ନୂଆଦିଲ୍ଲୀ, ୨୧/୦୯:ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାକୁ ପ୍ରାୟ ୪ ସପ୍ତାହ ହୋଇଯାଇଥିବା ବେଳେ ନିଖୋଜ ଥିବା ୬ ହଜାରରୁ ଅଧିକ ଲୋକଙ୍କ ତଲାସ ଜାରି ରହିଛି। ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ରସୁୱା,ନୁୱାକୋଟ୍,ଧାଡିଙ୍ଗ ଓ ଚିତନ ଜିଲ୍ଲାର ନଦୀକୂଳ,ମାଟି ଓ କାଦୁଅ ଗଦା ହୋଇଥିବା ସ୍ଥାନ ଓ କ୍ଷତିଗ୍ରସ୍ତ ଜଳବିଦ୍ୟୁତ ପ୍ରକଳ୍ପରେ ଉଦ୍ଧାରକାରୀ ଦଳ ନିଖେଜ ଲୋକଙ୍କୁ ଖୋଜି ବାହାର କରିବା କାର୍ଯ୍ୟରେ ଲାଗିଛନ୍ତି। ନିଖୋଜ ବ୍ୟକ୍ତିଙ୍କ ଜୀବିତ ଥିବାର ଆଶା କମ୍ । ତଥାପି ଏତେ ସଂଖ୍ୟକ ଲୋକ ନିଖୋଳ ଥିବାରୁ ସେମାନଙ୍କୁ ଖୋଜି ବାହାର କରିବା କାର୍ଯ୍ୟ ଜାରି ରହିଛି।

Also Read :- ଓଡିଶାରେ ପଡ଼ିବ ଭୟଙ୍କର ମରୁଡି ! ଚେତାଇ ଦେଲେ ବୈଜ୍ଞାନିକ, ୫୨ ବର୍ଷ ପରେ ଜଣା ପଡିଲା ସତ

ରସୁଓ୍ବା ଜିଲ୍ଲାରେ ଥିବା ତ୍ରିଶୁଳୀ-୧ ଜଳବିଦ୍ୟୁତ ପ୍ରକଳ୍ପର ସୁଡଙ୍ଗ ଭିତରୁ ଉଦ୍ଧାରକାରୀ ଦଳ ୧୭ଟି ମୃତଦେହ ପାଇଛନ୍ତି। ନେପାଳ ସେନାର ସୂଚନା ଅନୁସାରେ ଏହି ମୃତଦେହଗୁଡିକ ଲୁହା ତାର ଜାଲିରେ ଫସିରହିଥିବା ସହ କାଦୁଅରେ ପୋତିହୋଇ ରହିଥିଲା। ସେଗୁଡିକୁ ବାହାର କରିବା ପାଇଁ ସେମାନେ ଗ୍ରାଇଣ୍ଡର,ଗ୍ୟାସ୍ କଟର ଆଦି ଉପକରଣର ବ୍ୟବହାର କରିଥିଲେ। ନେପାଳ ସେନାର ଜଣେ ଫିଲ୍ଡ କମାଣ୍ଡର କହିଛନ୍ତି ଯେ ମାଟି ଓ କାଦୁଅ ଯେଭଳି ଭାବେ ସୁଡଙ୍ଗ ଭିତରେ ଜମା ହୋଇରହିଛି ତାକୁ ସମ୍ପୂର୍ଣ ଭାବେ ସଫା କରିବା ଲାଗି ୩-୪ମାସ ସମୟ ଲାଗିବ। ବନ୍ୟା ଯୋଗୁ ଅନେକ ଅଞ୍ଚଳରେ ରାସ୍ତାଘାଟ ଓ ପୋଲ ଭାସିଯାଇଛି । ଯହାଫଳରେ ସେହିସବୁ ଅଞ୍ଚଳରେ ପହଞ୍ଚି ଉଦ୍ଧାର କିମ୍ବା ତଲାସୀ କାର୍ଯ୍ୟ କରିବା କଷ୍ଟକର ହୋଇପଡିଛି। ତ୍ରିଶୁଳୀ ଓ ଶାଖାନଦୀ ଭୋଟେକୋଶୀରେ ଆସିଥିବା ବନ୍ୟା ଅନେକ ଘର ଓ ଗାଁ ଭସାଇ ନେଇଥିବାରୁ ନଦୀ ତଟବର୍ତ୍ତୀ ଅଞ୍ଚଳ ଓ ନଦୀର ତଳିଆ ଅଞ୍ଚଳରେ ନିଖୋଜଙ୍କ ତଲାସୀ କରାଯାଉଛି।

