଁ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ।

ଟ୍ରମ୍ପ୍ କହିଛନ୍ତି ଯେ, ଇରାନର ସମସ୍ତ ଟପ୍ ନେତାଙ୍କୁ ନିପାତ କରାଯାଇଛି । ମାସେ ହେଲା ଇରାନ ସହ ଯୁଦ୍ଧ ଜାରି ରହିଛି । ଇରାନର ପରମାଣୁ ପ୍ରକଳ୍ପକୁ କେବେ ହେଲେ ସଫଳ କରାଇଦିଆଯିବ ନାହିଁ । ଇରାନ କେବେହେଲେ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହୋଇପାରିବ ନାହିଁ । ଇସ୍ରାଏଲ ଏବଂ ଆମେରିକା ଏହି କାମରେ ଲାଗିଛନ୍ତି । ଆମେରିକାର ଯବାନ ମଧ୍ୟ ଏଥିରେ ପ୍ରାଣ ହରାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଇରାନର ନୌସେନା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବାୟୁସେନାକୁ ଆମେରିକା ଶକ୍ତିହୀନ କରିଦେଇଛି । ଆଇଆରଜିସିର ନେତୃତ୍ୱକୁ ୟୁଏସ ଏବଂ ଇସ୍ରାଏଲ ଅକାମୀ କରିଦେଇଛନ୍ତି । ଏହାସହ ସେ ଆମେରିକା ସୈନ୍ୟଙ୍କ ପ୍ରଶଂସା କରିଛନ୍ତି । ତାଙ୍କ କହିବାନୁସାରେ, ଭେନେଜୁଏଲାରେ ଆମେରିକା ସୈନ୍ୟ ନିଜର ଦମ୍ ଦେଖାଇଥିଲେ । ମାତ୍ର କିଛି ମିନିଟରେ ଏକ ବଡ ଅପରେସନକୁ ସେମାନେ ସଫଳ କରିଥିଲେ । ଯାହା ସାରା ବିଶ୍ୱରେ ଆମେରିକାକୁ ଅନେକ ସମ୍ମାନ ଦେଇଛି । ଏବେ ଆମେରିକା ଭେନେଜୁଏଲାର ବିଶାଳ ଗ୍ୟାସ୍ ଏବଂ ତୈଳକୁ ବିକ୍ରି କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛି । ମଧ୍ୟପ୍ରାଚ୍ୟରେ ମଧ୍ୟ ଶକ୍ତି କ୍ଷେତ୍ରରେ ଆମେରିକାକୁ ସ୍ୱାଧିନତା ମିଳିଛି । ଯାହା ସେ ସହଯୋଗୀ ଗଲଫ୍ ଦେଶଙ୍କ ସହ ମିଶି ଆଗକୁ ବଢାଇବେ ।

ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନେଇ ବଡ କଥା

ଟ୍ରମ୍ପ୍ କହିଛନ୍ତି ଯେ, ସେ ହର୍ମୋଜ୍ ଷ୍ଟ୍ରେଟ୍ ଆସିବେ । ଏହାର ସୁରକ୍ଷା ମଧ୍ୟ କରିବେ । ଯେତେବେଳେ ଯୁଦ୍ଧ ସରିବ ଏହା ଖାଲି ହୋଇଯିବ । ଆସନ୍ତା ଦୁଇରୁ ତିନି ସପ୍ତାହରେ ଆମେରିକା ଆହୁରି ଘାତକ ଆକ୍ରମଣ କରାଯିବ । ଇରାନ୍ ସହ କୌଣସି ଡିଲ୍ ହେବ ନାହିଁ । ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଆମେରିକା ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହି ଜଳପଥ ଦେଇ ଆମେରିକା ଅଧିକ କିଛି କାରବାର କରେ ନାହିଁ । ଯେଉଁ ଦେଶ ଏହି ଜଳପଥ ଉପରେ ନିର୍ଭର କରୁଛନ୍ତି ସେମାନେ ନିଜେ ନିଜ ଜାହାଜର ସୁରକ୍ଷା କଥା ଭାବିବା ଦରକାର ।

ଲକ୍ଷ୍ୟ ନିକଟରେ ଆମେରିକା

ୟୁଏସ୍ ରାଷ୍ଟ୍ରପତି କହିଛନ୍ତି ଯେ, ସେମାନେ ଲକ୍ଷ୍ୟର ନିକଟତର ହୋଇଛନ୍ତି । ଆମେରିକା ହାତକୁ ନେଇଥିବା କାମକୁ ଶୀଘ୍ର ପୂରା କରିବ । ଯୁଦ୍ଧ ଜାରି ରହିଥିବା ଯାଏଁ ଆମେରିକା ଗଲଫ୍ ଦେଶର ରକ୍ଷା କରିବ । ଇରାନର ମିସାଇଲ କ୍ଷମତାଠୁ ଆରମ୍ଭ କରି ସାମରିକ ଶକ୍ତିକୁ ନଷ୍ଟ କରାଯାଇଛି । ଇରାନ ଯେପରି କୌଣସି ଆଣବିକ ଶକ୍ତି ବିକଶିତ କରିପାରିବ ନାହିଁ ତାହାକୁ ଆମେରିକା ସୁନିଶ୍ଚିତ କରିବ ।

ଆମେରିକାଠୁ ତେଲ କିଣ

ନିଜ ଦେଶରୁ ତେଲ କିଣିବା ପାଇଁ ଅନ୍ୟ ଦେଶକୁ ଟ୍ରମ୍ପ୍ କହିଛନ୍ତି । ସେ କହିଛନ୍ତି ଯେ, ଆମେରିକା ପାଖରେ ବହୁତ ତେଲ ଅଛି । ଅନ୍ୟ ଦେଶ ସାହସ କରି ଆମେରିକା ସହ ଡିଲ୍ କରିବା ଉଚିତ । ଆମେରିକା ସହ ମିଶି ହର୍ମୋଜ୍ ଷ୍ଟ୍ରେଟ୍ ଆସନ୍ତୁ । ଏହାକୁ ଅକ୍ତିଆର କରି ସୁରକ୍ଷା କରନ୍ତୁ ବୋଲି ଟ୍ରମ୍ପ୍ ନିଜ ସମ୍ବୋଧନରେ କହିଛନ୍ତି ।