କାଠମାଣ୍ଡୁ, ୦୧/୦୯: ନେପାଳରେ ପ୍ରଳୟଙ୍କରୀ ବନ୍ୟାର ପ୍ରଳୟ କମୁନି । ପାଣି ଶୁଖିଥିଲେ ବି ବଢିଚାଲିଛି ଦୁର୍ଦ୍ଦଶା । ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ୯୦୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ୪୦୦୦ରୁ ଅଧିକ ବ୍ୟକ୍ତି ନିଖୋଜ ରହିଛନ୍ତି । ଫଳରେ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ତେବେ ନୁବାକୋଟ ଜିଲ୍ଲାରେ ଉଦ୍ଧାରକାର୍ଯ୍ୟ ବେଳେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି ।

Also Read :- କାଦୁଅ ଆଡେଇଲେ ବାହାରୁଛି ଶବ ! ନେପାଳ ଟ୍ରାଜେଡିରେ ମୃତ୍ୟୁସଂଖ୍ୟା ହଜାରେ ଛୁଇଁଲା

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଏଜେନ୍ସି ନୁବାକୋଟ୍ ଜିଲ୍ଲାର ବେତ୍ରବନ୍ତୀରେ ରବିବାରଠୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି । ତେବେ ବେତ୍ରବନ୍ତୀ ଅଞ୍ଚଳରେ ଗୋଟିଏ ଘରୁ ୨୩ଟି ମୃତଦେହ ଉଦ୍ଧାର ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । କେବଳ ଏତିକି ନୁହେଁ ନେପାଳରୁ ଭାରତକୁ ଆସିଥିବା ଗଣ୍ଡକ ନଦୀରେ ମଧ୍ୟ ୨୩ଟି ମୃତଦେହ ଭାସୁଛି । ଭାରତ ସରକାର ଏହି ସମସ୍ତ ମୃତଦେହକୁ ନେପାଳ ସରକାରଙ୍କୁ ପ୍ରଦାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଫସିଛନ୍ତି ଅନେକ

ରସୁଆ ଜିଲ୍ଲାସ୍ଥିତ ରସୁଆଗଢ଼ି ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲ ଭିତରେ ୩୦ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଥିଲା। ତେବେ ସେଠାରେ ନେପାଳ ସେନା, ବିଶେଷଜ୍ଞ ଇଞ୍ଜିନିୟର ଓ ଥର୍ମାଲ୍ ଡ୍ରୋନ୍ ସାହାଯ୍ୟରେ ଅପରେସନ କରାଯାଇଥିଲେ ବି କୌଣସି ଜୀବିତ ଶ୍ରମିକଙ୍କ ସନ୍ଧାନ ମିଳିନାହିଁ। ଏହାପରେ ସେଠାରେ ସର୍ଚ୍ଚ ଅପରେସନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

ଚୀନର ଖଣ୍ଡନ

ସେପଟେ ନେପାଳର ଅଭିଯୋଗକୁ ଚୀନ୍ ଖଣ୍ଡନ କରିଛି। ଚୀନ୍ ଗ୍ନେସିୟରର ଗତିବିଧି ଏବଂ ଜଳସ୍ତର ବାବଦ ତଥ୍ୟ ଦେଇ ନଥିବା ନେପାଳ କହିଥିଲା । ଠିକ୍ ସମୟରେ ତଥ୍ୟ ମିଳିଥିଲେ ଏତେ ଲୋକ ପ୍ରାଣ ହରାଇ ନଥାନ୍ତେ ବୋଲି ଅଭିଯୋଗ କହିଥିଲା। ରିପୋର୍ଟ ମୁତାବକ, ଚଳିତବର୍ଷ ମେ ୨୭ରେ କାଠମାଣ୍ଡୁରେ ନେପାଳ ଓ ଚୀନର ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ ବନ୍ୟା, ପାଣିପାଗ ଏବଂ ଗ୍ଲାସିୟର ସହ ଜଡ଼ିତ ବିପଦ ନେଇ ଚର୍ଚ୍ଚା ହୋଇଥିଲା।