ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ଏବଂ ଟି-୨୦ ବିଶ୍ୱକପର ଫର୍ମାଟରେ ବଡ଼ ପରିବର୍ତ୍ତନକୁ ଆଇସିସି ମଞ୍ଜୁରି ଦେଇଛି । ଏଡିନବର୍ଗରେ ଅନୁଷ୍ଠିତ ଆଇସିସି ବୋର୍ଡର ବାର୍ଷିକ ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ ସମିତିର ସୁପାରିଶକୁ ମଞ୍ଜୁରି ଦେଇ ଏହି ନିଷ୍ପତ୍ତି ନିଆଯାଇଛି ।

ଆଇସିସିର କହିବା ଅନୁଯାୟୀ, ଏହି ପରିବର୍ତ୍ତନଗୁଡ଼ିକର ଉଦ୍ଦେଶ୍ୟ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଏବଂ ଅଧିକ ରୋମାଞ୍ଚକର କରିବା । ନୂଆ ଫର୍ମାଟ୍ ଯୋଗୁଁ ପ୍ରାରମ୍ଭିକ ମ୍ୟାଚରୁ ନେଇ ଫାଇନାଲ୍ ପର୍ଯ୍ୟନ୍ତ ପ୍ରତିଟି ମ୍ୟାଚର ଗୁରୁତ୍ୱ ବଢ଼ିବ । ପ୍ରତିଯୋଗିତାର ସ୍ତର ବଢିବ ଏବଂ ଖେଳାଳି ଓ ଦର୍ଶକ ଉଭୟଙ୍କ ଅନୁଭୂତି ଆହୁରି ଭଲ ହେବ ।

ଏହା ସହିତ, ଆଇସିସି ୨୦୨୮ ପୁରୁଷ ଟି-୨୦ ବିଶ୍ୱକପର କ୍ୱାଲିଫିକେସନ୍ ସିଷ୍ଟମକୁ ମଧ୍ୟ ମଞ୍ଜୁରି ଦେଇଛି । ସେହିପରି, ଆସୋସିଏଟ୍ ସଦସ୍ୟ ଦେଶଗୁଡ଼ିକ ପାଇଁ ୧୬ଟି ଦଳକୁ ନେଇ ଏକ ନୂଆ ଗ୍ଲୋବାଲ୍ ଟି-୨୦ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପ୍ରସ୍ତାବକୁ ମଧ୍ୟ ବୋର୍ଡର ସମର୍ଥନ ମିଳିଛି । ତେବେ ଏହି ନୂଆ ଟୁର୍ଣ୍ଣାମେଣ୍ଟକୁ ଚୂଡ଼ାନ୍ତ ମଞ୍ଜୁରି ନଭେମ୍ବର ମାସରେ ହେବାକୁ ଥିବା ଆଇସସିର ଆର୍ଥିକ ଓ ବାଣିଜ୍ୟିକ ବ୍ୟାପାର ସମିତିର ସମୀକ୍ଷା ପରେ ମିଳିବ ।

ଦିନିକିଆ ବିଶ୍ୱକପରେ ପ୍ରଥମ ଥର ପାଇଁ ହେବ 'ସୁପର ସିରିଜ'

ଆଇସିସି ରିପୋର୍ଟ ଅନୁଯାୟୀ, ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ରେ ପୂର୍ବଭଳି ୧୪ଟି ଦଳ ହିଁ ଭାଗ ନେବେ । କିନ୍ତୁ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ଢାଞ୍ଚା ବଦଳିଯିବ । ଏବେ ପ୍ରତିଯୋଗିତା ତିନୋଟି ପର୍ଯ୍ୟାୟରେ ଆୟୋଜିତ ହେବ । ପ୍ରଥମ ମ୍ୟାଚରୁ ହିଁ ପ୍ରତ୍ୟେକ ଦଳ ଉପରେ ଚାପ ଏବଂ ପ୍ରତିଟି ମ୍ୟାଚର ଗୁରୁତ୍ୱ ବଢ଼ିଯିବ ।

