ବ୍ରହ୍ମଗିରି: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ଅକ୍ଟୋବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଫେରି ସେବା ଓ ପର୍ଯ୍ୟଟକ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜାରି ହୋଇଛି।

ଜରୁରୀକାଳୀନ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଜନିତ ପାଣିପାଗ ପରିବର୍ତ୍ତନ ଯୋଗୁଁ ସମୁଦ୍ର, ନଦୀ ଓ ଅନ୍ୟାନ୍ୟ ଜଳପଥରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନିର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି। ନିଷେଧାଦେଶ ସମୟରେ କୌଣସି ଡଙ୍ଗା କିମ୍ବା ଫେରି ସେବା ଯେପରି ବେଆଇନ ଭାବେ ଚାଲୁ ନହୁଏ, ସେଥିପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଘାଟଗୁଡ଼ିକରେ ନିୟମିତ ଯାଞ୍ଚ କରାଯିବ। ଏଥିସହ ଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବା ପାଇଁ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ ଜନସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।

Also Read: ଦକ୍ଷିଣ ଓଡ଼ିଶାରେ ODRAF-NDRF ମୁତୟନ, ଜିରୋ କାଜୁଆଲିଟି ଲକ୍ଷ୍ୟରେ ଓଡ଼ିଶା ସରକାର

ସେହିପରି ତହସିଲଦାର, ବିଡିଓ, ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ କର୍ତ୍ତୃପକ୍ଷ ନିଜ ନିଜ ଅଞ୍ଚଳରେ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଲାଗୁ କରିବେ। ନିର୍ଦ୍ଦେଶର ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସାତପଡ଼ା ଚିଲିକା ଡ଼ଲଫିନ ବୁଲିବାକୁ ଯାଉଥିବା ପର୍ଯ୍ୟଟକ ମାନେ ଏହି ସମୟରେ ଚିଲିକା ବୁଲିବାରୁ ବଞ୍ଚିତ ରହିବେ।
​​​​​​​