ଭୁବନେଶ୍ୱର, ୨୧/୦୯:ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଓଡ଼ିଶାରେ ଦେଖାଦେଇଛି। ପୂର୍ବ ଉପକୂଳରେ ଗ୍ରୀଷ୍ମ ଜନିତ ଚାପ ବଢ଼ିବା କାରଣରୁ ରାଜ୍ୟରେ ମରୁଡ଼ିର ତୀବ୍ରତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଏହା ଏବେମରୁଡ଼ି ହଟ୍ ସ୍ପଟ୍ ପାଲଟିଛି। ଅର୍ଥାତ ମରୁଡ଼ିପ୍ରବଣ ରାଜ୍ୟ ବିବେଚିତ ହୋଇଛି ଓଡ଼ିଶା।ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ୍ କ୍ଲାଇମେଟୋଲୋଜିର ସଦ୍ୟ ଅଧ୍ୟୟନରୁ ଏହା ଜାଣିବାକୁ ମିଳିଛି।

ରିପୋର୍ଟରୁ ଜଣାପଡ଼ିଛି ଯେ ସମଗ୍ର ଦେଶରେ ଅତ୍ୟଧିକ ମରୁଡ଼ି ପରିସ୍ଥିତି ଲାଗିରହିଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏହାର ତୀବ୍ରତା ବୃଦ୍ଧି ପାଉଛି। ବିଶେଷ କରି ଓଡ଼ିଶା,ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ମରୁଡ଼ି କବଳରେ ଅଧିକ ପଡୁଛନ୍ତି। ଦୀର୍ଘ ୫୨ ବର୍ଷ ଧରି ପାଣିପାଗ ବିଜ୍ଞାନୀମାନେ ଜଳବାୟୁ ପ୍ରଭାବକୁ ଅଧ୍ୟୟନ କରି ଏଭଳି ନିର୍ଯାସରେ ପହଞ୍ଚିଛନ୍ତି। ଭାରତୀୟ ପାଣିପାଗ ବିଭାଗ,ନ୍ୟାସନାଲ ସେଣ୍ଟର ଫର୍ ମିଡିୟମ ରେଞ୍ଜ ୱେଦର ଫୋରକାଣ୍ଟିଂ ଏବଂ ଆଟ୍ରିଆ ୟୁନିଭର୍ସିଟି ବେଙ୍ଗାଲୁରୁର ବୈଜ୍ଞାନିକଙ୍କ ଦ୍ୱାରା ୧୯୭୧ରୁ ୨୦୨୨ ପର୍ଯ୍ୟନ୍ତ ଏହି ବିଶ୍ଳେଷଣ କରାଯାଇଥିଲା।

ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା,ମରୁଡ଼ି ପରିସ୍ଥିତି,ପ୍ରବଳ ବର୍ଷା,ଗ୍ରୀଷ୍ମ ପ୍ରବାହ ଏବଂ ଗ୍ରୀଷ୍ମଜନିତ ଚାପ ଭଳି ୭ଟି ସୂଚକାଙ୍କକୁ ଏକତ୍ର କରି ଗବେଷକମାନେ ଏକ ନୂଆଇଣ୍ଡିଆ କ୍ଲାଇମେଟ୍ ଏକ୍ସଟ୍ରିମ୍ ଇଣ୍ଡେକ୍ସ'ପ୍ରସ୍ତୁତ କରିଛନ୍ତି। ସୂଚକାଙ୍କରୁ ଜଣାପଡ଼ିଛି ଯେ ଉଚ୍ଚ ତାପମାତ୍ରା,ଦୀର୍ଘାବଧି ଶୁଷ୍କ ପାଣିପାଗ ଏବଂ ବିଗୁଡ଼ୁଥିବା ମରୁଡ଼ି ପରିସ୍ଥିତି ଯୋଗୁ ଦେଶବ୍ୟାପୀ ଜଳବାୟୁର ଭୟାନକ ରୂପ ଘାତକ ହେବାରେ ଲାଗିଛି।

ଏହି ଅଧ୍ୟୟନର ଭୌଗୋଳିକ ବିଶ୍ଳେଷଣରୁ ମଧ୍ୟ ଆହୁରି ଅନେକ ନକାରାତ୍ମକ ଚିତ୍ର ସାମ୍ନାକୁ ଆସିଛି। ଏହା ଅନୁସାରେ,୧୯୮୧-୧୯୯୧ ତୁଳନାରେ ୨୦୧୧ରୁ ୨୦୨୧ ମଧ୍ୟରେ ପୂର୍ବ ଭାରତରେ ମରୁଡ଼ି ଜନିତ ଅତି ଖରାପ ସ୍ଥିତି ତୀବ୍ର ଗତିରେ ବୃଦ୍ଧି ପାଇଛି। ଦକ୍ଷିଣ,ମଧ୍ଯ ଏବଂ ଉତ୍ତର-ପୂର୍ବ ଭାରତର ଏକ ବଡ଼ ଅଂଶରେ ବାରମ୍ବାର ମରୁଡ଼ି ପରିସ୍ଥିତି ଅନୁଭୂତ ହୋଇଛି। କିନ୍ତୁ ପୂର୍ବ ଉପକୂଳରେ ସବୁଠାରୁ ଅଧିକ ସଙ୍କଟଜନକ ମରୁଡ଼ି ହଟସ୍ପଟ୍ ଅଞ୍ଚଳ ଦେଖିବାକୁ ମିଳିଛି। ଅଧ୍ୟୟନରେ ବିଶେଷକରି ଓଡ଼ିଶା ଉପରେ ରେଖାଙ୍କିତ କରାଯାଇଛି। ମରୁଡ଼ି ପ୍ରଭାବିତ ଅଞ୍ଚଳରେ ସବୁଠାରୁ ତୀବ୍ର ବୃଦ୍ଧି ରେକର୍ଡ କରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ସ୍ବତନ୍ତ୍ର ଭାବେ ଚିହ୍ନଟ କରାଯାଇଛି। ଅଧ୍ୟୟନର ପ୍ରମୁଖ ପ୍ରସ୍ତୁତକାରୀଙ୍କ ଅନୁସାରେ,ସାରା ଦେଶରେ ମରୁଡ଼ିର ତୀବ୍ରତାକୁ ଆକଳନ କଲା ବେଳେ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା। ବିଗତ ୩୦ ବର୍ଷ ମଧ୍ୟରେ ପ୍ରତ୍ୟେକ ଦଶନ୍ଧିରେ ଏହି ମରୁଡ଼ି ପ୍ରଭାବିତ ଅଞ୍ଚଳ ଏକପଞ୍ଚମାଂଶରୁ ଅଧିକ ବୃଦ୍ଧି ପାଇଛି।

ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ଜନିତ ଚାପ ବୃଦ୍ଧି ପାଉଛି। ଉପକୂଳଠାରୁ ଆଭ୍ୟନ୍ତରୀଣ ଭାଗ ପର୍ଯ୍ୟନ୍ତ ସବୁଠାରେ ଏହାର ପ୍ରଭାବ ଅନୁଭୂତ ହେଉଛି। ଅଧ୍ୟୟନ ଅନୁସାରେ,ମାନବ ଶରୀର ଉପରେ ତାପମାତ୍ରା ଓ ଗୁଳୁଗୁଳିର ମିଳିତ ପ୍ରଭାବକୁ ଦର୍ଶାଉଥିବା ଅତ୍ୟଧିକ ଗ୍ରୀଷ୍ମ ସୂଚକାଙ୍କ ଘଟଣା ଉପକୂଳବର୍ତ୍ତୀ ଅଞ୍ଚଳରୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ପୂର୍ବ ଭାରତ ଅଧିକରୁ ଅଧିକ ଗୁଳୁଗୁଳି- ଗ୍ରୀଷ୍ମ ଦ୍ୱାରା ପ୍ରଭାବିତ ହେଉଛି,ଯାହା ସ୍ବାସ୍ଥ୍ୟ,କୃଷି ଏବଂ ଜଳ ସମ୍ପଦ ପ୍ରତି ଅତ୍ୟଧିକ ବିପଦ ସୃଷ୍ଟି କରୁଛି।

Also Read :- ଗଞ୍ଜାମରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ! ୫ ଦିନ ଯାଏଁ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ

ଓଡ଼ିଶା ଭଳି ରାଜ୍ୟ ପାଇଁ ଏହି ତଥ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣIକାରଣ ବାତ୍ୟା,ବନ୍ୟା ଏବଂ ଉପକୂଳବର୍ତ୍ତୀ ପ୍ରତିକୂଳ ପାଣିପାଗ ସ୍ଥିତି ସହ ଓଡ଼ିଶା ପାରମ୍ପରିକ ଭାବେ ଯୋଡ଼ି ହୋଇଛି। ଖୁବ୍ କମ୍ ବ୍ୟବଧାନରେ ଏଠାରେ ବାତ୍ୟା ଓ ବନ୍ୟା ଆସିବାର ନଜିର ରହିଛି। ମରୁଡ଼ି ଏବେ ରାଜ୍ୟ ପାଇଁ ଏକ ସମାନ୍ତରାଳ ଜଳବାୟୁ ଜନିତ ବିପଦ ଭାବେ ଉଭା ହୋଇଥିବା ଅଧ୍ୟୟନର ସହ-ଲେଖକ ଏମ୍ ରାଜୀବନ କହିଛନ୍ତି। ରାଜୀବନଙ୍କ ଅନୁସାରେ,ଓଡ଼ିଶା ଏହି ଅଧ୍ୟୟନକୁ ନଜରଅନ୍ଦାଜ କରିବା ଉଚିତ ନୁହେଁ। ଏହାକୁ ନୀତିଗତ ଦୃଷ୍ଟିରୁ ଧ୍ଯାନ ଦିଆଯିବା ଆବଶ୍ୟକ। ପୂର୍ବ ଉପକୂଳ ଦୀର୍ଘ ଦିନ ଧରି ସାମୁଦ୍ରିକ ଝଡ଼ ଏବଂ ବନ୍ୟାର ସାମ୍ନା କରିଆସୁଛି। ମରୁଡ଼ି ଏହି ଅଞ୍ଚଳ ପାଇଁ ଏକ ମୁଖ୍ୟ ସଙ୍କଟ ପାଲଟୁଥିବା ଦୀର୍ଘମିଆଦୀ ରେକର୍ଡରୁ ଜଣାପଡ଼ିଛି। ଏହାର ପ୍ରତିକାର ଲାଗି ଗବେଷକମାନେ ମରୁଡ଼ି ସହନଶୀଳତା,ଜଳ ପରିଚାଳନା,ଜଳବାୟୁ-ସହନଶୀଳ କୃଷି ଏବଂ ଗ୍ରୀଷ୍ମ ମୁକାବିଲା ଯୋଜନାକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସ୍ଥାନୀୟ ଜଳବାୟୁ ସଙ୍କଟକୁ ଚିହ୍ନଟ କରିବା ପାଇଁ ସେମାନେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ ବ୍ୟବସ୍ଥାକୁ ଗୁରୁତ୍ବ ଦେବାକୁ କହିଛନ୍ତି ।