ଲକ୍ଷ୍ନୌ,୩|୦୨ :ଦୁର୍ନୀତି ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୂନ ସହନଶୀଳ ନୀତି ଅବଲମ୍ବନ କରିଛନ୍ତି । ସମ୍ପତ୍ତି ତାଲିକା ଦେଇ ନଥିବା ୬୮ ହଜାର ବାବୁଙ୍କର ଦରମା ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାର ସବୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ୨୦୨୫ ଡିସେମ୍ବର ୩୧ ତାରିଖ ସୁଦ୍ଧା ନିଜ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସବିଶେଷ ତଥ୍ୟ ୨୦୨୬ ଜାନୁଆରୀ ୩୧ ତାରିଖ ଭିତରେ ମାନବ ସମ୍ପଦ ପୋର୍ଟାଲରେ ଅପଲୋଡ କରିବାକୁ କହିଥିଲେ । ରାଜ୍ୟର ମୁଖ୍ୟ ଶାସନ ସଚିବ ଏସ୍ ପି ଗୋୟଲ ଏହି ମର୍ମରେ ସବୁ ବିଭାଗକୁ ଚିଠି ଲେଖି କଡାକଡି ଭାବେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଧାର୍ଯ୍ୟ ସମୟ ଭିତରେ ବହୁ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ସମ୍ପତ୍ତି ତଥ୍ୟ ଦେଇନାହାନ୍ତି ।

ରାଜ୍ୟର ମୋଟ ୮୬ ଲକ୍ଷ ୬ ହଜାର ୨୬୧ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଗ୍ରୁପ-ଏ, ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡିବର୍ଗର ୬୮,୨୩୬ ଜଣ ନିଜ ସମ୍ପତ୍ତି ତଥ୍ୟ ଦେଇନାହାନ୍ତି । ତେଣୁ ସେମାନଙ୍କର ଜାନୁଆରୀ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପର୍ଯ୍ୟନ୍ତ ସେମାନେ ନିଜ ସମ୍ପତ୍ତି ତଥ୍ୟ ଦେଇ ନାହାନ୍ତି ସେପର୍ଯ୍ୟନ୍ତ ଦରମା ନଦେବାକୁ କଡାକଡି ଭାବେ କୁହାଯାଇଛି ।