ଭୁବନେଶ୍ୱର, ୮/୧୧ :ଦୀପାବଳିର ପାବନ ଦିବସଠାରୁ ଆତ୍ମପ୍ରକାଶ କରିଛି ଏକ ନୂତନ ଇଂରାଜୀ ଖବର କାଗଜ-"ପ୍ରମେୟ ଟାଇମ୍ସ' । "ପ୍ରମେୟ' ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ଏହା ଏକ ଦୀପାବଳି ଉପହାର । ଓଡ଼ିଶାର ଜନଜୀବନ ସମସ୍ୟା, ଗତି ଏବଂ ପ୍ରଗତି ସବୁକିଛିକୁ ଏକ ବୃହତ୍ତର ପାଠକବର୍ଗଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ "ପ୍ରମେୟ' ପରିବାର ((SRMPL)ର ନୂଆ ଅଭିଯାନ ।

ଓଡ଼ିଶା ବଦଳୁଛି, ଓଡ଼ିଶାବାସୀଙ୍କର ଆଶା ଓ ଆକାଂକ୍ଷା ମଧ୍ୟ ବଦଳି ଚାଲିଛି । ନୂଆ ପିଢ଼ି ଆସୁଛନ୍ତି, ସେମାନଙ୍କ ଇଚ୍ଛା, ପସନ୍ଦ ଏବଂ ତ୍ୱରିତ ଆହରଣ କରିବାର ବ୍ୟାକୁଳତା ମଧ୍ୟ ଶୀର୍ଷ ଛୁଉଁଛି । ବିକାଶର ଯାତ୍ରା ଯେତେ ବ୍ୟାପକ ହେଉଛି ତଦ୍ଜନିତ ସମସ୍ୟା ଏବଂ ତ୍ରୁଟି ବିଚ୍ୟୁତିର ଭାର ମଧ୍ୟ ସେତେ ଓଜନିଆ ହୋଇ ଚାଲିଛି । ଏସବୁକୁ ଲୋକଲୋଚନକୁ ଆଣିବା ଦାୟିତ୍ୱ ଆମର । ଓଡ଼ିଶା ସବୁ ଜିଲ୍ଲା, ସବୁ ପଞ୍ଚାୟତ ଏବଂ ପୁରପଲ୍ଲୀରେ ଆମର ଖବର ସଂଗ୍ରହର ନେଟ୍ୱର୍କ ରହିଛି । ଆମର ଦାୟିତ୍ୱ ସେହି ଖବରସବୁ ବୃହତ୍ତର ପାଠକଙ୍କ ନିକଟରେ, ପ୍ରଶାସନ ଓ ରାଜନୈତିକ ନେତୃତ୍ୱ ସମ୍ମୁଖରେ ଆଣି ଥୋଇବା "ପ୍ରମେୟ ଟାଇମ୍ସ'ର କାର୍ଯ୍ୟ ହେବ ।

ଓଡ଼ିଶାର କୀର୍ତ୍ତିମାନ, ସାମାଜିକ ଓ ବୌଦ୍ଧିକ ବିକାଶ, ଐତିହ୍ୟ, ସଂସ୍କୃତି ଏବଂ ସର୍ବୋପରି ଓଡ଼ିଆ ଅସ୍ମିତାକୁ ରାଜ୍ୟ ତଥା ଦେଶ ବାହାରେ ପ୍ରଚାରିତ କରିବାର ଦାୟିତ୍ୱ ନେବ "ପ୍ରମେୟ ଟାଇମ୍ସ' । ଖବରର ପରିଭାଷା, ସାମ୍ବାଦିକତାର ସଂଜ୍ଞା ବଦଳିଗଲାଣି । ଏକତରଫା ଖବରର ସମୟ ଆଉ ନାହିଁ । ପ୍ରତ୍ୟେକ ନାଗରିକ ଜଣେ ଲେଖାଏଁ ଖବରଦାତା । ପ୍ରତ୍ୟେକ ପ୍ରସଙ୍ଗ ଉପରେ ଭିନ୍ନ ମତ ଅଛି । ସବୁକୁ ଆଣିବାକୁ ହେବ ପାଠକମାନଙ୍କ ସମ୍ମୁଖକୁ ନିରାସକ୍ତ ଓ ନିରପେକ୍ଷ ଭାବରେ ।