ନେପାଳ ସରକାର କ୍ଷତିଗ୍ରସ୍ତ ରାସ୍ତା ଓ ବ୍ରିଜ ମରାମତି କାମ ଆରମ୍ଭ କରିଛନ୍ତି। ତ୍ରିଶୁଳୀ ନଦୀରେ ନିର୍ମିତ ବିଭିନ୍ନ ସସ୍ପେନସନ ବ୍ରିଜ କାର୍ଯ୍ୟ ଜାରି ରହିଛି। ଏସବୁ ବ୍ରିଜ ନୁକୋଟ ଓ ଧାଡିଙ୍ଗ ଜିଲ୍ଲାକୁ ସଂଯୋଗ କରୁଥିଲା । ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୧୨ଟି ସସ୍ପେନସନ ବ୍ରିଜ ମରାମତି କରାଯାଉଛି। ଆସନ୍ତା ଅକ୍ଟୋବର ୬ ତାରିଖ ସୁଦ୍ଧା ତାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଆଉ ୩୩ଟି ବ୍ରିଜ ସମ୍ପୂର୍ଣ ଭାବେ ଭାସିଯାଇଛି। ତାକୁ ମରାମତି କରାଯିବା ସମ୍ଭବ ନୁହେଁ। ତେଣୁ ସେଠାରେ ନୂଆ ବ୍ରିଜ ନିର୍ମାଣ କରଯିବ। ଏଥିପାଇଁ ସରକାର ଟେଣ୍ଡର ଡାକିଛନ୍ତି। ବ୍ରିଜ କ୍ଷତିଗ୍ରସ୍ତ ଯୋଗୁ ଲୋକମାନେ ବଜାର,ସ୍କୁଲ,ହସ୍ପିଟାଲ ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯିବାରେ ଘୋର ସମସ୍ୟା ସୃଷ୍ଟି ହୋଇଛି । କିଛି ଲୋକଙ୍କୁ ଅସ୍ଥାୟୀ ବ୍ୟବସ୍ଥାରେ ନଦୀ ପାର ହେବାକୁ ପଡୁଛି।

ବର୍ତ୍ତମାନ ଯେଉଁସବୁ ମୃତଦେହ ମିଳୁଛି ତାକୁ ଚିହ୍ନଟ କରିବା କଷ୍ଟକର ହୋଇଛି। ଉଦ୍ଧାର ହୋଇଥିବା ୧୪୦୦ରୁ ଅଧିକ ମୃତଦେହ ମଧ୍ୟରୁ ୧୧୦ଟି ଚିହ୍ନଟ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଉ ୧୩୦୦ ମୃତଦେହର ଡିଏନଏ ସଂଗ୍ରହ କରାଯିବା ପରେ ତାକୁ ଅସ୍ଥାୟୀ ଭାବେ ପୋତିଦିଆଯାଇଛି। କିଛି ମୃତଦେହ ଏଭଳି ଭାବେ କ୍ଷତବିକ୍ଷତ ହୋଇଛି କିମ୍ବା ପଚିଯାଇଛି ତାକୁ ଚିହ୍ନଟ କରିବା ସମ୍ଭବ ନୁହେଁ। ତା'ଛଡା କିଛି ମୃତଦେହର କେବଳ ଅଙ୍ଗପ୍ରତ୍ୟଙ୍ଗ ମିଳିଛି। କାରଣ ପାଣିକାଦୁଅ ଭିତରେ ବହୁଦିନ ପର୍ଯ୍ୟନ୍ତ ରହିବା ପରେ ତାହା ଜାଣିବା ସମ୍ଭବ ହୋଇପାରୁନାହିଁ। ଏ କ୍ଷେତ୍ରରେ ଡିଏନଏ ଟେଷ୍ଟ ହିଁ ଏକମାତ୍ର ବିକଳ୍ପ । କିନ୍ତୁ ଫରେନସିକ ବିଶେଷଜ୍ଞଙ୍କ କହିବାନୁଯାୟୀ ମୃତଦେହରୁ ଡିଏନଏ ସଂଗ୍ରହ କରିବା ଏବଂ ସେମାନଙ୍କର ପରିବାର ଲୋକଙ୍କ ଠାରୁ ଡିଏନଏ ନେଇ ତାକୁ ମିଳାଇବା ସମୟସାପେକ୍ଷ । ଏହା ଏତେ ସହଜ ମନେହେଉନାହିଁ ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ରେ ତିବତ-ନେପାଳ ସୀମାରେ ହିନ୍ଦୁକୁଶରେ ଭୂକମ୍ପ ଯୋଗୁ ହିମହ୍ରଦ ଭାଙ୍ଗିଥିଲା । ଫଳରେ ପାହାଡରୁ ମାଟି ଓ ପାଣି ମାଡିଆସି ତ୍ରିଶୂଳୀ ନଦୀରେ ପଡିଥିଲା। ଫଳରେ ନେପାଳ ଓ ଚୀନ ସୀମାରେ ପ୍ରବାହିତ ତ୍ରିଶୂଳୀ ନଦୀ ଅବବାହିକାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ତ୍ରିଶୂଳୀ ନଦୀରେ ଆସିଥିବା ବନ୍ୟାର ପ୍ରଖର ସ୍ରୋତ ୭୨ କି.ମି ତଳିଆ ଅଞ୍ଚଳରେ ଥିବା ଗାଁ,ଘର ଓ ବଢାର ଆଦି ଭସାଇ ନେଇଥିଲା । ଏଥିରେ ନେପାଳରେ ୧୪୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୯ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିସହ ୬,୧୪୫ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୩୪ଟି ଦେଶର ୬୦୭ ଜଣ ବିଦେଶୀ ନାଗରିକ ରହିଥିବା ଜଣାପଡିଛି। ସେହିଭଳି ତିତରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୬୧ ବିଦେଶୀଙ୍କ ସମେତ ୫୧୯ ଜଣ ନିଖୋଳ ଅଛନ୍ତି। ନେପାଳରେ ବନ୍ୟା ଯୋଗୁ ୧୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।