ପ୍ରଥମ ପର୍ଯ୍ୟାୟ: ସୁପର ସିରିଜ୍

ଟୁର୍ଣ୍ଣାମେଣ୍ଟର ଆରମ୍ଭ ର୍ୟାଙ୍କିଙ୍ଗର ୧୨ଶ, ୧୩ଶ ଏବଂ ୧୪ଶ ସ୍ଥାନରେ ଥିବା ଦଳଗୁଡ଼ିକ ମଧ୍ୟରେ ରାଉଣ୍ଡ-ରବିନ୍ 'ସୁପର ସିରିଜ୍' ମାଧ୍ୟମରେ ହେବ । ଏହି ତିନୋଟି ଦଳ ମଧ୍ୟରୁ ଶୀର୍ଷରେ ରହିବା ଦଳ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିବ ।

ଦ୍ୱିତୀୟ ପର୍ଯ୍ୟାୟ: ଗ୍ରୁପ୍ ଷ୍ଟେଜ୍

ଏହାପରେ ୧୨ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ । ପ୍ରତ୍ୟେକ ଗ୍ରୁପରେ ୬ଟି ଲେଖାଏଁ ଦଳ ରହିବେ । ଉଭୟ ଗ୍ରୁପର ଶୀର୍ଷ ୩-୩ ଦଳଙ୍କ ବ୍ୟତୀତ, ଉଭୟ ଗ୍ରୁପର ଅଲଗା ସର୍ବଶ୍ରେଷ୍ଠ ଦଳ 'ସୁପର-୭' ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ତୃତୀୟ ପର୍ଯ୍ୟାୟ: ସୁପର-୭

ଏଠାରେ ହିଁ ସବୁଠାରୁ ବଡ଼ ପରିବର୍ତ୍ତନ କରାଯାଇଛି । ସୁପର-୭ରେ ପହଞ୍ଚିବାକୁ ଥିବା ୭ଟି ଯାକ ଦଳ ପରସ୍ପର ବିରୋଧରେ ରାଉଣ୍ଡ-ରବିନ୍ ମ୍ୟାଚ୍ ଖେଳିବେ । ପଏଣ୍ଟ ଟେବୁଲର ଶୀର୍ଷ ୪ଟି ସ୍ଥାନ ହାସଲ କରିଥିବା ଦଳ ସେମିଫାଇନାଲରେ ପହଞ୍ଚିବେ । ଏହାପରେ ପ୍ରଥମ ବନାମ ଚତୁର୍ଥ ଏବଂ ଦ୍ୱିତୀୟ ବନାମ ତୃତୀୟ ମଧ୍ୟରେ ସେମିଫାଇନାଲ୍ ଖେଳାଯିବ । ଉଭୟ ବିଜେତା ଦଳ ଫାଇନାଲ୍ରେ ପରସ୍ପର ସହ ଲଢିବେ । ଆଇସସି ଅନୁଯାୟୀ, ଏହି ଫର୍ମାଟ୍ ଦ୍ୱାରା ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକ ମଧ୍ୟ ନକ୍-ଆଉଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ହୋଇଯିବ ।

ଆଇସିସିର ଉଦ୍ଦେଶ୍ୟ କ'ଣ ?

ଆଇସିସି ଅନୁଯାୟୀ, ଏହି ପରିବର୍ତ୍ତନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବିଶ୍ୱ କ୍ରିକେଟକୁ ଅଧିକ ପ୍ରତିଯୋଗିତାମୂଳକ କରିବା । ବୋର୍ଡ ଚାହେଁ ଯେ ବିଶ୍ୱକପର ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେଉ ଏବଂ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ଉତ୍ସାହ ବଜାୟ ରଖୁ । ନୂତନ ଫର୍ମାଟ୍ କେବଳ ଶୀର୍ଷ ଦଳଗୁଡ଼ିକ ମଧ୍ୟରେ ମ୍ୟାଚଗୁଡ଼ିକୁ ଅଧିକ ଚ୍ୟାଲେଞ୍ଜିଂ କରିବ ନାହିଁ, ବରଂ ରାଇଜିଂ ଟିମଗୁଡ଼ିକୁ ସେମାନଙ୍କର ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ଦେବ ।