କାଠମାଣ୍ଡୁ, ୦୬/୦୪ : ମଧ୍ୟପ୍ରାଚ୍ୟରେ ସ୍ଥିତି ଗମ୍ଭୀର । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଘନ ଘନ ଆଟାକ୍ । କେହି କାହାରିକୁ ଛାଡିବାକୁ ନାରାଜ୍ । ଇରାନ ମଧ୍ୟ କାଉଣ୍ଟର ଦେଉଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ବନ୍ଦ କରି ଏସିଆର ଅନେକ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରୁଛି । ଫଳରେ ଅନେକ ଦେଶରେ ପେଟ୍ରୋଲ, ଡିଜେଲ ଦାମ୍ ହୁହୁ ହୋଉ ବଢିବାରେ ଲାଗିଛି ।

ତେବେ ଏସବୁ ସ୍ଥିତି ପାଇଁ ଜନଜୀବନ ଅନେକାଂଶରେ ପ୍ରଭାବିତ ହେଲାଣି । ଲୋକଙ୍କୁ ଠିକସେ ଗ୍ୟାସ୍ ମିଳୁନି । ଦରଦାମ୍ ବଢୁଛି । କେବଳ ଭାରତ ନୁହେଁ ଅନେକ ପଡୋଶୀ ଦେଶରେ ସମାନ ଅବସ୍ଥା । ଏହାରି ଭିତରେ ନେପାଳ ସରକାର ନୂଆ ପଦକ୍ଷେପ ନେଇଛନ୍ତି ।

​​​​​​​Also Read :-ମମତାଙ୍କ 'ପହଲଗାମ୍ ପ୍ଲାନ୍' ପ୍ରଶ୍ନର ଜବାବରେ ବିଜେପି କାହିଁକି କହିଲା 'ସଂଖ୍ୟାଲଘୁ ପ୍ରେମ'...?

ସପ୍ତାହରେ ଦୁଇ ଦିନ ଛୁଟି

ରବିବାର ନେପାଳ ସରକାର ବଡ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ ସପ୍ତାହକୁ ଦୁଇ ଦିନ ବନ୍ଦ ରହିବ । ସେହିପରି ଶିକ୍ଷାନୁଷ୍ଠାନରେ ସମାନ ନିୟମ ଲାଗୁ ହେବ । ପୂର୍ବରୁ କେବଳ ରବିବାର ଛୁଟି ରହୁଥିଲା । ଏବେ ଶନିବାରକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି ।

ନେପାଳର ଶିକ୍ଷା, ବିଜ୍ଞାନ ଏବଂ କ୍ରୀଡା ମନ୍ତ୍ରୀ ସସ୍ମିତ ପୋଖାରେଲ କହିଛନ୍ତି ଯେ, ରବିବାର ଦେଶରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ଛୁଟି ବାବଦରେ ନିଷ୍ପତ୍ତି ନିଆଯାଇଛି । ଫଳରେ ପବ୍ଲିକ୍ ହଲିଡେ ଭାବେ ଉଭୟ ଶନିବାର ଏବଂ ରବିବାରକୁ ବିବେଚନା କରାଯିବ । ଦେଶର ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ମଧ୍ୟ ଏଥିରେ ମୋହର ମାରିଛନ୍ତି ।

ଦେଶରେ ପେଟ୍ରୋଲିୟମ ସଙ୍କଟକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହ ସମସ୍ତ କାର୍ଯ୍ୟାଳୟ ଏବଂ ସ୍କୁଲ ୯ଟାରୁ ୫ ଯାଏଁ ଚାଲିବ । ଯାହା ଆଗରୁ ୧୦ରୁ ୫ ଥିଲା । ଏହାସହ କିପରି ଦେଶରେ ପେଟ୍ରୋଲ ଡିଜେଲ ଉପରୁ ଚାପ ହଟାଯାଇ ଇଲେକ୍ଟ୍ରିକ୍ ଗାଡି ଚଳପ୍ରଚଳ ଉପରେ ଫୋକସ କରାଯିବ ସେନେଇ ସରକାର ବିଚାର କରୁଛନ୍ତି ।