ଦିଲ୍ଲୀ : ଆସନ୍ତା ୯ ଅକ୍ଟୋବରରେ ଘୋଷଣା ହେବ ୨୦୨୬ ନୋବେଲ୍ ଶାନ୍ତି ପୁରସ୍କାର। ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଟ୍ରମ୍ପଙ୍କ ନାଁ ପାଇଁ କାମ୍ବୋଡିଆ, ଇସ୍ରାଏଲ୍ ଓ ପାକିସ୍ତାନ ସମେତ କିଛି ପକ୍ଷ ନିଜେ ତାଙ୍କୁ ନୋମିନେଟ୍ କରିଥିବା କହିଛନ୍ତି। କିନ୍ତୁ ନୋବେଲ୍ କମିଟି ନିଜେ କାହାର ନାଁକୁ ନୋମିନେସନ୍ ଭାବେ ସାର୍ବଜନୀନ କରେ ନାହିଁ। ସୂଚନା ଥାଉ କି,୨୦୨୬ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୭ ଜଣ ପ୍ରାର୍ଥୀଙ୍କ ନାଁ ନୋମିନେଟ୍ ହୋଇଛି। ଏଥିରେ ୨୦୮ ଜଣ ବ୍ୟକ୍ତି ଓ ୭୯ଟି ସଂଗଠନ ରହିଛନ୍ତି। ନୋବେଲ୍ କମିଟି କହିଛି, ଶାନ୍ତି, ସଂଘର୍ଷ ସମାଧାନ ଓ ଅନ୍ତର୍ଜାତୀୟ ସହଯୋଗରେ ଅବଦାନ ରଖୁଥିବା ପ୍ରାର୍ଥୀଙ୍କୁ ନେଇ କମିଟି ବିଚାର କରେ ।

ଟ୍ରମ୍ପଙ୍କ ସମର୍ଥକମାନେ ତାଙ୍କର ବିଭିନ୍ନ କୂଟନୈତିକ ପଦକ୍ଷେପ ଓ ସଂଘର୍ଷ ହ୍ରାସ ପାଇଁ କରିଥିବା ପ୍ରୟାସକୁ ନୋବେଲ୍ ପୁରସ୍କାର ପାଇଁ ଦାବିର ଆଧାର ବୋଲି ଦେଖାଉଛନ୍ତି। ଟ୍ରମ୍ପ ନିଜେ ମଧ୍ୟ ଅନେକଥର ନୋବେଲ୍ ଶାନ୍ତି ପୁରସ୍କାର ପାଇବାର ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ମତ ଏକପାଖିଆ ନୁହେଁ। ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଓସ୍ଲୋର କାର୍ଯ୍ୟବାହୀ ନିର୍ଦ୍ଦେଶକ ହାକୋନ୍ ଗ୍ଜେର୍ଲୋଭ୍ କହିଛନ୍ତି ଯେ ଟ୍ରମ୍ପଙ୍କ ଚଳିତ ବର୍ଷର ଭୂମିକା, ବିଶେଷକରି ଇରାନ୍ ସହ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ, ତାଙ୍କୁ ପୁରସ୍କାର ମିଳିବାର ସମ୍ଭାବନାକୁ ଦୁର୍ବଳ କରୁଛି। ତାଙ୍କ ଆକଳନ ଅନୁସାରେ, ଗତବର୍ଷର ନୋବେଲ୍ ଶାନ୍ତି ପୁରସ୍କାରକୁ ନେଇ ଟ୍ରମ୍ପଙ୍କ ଭୂମିକା ମଧ୍ୟ ଚଳିତ ବର୍ଷ କମିଟିର ବିଚାରକୁ ପ୍ରଭାବିତ କରିପାରେ।

ଅନ୍ୟପକ୍ଷରେ, କିଛି ବିଶେଷଜ୍ଞ ଟ୍ରମ୍ପଙ୍କ ପୂର୍ବତନ କୂଟନୈତିକ ପଦକ୍ଷେପ ଓ ବିଭିନ୍ନ ଦେଶ ମଧ୍ୟରେ ଆଲୋଚନାକୁ ଆଗକୁ ବଢ଼ାଇବାର ଚେଷ୍ଟାକୁ ମଧ୍ୟ ବିଚାର କରିବା ଦରକାର ବୋଲି ମତ ଦେଇଛନ୍ତି। ତେବେ ଚଳିତ ବର୍ଷର ପୁରସ୍କାର ପାଇଁ ଟ୍ରମ୍ପଙ୍କ ପ୍ରାର୍ଥିତ୍ୱ ନେଇ ମତଭେଦ ରହିଛି। ଏଥର ନୋବେଲ୍ ଶାନ୍ତି ପୁରସ୍କାର ଦୌଡ଼ରେ ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତି ଓ ସଂଗଠନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଅନ୍ତର୍ଜାତୀୟ ସହଯୋଗର ପ୍ରତୀକ ଭାବେ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ର ନାଁକୁ ନେଇ ମଧ୍ୟ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି। ଏହାସହ ୟୁକ୍ରେନ୍ର ଶିଶୁ ଅଧିକାର କର୍ମୀ, ସୁଦାନର ଜରୁରୀକାଳୀନ ରିଲିଫ୍ ନେଟୱର୍କ ଓ ଅନ୍ୟାନ୍ୟ ସଂଗଠନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ତେଣୁ ଟ୍ରମ୍ପ ଚଳିତ ବର୍ଷ ନୋବେଲ୍ ଶାନ୍ତି ପୁରସ୍କାର ଜିତିବେ କି ନାହିଁ, ତାହା ଏବେ ବି ସନ୍ଦେହ ଘେରରେ । ବର୍ତ୍ତମାନ ନୋବେଲ୍ କମିଟିର ଅନ୍ତିମ ନିଷ୍ପତ୍ତି ହିଁ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇବ । ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାଁ ୯ ଅକ୍ଟୋବର ୨୦୨୬ରେ ଘୋଷଣା କରାଯିବ।