ମୁମ୍ବାଇ: ଟାଟା ସମୂହରେ ଏନ୍.ଚନ୍ଦ୍ରଶେଖରନ ଚେୟାରମ୍ୟାନ ଅବସ୍ଥାପିତ ରହିବାର ରାସ୍ତା ସଫା ହୋଇଯାଇଛି। ଟାଟା ସନ୍ସ ବୋର୍ଡ ଏନ.ଚନ୍ଦ୍ରଶେଖରନଙ୍କୁ ଚେୟାରମ୍ୟାନ ରହିବା ଲାଗି ୫ ବର୍ଷର ମଞ୍ଜୁରୀ ପ୍ରଦାନ କରିଛି। କୁହାଯାଉଛି ବୋର୍ଡ ଭୋଟିଂରେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ ନୋଏଲ ଟାଟାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ‘ମନି କଣ୍ଟ୍ରୋଲ’ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୧୭ରେ ଟାଟା ସନସ୍ ବୋର୍ଡ ଗ୍ରୁପର ହୋଲ୍ଡିଂ କମ୍ପାନୀ ମୁଖ୍ୟ ଭାବେ ଏନ୍.ଚନ୍ଦ୍ରଶେଖରନଙ୍କ ସପକ୍ଷରେ ୪-୧ ଭୋଟ ପଡିଛି। ତେବେ ନୋଏଲ ଟାଟା କହିଛନ୍ତି ଯେ ଏହି ଭୋଟ ‘ବେଆଇନ’।

ଏହି ନିଷ୍ପତ୍ତିର ବୈଧତାକୁ ନୋଏଲ ଟାଟା ଚ୍ୟାଲେଞ୍ଜ କରିଛନ୍ତି। ଏଣୁ ଭାରତର ସବୁଠୁ ବଡ଼ ବିଜନେସ୍ ଗ୍ରୁପର ନେତୃତ୍ୱ ଉପରେ ପ୍ରଭାବ ପଡିପାରେ ବୋଲି ଏବେ କୁହାଯାଇଛି। ଏହି ମାମଲାସହ ସମ୍ପୃକ୍ତ ଲୋକଙ୍କ ଅନୁସାରେ ନୋଏଲଙ୍କ ନେତୃତ୍ୱାଧୀନ ଟାଟା ସନସ୍ ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଚନ୍ଦ୍ରାଙ୍କୁ ହଟାଇବାକୁ ଉଦ୍ୟମ କରିପାରନ୍ତି। ଏଥିରେ ଯଦି ଚନ୍ଦ୍ରାଙ୍କୁ ଡାଇରେକ୍ଟର ପଦବୀରୁ ହଟାଇ ଦିଆଯାଏ ସେ ଚେୟାରମ୍ୟାନ ଭାବେ କାମ ଜାରି ରଖିପାରିବେନି ବୋଲି ମାମଲା ସହ ସମ୍ପୃକ୍ତ ଜନୈକ ସୂତ୍ର କହିଛନ୍ତି। ସେ କହିଛନ୍ତି ଯେ ଏସଆରଟିଟି ସମ୍ପର୍କିତ ମାମଲାର ସମାଧାନ ହୋଇଗଲେ ଏଜିଏମ ଆୟୋଜିତ ହେବ।

ତେବେ ମାମଲା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନୁସାରେ ଟାଟା ଟ୍ରଷ୍ଟ ମଧ୍ୟରୁ ଗୋଟିକରେ ଉତ୍ତରାଧିକାରୀ ପ୍ରକ୍ରିଆ ଆରମ୍ଭ କରିବା ଓ ଚନ୍ଦ୍ରାଙ୍କୁ ତୃତୀୟ କାର୍ଯ୍ୟକାଳ ନିମନ୍ତେ ଆଗକୁ ନ ବଢାଇବା ପାଇଁ ପୂର୍ବ ନିଷ୍ପତ୍ତିକୁ ସ୍ୱୀକାର କରି ପୂର୍ବରୁ ଭୋଟ କରିଦେଇଥିଲା। ଟାଟା ଟ୍ରଷ୍ଟର ଚେୟାରମ୍ୟାନ ନୋଏଲ ଟାଟା ଏକମାତ୍ର ବ୍ୟକ୍ତି ଯିଏ ଚନ୍ଦ୍ରଶେଖରନଙ୍କ ଦ୍ୱିତୀୟବାର ନିଯୁକ୍ତି ପ୍ରସ୍ତାବ ବିପକ୍ଷରେ ଭୋଟ କରିଥିଲେ। ଟାଟା ସନସଙ୍କବୋର୍ଡ କମ୍ପାନୀକୁ ଲିଷ୍ଟ କରିବା ପ୍ରସଙ୍ଗରେ ମଧ୍ୟ ବିଚାର କରିଛି। ହେଲେ ଏ ନେଇ କୌଣସି ପ୍ରସ୍ତାବ ଗୃହୀତ ହୋଇ ନାହିଁ। ତେବେ ହୋଲ୍ଡିଂ କମ୍ପାନୀରେ ସଂଖ୍ୟାଗରିଷ୍ଠ ଭାଗ ରଖିଥିବା ଟାଟା ଟ୍ରଷ୍ଟ ଚେୟାରମ୍ୟାନ ଭାବେ ଚନ୍ଦ୍ରଶେଖରନଙ୍କ ଦ୍ୱିତୀୟବାର ନିଯୁକ୍ତିକୁ ଚ୍ୟାଲେଞ୍ଚ କରିପାରନ୍ତି।