କୋଲକାତା, ୦୬/୦୪ : ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ନିର୍ବାଚନ ଯେତେ ପାଖେଇ ଆସୁଛି ବୟାନ ବାଜି ବି ସେତେ ଜୋର୍ ଧରୁଛି । ନା ବିଜେପି ନା ଟିଏମସି । କେହି କାହାରିକୁ ଛାଡିବାକୁ ନାରାଜ । ବୟାନ ବାଜି କରି ପରସ୍ପରକୁ ଘାଇଲା କରୁଛନ୍ତି । ଏହାମଧ୍ୟରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ କଡା ବୟାନ ଦେଇଛନ୍ତି ।

​​​​​​​Also Read :- ସୀମା ଜଗିବେ ସାପ-କୁମ୍ଭୀର : ସରକାର କରୁଛନ୍ତି ଯୋଜନା, ବାଂଲାଦେଶ ସୀମା ନିକଟରେ ଛାଡିବେ ବିଷାକ୍ତ ସରୀସୃପ

କ'ଣ କହିଲେ ମମତା

ମମତା କହିଛନ୍ତି ଯେ, ବିଜେପି ପାଖରେ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ରହିଛି । ସେମାନେ ପହଲଗାମ୍ ଭଳି ଆଉ ଏକ ଆକ୍ରମଣ କରିବାକୁ ଚାହୁଁଛନ୍ତି । ନିର୍ବାଚନ ପୂର୍ବରୁ ଏହି ଆକ୍ରମଣ ହେବ ।

ଏକ ସାଧାରଣ ସଭାରେ ମମତା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫଙ୍କ ବୟାନ ଉଠାଇଛନ୍ତି । ଆସିଫଙ୍କ ଉଦାହରଣ ଦେଇ ମମତା କହିଛନ୍ତି, କୋଲକାତାରେ ଆକ୍ରମଣ କରିବା ନେଇ ପାକିସ୍ତାନୀ ମନ୍ତ୍ରୀ କହିଥିଲେ । ଯାହା ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ବଙ୍ଗର କୁଚବିହାରରେ ରାଲିରେ କିଛି ଉଠାଇନଥିଲେ । ପ୍ରଧାନମନ୍ତ୍ରୀ ନିରବ ରହିଥିଲେ ।

ସେ ଆହୁରି କହିଛନ୍ତି ଯେ, ଯଦି ଦିଲ୍ଲୀ ପଶ୍ଚିମବଙ୍ଗର ଲୋକଙ୍କୁ ଟାର୍ଗେଟ୍ କରେ ତାହାଲେ ବେଙ୍ଗଲ ଛାଡିବ ନାହିଁ । ଜବାବ ଦେବ । ଯଦି କୋଲକାତାକୁ ଟାର୍ଗେଟ୍ କରିବାକୁ କିଏ ଧମକ ଦିଏ ତେବେ ଭାରତୀୟ ନାଗରିକ ଭାବେ ସେ ଚୁପ୍ ବସିବେ ନାହିଁ । ଯେଉଁମାନେ ଏକଥା ଶୁଣି ଚୁପ୍ ରହୁଛନ୍ତି ସେମାନଙ୍କୁ ଲାଜ ଲାଗିବା କଥା । ଇସ୍ତଫା ଦେଇଦେବା ଉଚିତ ବୋଲି ମମତା ପ୍ରକାଶ କରିଛନ୍ତି ।

ବିଜେପିର ପ୍ରତିକ୍ରିୟା

ମମତାଙ୍କ ବୟାନକୁ କଡା ଭାଷାରେ ନିନ୍ଦା କରିଛି ଭାରତୀୟ ଜନତା ପାର୍ଟି । ବିଜେପି କହିଛି ମମତା କେବଳ ଭୋଟ୍ ବ୍ୟାଙ୍କ୍ ପାଇଁ ବୟାନ ଦେଇଛନ୍ତି । ଏପରି କଥା କହି ମମତା ତୃଣମୂଳ କଂଗ୍ରେସକୁ ହିନ୍ଦୁ ବିରୋଧୀ ବୋଲି ପ୍ରମାଣିତ କରିଛନ୍ତି ।

ସେହିପରି ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ, ପହଲଗାମରେ ଘଟିଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣକୁ ମମତା ପ୍ରାୟୋଜିତ ବୋଲି କହିଛନ୍ତି । ଯେଉଁଠାରେ ନୀରିହ ହିନ୍ଦୁମାନେ ପ୍ରାଣ ହରାଇଥିଲେ ସେ ଘଟଣାକୁ ମମତା ସ୍କ୍ରିପଟେଡ୍ କହୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପ୍ରଦୀପ ପ୍ରତିକ୍ରିୟା ରଖିଛନ୍ତି ।