ପାଟନା: ବିହାରର ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ବିଜୟୀ ହୋଇଛନ୍ତି । ୨୦୨୫ ବିଧାନସଭା ନିର୍ବାଚନରେ ଜନ ସୂରାଜ ପାର୍ଟି ଖାତା ଖୋଲିପାରି ନଥିବା ବେଳେ ଦଳର ପ୍ରଥମ ବିଧାୟକ ହୋଇଛନ୍ତି ଏହାର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋରଙ୍କ ବିଜୟ ଶାସକ ବିଜେପି ପାଇଁ ମଧ୍ୟ ବଡ଼ ଆହ୍ବାନ ସୃଷ୍ଟି କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଗଡ଼ ଏବଂ ଦୀର୍ଘ ୩୦ ବର୍ଷ ଧରି ଦଳର କବଜାରେ ଥିବା ଏହି ଆସନରେ ପ୍ରଶାନ୍ତ କିଶୋର ବିଜୟୀ ହୋଇଛନ୍ତି । ଏହା ବ୍ୟତୀତ ଏହି ଉପନିର୍ବାଚନରେ ଆଉ ଏକ ମଜାଦାର ଘଟଣା ମଧ୍ୟ ଘଟିଛି ।

ବାଙ୍କୀପୁର ଉପନିର୍ବାଚନରେ ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ ଉଭୟ ପରାଜୟ ବରଣ କରିଛନ୍ତି । ଏପରିକି ସେମାନେ ୨୦୦ ଭୋଟି ବି ପାଇନାହାନ୍ତି । ନୀତୀଶ କୁମାରଙ୍କୁ ୧୪୯ ଖଣ୍ଡ ଭୋଟ ମିଳିଥିବା ବେଳେ ଲାଲୁ ଯାଦବଙ୍କୁ ମାତ୍ର ୮୧ ଖଣ୍ଡ ଭୋଟ ମିଳିଛି । ଆପଣମାନେ ଭାବୁଥିବେ, ଏହା କେମିତି ସମ୍ଭବ । ପ୍ରକୃତରେ ବାଙ୍କୀପୁର ଉପନିର୍ବାଚନରେ ନୀତୀଶ କୁମାର ଏବଂ ଲାଲୁ ଯାଦବ ନାମଧାରୀ ଦୁଇ ଜଣ ପ୍ରାର୍ଥୀ ଥିଲେ । ଇଏ ସେମାନେ ନୁହଁନ୍ତି, ଯାହାଙ୍କୁ ଆପଣ ଭାବୁଛନ୍ତି । 

ନୀତୀଶ ଏବଂ ଲାଲୁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଭାବରେ ଭାଗ୍ୟ ପରୀକ୍ଷା କରିଥିଲେ । ୨୫ ବର୍ଷୀୟ ନୀତୀଶ କୁମାର ପେଶାରେ ଜଣେ କଂନ୍ସଲଟାଣ୍ଟ ଏବଂ ସେ ଜେଏନୟୁ ବିଶ୍ବବିଦ୍ୟାଳୟରେ ପିଜି କରିଛନ୍ତି । ତାଙ୍କର ମୋଟ ସଂପତ୍ତି ୧ ଲକ୍ଷ ୩୧ ହଜାର ଟଙ୍କା ଏବଂ ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ଏନେଇ ନାମାଙ୍କନ ସମୟରେ ସେ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି । ସେହିଭଳି ଲାଲୁ ପ୍ରସାଦ ଯାଦବଙ୍କ ନିର୍ବାଚନୀ ସତ୍ୟପାଠ ଅନୁସାରେ, ତାଙ୍କର ବୟସ ଏବେ ୪୭ ବର୍ଷ । ସେ ଜଣେ କୃଷକ ଏବଂ ଦ୍ବାଦଶ ଯାଏଁ ପଢ଼ିଛନ୍ତି । ତାଙ୍କର ୪୧ ଲକ୍ଷ ଟଙ୍କାର ସଂପତ୍ତି ଅଛି ଏବଂ ତାଙ୍କ ବିରୋଧରେ ମଧ୍ୟ କୌଣସି ଅପରାଧିକ ମାମଲା ନାହିଁ । ତେବେ ବାଙ୍କୀପୁର ଉପନିର୍ବାଚନ ମୈଦାନରେ ମୋଟ ୨୬ ଜଣ ପ୍ରାର୍ଥୀ ଥିଲେ । ହେଲେ ପ୍ରଶାନ୍ତ କିଶୋର ବିଜୟୀ ହୋଇଛନ୍ତି ।