ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତା ୧୫ ଜୁଲାଇ ୨୦୨୬ ସୁଦ୍ଧା ଆଇଆରସିଟିସି (IRCTC) ର ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଆଧୁନିକ ୱେବସାଇଟ୍ ଲଞ୍ଚ କରାଯାଇ ଦେଶବାସୀଙ୍କୁ ସମର୍ପିତ କରାଯିବ। ସରକାରଙ୍କ ଏହି ପଦକ୍ଷେପ ଦ୍ଵାରା ଟ୍ରେନ୍ ଟିକେଟ୍ ବୁକିଂ କରୁଥିବା କୋଟି କୋଟି ଯାତ୍ରୀ ଉପକୃତ ହେବେ।

ଛାତ୍ରୀଙ୍କ ସମସ୍ୟା ଓ ରେଳ ମନ୍ତ୍ରୀଙ୍କ ତୁରନ୍ତ ଆକ୍ସନ
ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ ଜଣେ ଛାତ୍ରୀ ଟିକେଟ୍ ବୁକିଂ ସମୟରେ ହେଉଥିବା ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନର IRCTC ୱେବସାଇଟ୍‌ରେ ଟିକେଟ୍ ବୁକ୍ କରିବା ସମୟରେ ବାରମ୍ବାର କ୍ୟାପ୍ଚା କୋଡ୍ ପୂରଣ କରିବାକୁ ପଡ଼ିଥାଏ, ଯାହା ଅତ୍ୟନ୍ତ ବିରକ୍ତିକର ଏବଂ ସମୟ ସାପେକ୍ଷ।

ମନ୍ତ୍ରୀଙ୍କ ଫୋନ୍ କଲ୍
 ଛାତ୍ରୀଙ୍କ ସମସ୍ୟା ଶୁଣିବା ମାତ୍ରେ ରେଳମନ୍ତ୍ରୀ ସେହି ସ୍ଥାନରେ ହିଁ ସମ୍ପୃକ୍ତ ଉଚ୍ଚ ପଦାଧିକାରୀଙ୍କୁ ଫୋନ୍ ଲଗାଇଥିଲେ। ସେ ଫୋନ୍‌ରେ ପଚାରିଥିଲେ, ‘ପିଲାମାନଙ୍କ ଦାବି ଅନୁଯାୟୀ କଣ ଆମେ ଆସନ୍ତା ୩୦ ଦିନ ମଧ୍ୟରେ ଏକ ନୂଆ ୱେବସାଇଟ୍ ପ୍ରସ୍ତୁତ କରିପାରିବା ?’ ଅଧିକାରୀଙ୍କ ଠାରୁ ସକାରାତ୍ମକ ଉତ୍ତର ପାଇବା ପରେ, ମନ୍ତ୍ରୀ ଆସନ୍ତା ମାସ ୧୫ ତାରିଖ (୧୫ ଜୁଲାଇ) ସୁଦ୍ଧା ନୂଆ ପୋର୍ଟାଲ୍ ଆରମ୍ଭ ହେବ ବୋଲି ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ।

ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଅଧିକ ସହଜ ଏବଂ ସୁଗମ କରିବା ଉଦ୍ଦେଶ୍ୟରେ ଏହି ନୂଆ ସାଇଟ୍ ପ୍ରସ୍ତୁତ କରାଯାଉଛି। ଏହାର ପ୍ରମୁଖ ବିଶେଷତ୍ୱଗୁଡ଼ିକ ହେଉଛି, ଏହାର ଡିଜାଇନ୍ ଅତି ସରଳ ହେବ, ଯାହାଦ୍ଵାରା ସାଧାରଣ ଲୋକେ ମଧ୍ୟ ସହଜରେ ଟିକେଟ୍ ବୁକ୍ କରିପାରିବେ। ପୁରୁଣା ୱେବସାଇଟ୍ ତୁଳନାରେ ଏହା ଅଧିକ ସ୍ପିଡ୍ ଚାଲିବ, ଯାହାଫଳରେ ତତ୍କାଳ ଟିକେଟ୍ ବୁକିଂ ସମୟରେ ସାଇଟ୍ ସ୍ଲୋ ହେବା ସମସ୍ୟା ଦୂର ହେବ। କ୍ୟାପ୍ଚା ସମେତ ଅନ୍ୟାନ୍ୟ ଜଟିଳ ପ୍ରକ୍ରିୟାକୁ ସଂଶୋଧନ କରାଯାଇ ଯାତ୍ରୀମାନଙ୍କୁ ଏକ ଉନ୍ନତ ଅନୁଭୂତି ପ୍ରଦାନ କରାଯିବ।