ନୋଏଡା: ଦରମା ବୃଦ୍ଧି ଦାବିରେ ନୋଏଡାରେ ଶ୍ରମିକମାନଙ୍କ ଦ୍ୱାରା ଗତ ତିନି ଦିନ ଧରି ଚାଲିଥିବା ଆନ୍ଦୋଳନ ସୋମବାର ଉଗ୍ର ରୂପ ନେଇଛି। ବିକ୍ଷୋଭକାରୀ ଶ୍ରମିକମାନେ ରାଜରାସ୍ତା ଅବରୋଧ କରିବା ସହ ବ୍ୟାପକ ଭଙ୍ଗାରୁଜା ଓ ଜାଳେଣି କରିଛନ୍ତି। ଏହାଫଳରେ ଦିଲ୍ଲୀ-ନୋଏଡା ସୀମାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସକୁ ମୃଦୁ ବଳପ୍ରୟୋଗ କରିବାକୁ ପଡ଼ିଛି।

ବିଶେଷ କରି ଫେଜ୍-୨ ଅଞ୍ଚଳ, ସେକ୍ଟର ୧ ଏବଂ ୮୪ରେ ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା। ଏଠାରେ ବିକ୍ଷୋଭକାରୀ ଶ୍ରମିକମାନେ ଅତିକମ୍ରେ ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବିଶାଳ ସଂଖ୍ୟାରେ ଶ୍ରମିକମାନେ ରାସ୍ତାକୁ ଓହ୍ଲାଇ ନାରାବାଜି କରିବା ସହ ରାସ୍ତା ଅବରୋଧ କରିବାରୁ ବିଭିନ୍ନ କାରଖାନା ଅଞ୍ଚଳରେ ଉତ୍ତେଜନା ବ୍ୟାପିଯାଇଥିଲା। ଗୋଟିଏ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ଏବଂ ଶିଳ୍ପ ବିଭାଗ ଅଧିକାରୀମାନେ ଦରମା ବୃଦ୍ଧି ଦାବି ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଏପରି ହିଂସାତ୍ମକ ରୂପ ଧାରଣ କରିଛନ୍ତି।

ଡିଏନଡି ଫ୍ଲାଏୱେରେ ପ୍ରବଳ ଭିଡ଼

  • ଏହି ଆନ୍ଦୋଳନ ଯୋଗୁଁ ଅଫିସ୍ ଯିବା ସମୟରେ ଦିଲ୍ଲୀ-ନୋଏଡା ସୀମାର ପ୍ରମୁଖ ରାସ୍ତା, ବିଶେଷକରି ଡିଏନଡି ଫ୍ଲାଏୱେରେ ଭୟଙ୍କର ଭିଡ଼ ଦେଖାଦେଇଥିଲା। ରାସ୍ତାରେ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଲମ୍ବା ଧାଡ଼ିରେ ଫସି ରହିବାରୁ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ହନ୍ତସନ୍ତ ହୋଇଥିଲେ।
  • ସ୍ଥିତିକୁ ସମ୍ଭାଳିବା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ଏବଂ ନୋଏଡା ପୋଲିସର ବହୁ ସଂଖ୍ୟକ ବାହିନୀ ମୁତୟନ କରାଯାଇଛି। ଗୌତମ ବୁଦ୍ଧ ନଗର କମିଶନରେଟ୍ ଅଧୀନରେ ଥିବା ସମସ୍ତ ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଶ୍ରମିକଙ୍କ ସ୍ୱାର୍ଥ ପାଇଁ ନୋଏଡା ପ୍ରାଧିକରଣ ବୈଠକ

ଉତ୍ତେଜନା ଶାନ୍ତ କରିବା ପାଇଁ ନୋଏଡା ପ୍ରାଧିକରଣଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା, ଅତିରିକ୍ତ ସମୟର କାମ ପାଇଁ ଦୁଇଗୁଣା ମଜୁରୀ, ବୋନସ୍ ପ୍ରଦାନ, ସାପ୍ତାହିକ ଛୁଟି ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ, ନୋଏଡା ଜିଲ୍ଲାପାଳ ମେଧା ରୂପମ ଶ୍ରମିକମାନଙ୍କ ସୁବିଧା ପାଇଁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲିବାକୁ ଘୋଷଣା କରିବା ସହ ଅଭିଯୋଗ ପଞ୍ଜିକରଣ ପାଇଁ ସହାୟତା ନମ୍ବର ଜାରି କରିଛନ୍ତି। ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ନିର୍ଭରପ୍ରତିଶ୍ରୁତି ଦେଇଛନ୍ତି।